ଭୁବନେଶ୍ବର: ମୁଁ ଦିଲ୍ଲୀ ସିବିଆଇ ଅଫିସ୍ରୁ କହୁଛି। ଆପଣଙ୍କ ନାଁରେ ୩କୋଟି ଟଙ୍କାର ମନିଲଣ୍ଡରିଂ ମାମଲା ହୋଇଛି। ସିବିଆଇ ଅଫିସର୍ ପରିଚୟ ଦେଇ ଭୟଭୀତ କରାଇଲେ ଓ ପରେ ୩ଦିନ ଧରି ଡିଜିଟାଲ୍ ଆରେଷ୍ଟ କରି ୧୪ଲକ୍ଷ ଟଙ୍କା ଲୁଟିଲେ। ଠକାମିର ଶିକାର ହୋଇଥିବା ବ୍ରହ୍ମପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ ପରେ ଏହି ଘଟଣା ପଦାକୁ ଆସିଛି। ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଗତ ୨୦ ତାରିଖରେ ଅଭିଯୋଗକାରୀ ବ୍ୟକ୍ତିଜଣଙ୍କ ଅଫିସ୍ ବାହାରୁ ଥିବା ବେଳେ ହଠାତ୍ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ରେ ଥିବା ଠକ ଜଣଙ୍କ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ସମ୍ପୃକ୍ତ ବ୍ୟକ୍ତି ନାଁରେ ୩କୋଟି ଟଙ୍କାର ମନିଲଣ୍ଡରିଂ ମାମଲା ଥିବା କହି ଧମକାଇଥିଲେ। ୨୪ଘଣ୍ଟା ମଧ୍ୟରେ ସିବିଆଇରେ ହାଜର ନହେଲେ ସ୍ଥାନୀୟ ପୁଲିସ ଦ୍ବାରା ଗିରଫ କରାଯିବ ବୋଲି କହି ଭୟଭୀତ କରାଇଥିଲେ। ଗିରଫଦାରୀ ଭୟରେ ବ୍ୟକ୍ତି ଜଣଙ୍କୁ ୩ଦିନ ଧରି ଡିଜିଟାଲ୍ ଆରେଷ୍ଟ କରି ଘରେ ବନ୍ଦୀକରି ରଖିଥିଲେ। ମାମଲାରୁ ଖସାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ୧୪ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ମୋବାଇଲ୍ ନମ୍ବରକୁ ବ୍ଲକ୍ କରି ଦେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ଆଜି ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/03/V06euF87ZSGrI2kil0eZ.jpg)