ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ତଥା ମେଧାବୀ ଶିକ୍ଷକ ଆଶାୟୀଙ୍କୁ ନ୍ୟାୟ ଦାବିରେ ଦୁଇ ଦିନ ହେଲା ଡିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଏସଏଫ ନେତୃତ୍ବରେ ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ ଅଭିଯାନ ପକ୍ଷରୁ ଆନ୍ଦୋଳନ କରାଯାଉଥିଲା। ଦାବି ସମ୍ପର୍କରେ ଆଲୋଚନା ପାଇଁ ଶିକ୍ଷା ବିଭାଗର କୌଣସି ଅଧିକାରୀ ଆସି ନଥିବା ବେଳେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଆନ୍ଦୋଳନକୁ ଭଣ୍ଡୁର କରି ଦିଆଯାଇଛି। କିଛି ସମୟ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

Advertisment

ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ନିଯୁକ୍ତିରେ ବଡ଼ଧରଣର ଦୁର୍ନୀତି ହୋଇଛି। ତରବରିଆ ଭାବରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି, ଓଏସଏସଟିଇଟିର ଫଳ ପ୍ରକାଶନ ପୂର୍ବରୁ ସିବିଟି ପରୀକ୍ଷା କରାଯିବା, ପଞ୍ଜାବ, ହରିୟାଣା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଦଣ୍ଡିତ ତଥା ଓଏନଜିସି ଦ୍ବାରା କଳାତାଲିକାଭୁକ୍ତ ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯିବା, ବୋର୍ଡ ପକ୍ଷରୁ ଜାରି ଉତ୍ତର ସିଟ୍‌ରେ ତ୍ରୁଟି, ବୋର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପର୍କୀୟଙ୍କୁ ଏହି ପରୀକ୍ଷା ପରିଚାଳନା ଠିକା ମିଳିବା ଦୁର୍ନୀତିର ପ୍ରମାଣ ବୋଲି ଅଭିଯୋଗ ହୋଇଛି। ନେତା, ମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଶିକ୍ଷା ବ୍ୟବସ୍ଥା ଧ୍ବଂସ ପାଇଥିବା ନେଇ ଏଆଇଏସଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଅଭିଯୋଗ କରିଛନ୍ତି। ଆନ୍ଦୋଳନରେ ଏଆଇଏସଏଫର କାହ୍ନୁଚରଣ ପରିଡ଼ା, ବିବେକ କୃଷ୍ଣ, ଶାଶ୍ବତ ପତି, ମନୋଜ କର, ସୁବ୍ରତ ପଣ୍ଡା, ଜୀବନ ବନ୍ଧୁ ଭୋଇ, ଦେବବ୍ରତ ବେହେରା, ଚନ୍ଦନ କହଁର, ସଂଜୟ ଗିରି, ଶ୍ରୀନିବାସ, ବେହୁରା, ଲିପ୍ସା ମହାକୁଡ଼, ସୁଶ୍ରୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।