ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ତେବେ ଓଡ଼ିଶାରେ ଥିବା ସିବିଏସ୍ଇ ଅଧୀନ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ୱର ଜୋନ୍ର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟରୁ ୭୭,୭୦୮ ପରୀକ୍ଷାର୍ଥୀ ରହିଛନ୍ତି। ସେଥିମଧ୍ୟରେ ଓଡ଼ିଶାର ୨୪,୪୦୧ ପରୀକ୍ଷାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୪,୫୮୮ ଜଣ ଛାତ୍ର ଓ ୯୮୧୨ ଜଣ ଛାତ୍ରୀ ରହିଛନ୍ତି। ଜଣେ କିନ୍ନର ପରୀକ୍ଷାର୍ଥୀ ରହିଥିବା ଜଣାପଡ଼ିଛି। ପରୀକ୍ଷା ଲାଗି ଓଡ଼ିଶାରେ ୮୬ଟି କେନ୍ଦ୍ର ହୋଇଥିବା ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ଜୋନ୍ରୁ ଦ୍ୱାଦଶ ଶ୍ରେଣୀରେ ୬୭୫ ବିଦ୍ୟାଳୟରୁ ୬୬,୩୬୭ ଛାତ୍ରଛାତ୍ରୀ ୨୧୯ଟି କେନ୍ଦ୍ରରେ ଆଜି ପରୀକ୍ଷା ଦେଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନ ପରୀକ୍ଷା ଶେଷ ହୋଇଛି। ଓଡ଼ିଶାର ୧୭,୧୭୯ ଜଣ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୦,୩୩୭ ଜଣ ଛାତ୍ର ଓ ୬,୮୪୨ ଜଣ ଛାତ୍ରୀ ରହିଛନ୍ତି। ପ୍ରଥମ ଦିନରେ ଥିବା ଇଂରାଜୀ ବିଷୟ ପରୀକ୍ଷା ଭଲ ହୋଇଥିବାରୁ ପରୀକ୍ଷାର୍ଥୀ ଖୁସି ବ୍ୟକ୍ତ କରିଛନ୍ତି।
ରାଜଧାନୀରେ ୭ ହଜାର ପରୀକ୍ଷାର୍ଥୀ
ଆଜିଠାରୁ ଆରମ୍ଭ ହୋଇଛି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ରାଜଧାନୀରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନରେ ରାଜଧାନୀରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ସମ୍ମୁଖରେ ଲାଗିଥିଲା ପରୀକ୍ଷାର୍ଥୀଙ୍କ ଲମ୍ବା ଧାଡ଼ି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ସମେତ ଡିଏମ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିଲେ। ପୂର୍ବାହ୍ନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ର ନିକଟରେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଭିଡ଼ ଜମିଥିଲା।
ପରୀକ୍ଷାର ପ୍ରଥମ ଦିନ ଇଂରାଜୀ ବିଷୟ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଟିକିଏ ଭୟ ଥିଲା। କାଳେ କଷ୍ଟ ପ୍ରଶ୍ନ ଆସିବ ଭାବି ଆଶଙ୍କା ମଧ୍ୟରେ ପରୀକ୍ଷା ହଲ୍କୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ତେବେ ଅପରାହ୍ନ ୧ଟା ୩୦ରେ ଛାତ୍ରଛାତ୍ରୀ ପରୀକ୍ଷା ହଲ୍ରୁ ବାହାରିବା ପରେ ପରୀକ୍ଷାର୍ଥୀଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସି ଓ ଆତ୍ମସନ୍ତୋଷର ଝଲକ।
ସବୁଠି ଯାଞ୍ଚ କଡ଼ାକଡ଼ି
ସମସ୍ତ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା। ପ୍ରବେଶ ପଥରେ ୪ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଯେଉଁ ପରୀକ୍ଷାର୍ଥୀ ସାଙ୍ଗରେ ବ୍ୟାଗ୍ ଆଣି ଆସିଥିଲେ ସେମାନଙ୍କୁ ପରୀକ୍ଷା ହଲ୍ ବାହାରେ ବ୍ୟାଗ୍ ରଖିବାକୁ କୁହାଯାଇଥିଲା। ଏହାଛଡ଼ା ପରୀକ୍ଷାର୍ଥୀଙ୍କୁ ମନିପର୍ସ, ଘଣ୍ଟା, କାଗଜ ବୋର୍ଡ, ମୋବାଇଲ୍ ଫୋନ୍ ଆଦି ସାଙ୍ଗରେ ନେବାକୁ ବାରଣ କରାଯାଇଥିଲା।ପରୀକ୍ଷା କେନ୍ଦ୍ରରେ ସିସିଟିଭି
ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିଥିଲା ସିସିଟିଭି। ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଅନ୍ୟ କେନ୍ଦ୍ରରେ ପରୀକ୍ଷା ଦେଉଥିବାରୁ ସିସିଟିଭି ଲଗାଯାଇ ପରୀକ୍ଷାର୍ଥୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ପରୀକ୍ଷାର୍ଥୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ କେନ୍ଦ୍ର ପରିସରରେ ନୋଟିସ୍ ବୋର୍ଡ ଲଗାଯାଇ ବାଟ ଦେଖାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ-୧ର ମୁଖ୍ୟ ପ୍ରବେଶ ପଥ, ବାରଣ୍ଡା, ହଲ୍ ଭିତରେ ସିସିଟିଭି ଲଗାଯାଇଛି। କେଭି-୨, ୩, ୪ରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।ପରୀକ୍ଷାର୍ଥୀଙ୍କୁ ଟାଣୁଛନ୍ତି କୋଚିଂ ସେଣ୍ଟର
ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି କୋଚିଂ ସେଣ୍ଟର ଏବଂ ରେସିଡେନ୍ସିଆଲ କଲେଜ କର୍ତୃପକ୍ଷ ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନିଜର ପ୍ରଚାର ପ୍ରସାର ଲାଗି ପୋଷ୍ଟର, ବ୍ରୋଚର ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ପରୀକ୍ଷା କେନ୍ଦ୍ରରୁ ବାହାରିବା କ୍ଷଣି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ କୋଚିଂ ସେଣ୍ଟରର କର୍ମଚାରୀ ଇଞ୍ଜିନିୟରିଂ ଓ ମେଡିକାଲ ନାମଲେଖା କୋଚିଂ ଲାଗି ଲିଫ୍ଲେଟ୍ ବାଣ୍ଟିଥିଲେ।