ସିବିଏସ୍‌ଇ ଦଶମ ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲା ଅଭିଭାବକ ମହାସଂଘ

ଭୁବନେଶ୍ବର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ହିନ୍ଦୀ, ବିଜ୍ଞାନ ଓ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗରେ ଓଡ଼ିଶା ଅଭିଭାବକ ମହାସଂଘ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌କୁ ସାକ୍ଷାତ କରିଛି। ଏ ସମ୍ପର୍କରେ ସମସ୍ତ ତଥ୍ୟ ଓ ଦାବିପତ୍ର ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପିତ କରାଯାଇଛି। ବିଜ୍ଞାନ ବିଷୟରେ ୪ ମାର୍କ ପ୍ରଶ୍ନ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ‘ଅଥବା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବାରୁ ପରୀକ୍ଷାର୍ଥୀ ୮ ମାର୍କ ପ୍ରଶ୍ନ ଛାଡ଼ି ଦେଇଛନ୍ତି। ଗଣିତ ବିଷୟର ‘ବି’ ଓ ‘ସି’ ସେଟ୍‌ଠାରୁ ‘ଏ’ ସେଟ୍‌ ପ୍ରଶ୍ନପତ୍ରରେ ଅତ୍ୟଧିକ କଠିନ ପ୍ରଶ୍ନ ସହ ପାଠ୍ୟକ୍ରମ ବାହାରୁ ୩୦ ମାର୍କ ପ୍ରଶ୍ନ ଆସିଥିଲା। ତେଣୁ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମୂଲ୍ୟାୟନ ହେବା ପୂର୍ବରୁ ସମସ୍ତଙ୍କୁ ଗ୍ରେସ୍‌ ମାର୍କ ପ୍ରଦାନ କରିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଏଥିସହ ବେସରକାରୀ ସ୍କୁଲଗୁଡ଼ିକ ଏନ୍‌ସିଇଆରଟି ବହିର ବ୍ୟବହାର ନ କରି ବାହାର ପ୍ରକାଶନୀ ସଂସ୍ଥାର ବହି କିଣିବାକୁ ଅଭିଭାବକଙ୍କ ଉପରେ ଚାପ ପକାଉଛନ୍ତି। ଏହାଦ୍ବାରା ଅଭିଭାବକମାନେ ଆର୍ଥିକ ବୋଝ ଓ ପିଲାଙ୍କୁ ବସ୍ତାନି ବୋଝର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୁଇ ମାସ ଭିତରେ ସମାଧାନ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଲାଲ୍‌ ମହାସଂଘକୁ ଆଶ୍ବସନା ଦେଇଥିବା ମହାସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ମହାସଂଘ ପ୍ରତିନିଧି ଦଳରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ମନୋଜ ଜେନା, ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ଅଶୋକ ପାଇକରାୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର