ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ପରେ ମାନସିକ ଯନ୍ତ୍ରଣାରେ ପରୀକ୍ଷାର୍ଥୀ

ସକାଳୁ ସବୁ କିଛି ଚାଲିଥିଲା ଠିକ୍‌ ଠାକ୍‌। ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ ସିବିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାର୍ଥୀ। ଗଣିତ ବିଷୟର ପରୀକ୍ଷା ଦେଇ ହଲ୍‌ରୁ ବାହାରିବା ପରେ ସେମାନଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସିର ଫୁଆରା। ଅଭିଭାବକଙ୍କ ଆଗରେ ଖୁସି ବାଣ୍ଟିବା ସହ ହସ ହସ ମୁହଁରେ ଘରକୁ ଫେରିଥିଲେ। କିନ୍ତୁ କିଏ ଜାଣିଥିଲା ସେମାନଙ୍କ ଏହି ଖୁସି ବେଶି ସମୟ ନୁହେଁ। ଘରେ ପହଞ୍ଚିବା କ୍ଷଣି ସେମାନଙ୍କୁ ମିଳିଥିଲା ଦୁଃଖଦ ଖବର। ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବାରୁ ଆଉ ଥରେ ପରୀକ୍ଷା ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କ ହୋସ ଉଡ଼ିଯାଇଥିଲା। ବର୍ଷ ସାରା ପିଲାମାନେ ଯେଉଁ ପରିଶ୍ରମ କରିଥିଲେ ତାହା ପାଣି ଫଟୋକା ପରି ମଳାଇ ଯାଇଥିବାରୁ ଅଭିଭାବକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଆଜି ସାରା ରାଜଧାନୀରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ସ୍କୁଲ କର୍ତୃପକ୍ଷ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ମତାମତ ଲୋଡ଼ିଥିଲା ‘ସମ୍ବାଦ’।

ମୁଷ୍ଟିମେୟ ବ୍ୟକ୍ତିିଙ୍କ ଅସାଧୁତା ବ୍ୟବସ୍ଥାକୁ ପ୍ରଭାବିତ କରୁଛି

ସିବିଏସ୍‌ଇର ସମସ୍ତ ପରୀକ୍ଷା ପରିଚାଳନା ଅତ୍ୟନ୍ତ ସାଧୁତା ଓ ନୀତିନିଷ୍ଠ ଭାବେ ପରିଚାଳିତ ହୋଇଥାଏ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ବ୍ୟକ୍ତିଙ୍କ ଆବଶ୍ୟକ ସାଧୁତା, ନିଷ୍ଠାର ଅଭାବ କାରଣରୁ ସମଗ୍ର ବ୍ୟବସ୍ଥା ପ୍ରଭାବିତ ହେଉଛି। ପ୍ରଶ୍ନପତ୍ର ଲିକ୍‌ ଭଳି ସଙ୍ଗିନ ତ୍ରୁଟି ଫଳରେ ଏହା ସହିତ ଜଡ଼ିତ ସମସ୍ତ ବ୍ୟବସ୍ଥା ପ୍ରଭାବିତ ହେବ। ଛାତ୍ରଛାତ୍ରୀ ବିଶେଷଭାବେ ମାନସିକ ଚାପରେ ରହିବେ। ଦେଶର ସର୍ବବୃହତ୍‌ ଶିକ୍ଷା ପରିଷଦ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଅତୁଟ ରଖିବା ନିମନ୍ତେ ଆଗାମୀ ଦିନରେ ସିବିଏସ୍‌ଇ ଏହାର ପରୀକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ଭବିଷ୍ୟତରେ ଯେପରି ପୁନରାବୃତ୍ତି ନ ହୁଏ ସେଦିଗରେ ପଦକ୍ଷେପ ନିଆଯାଉ।
ଡ. କେସି ଶତପଥୀ, ଅଧ୍ୟକ୍ଷ, ଡିଏଭି ଚନ୍ଦ୍ରଶେଖରପୁର ଓ ଆଞ୍ଚଳିକ ନିର୍ଦ୍ଦେଶକ ଡିଏଭି ଶିକ୍ଷାନୁଷ୍ଠାନସମୂହ ଓଡ଼ିଶା, ଜୋନ୍‌-୧

ଛାତ୍ରଛାତ୍ରୀ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ

ପ୍ରଶ୍ନପତ୍ର ଲିକ୍‌ ଭଳି ଗୁରୁତର ତ୍ରୁଟି କାରଣରୁ ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଦ୍ୱାଦଶ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ୍‌ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରୁ ବଞ୍ଚିତ ହେବା ଭଳି ପରିସ୍ଥିତି ଉପୁଜୁଛି। ଏହି ଦୁଇ ବିଷୟର ପରୀକ୍ଷା ଯଥାଶୀଘ୍ର ପୁଣିଥରେ କରାଇବା ଜରୁରୀ। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହିତ ପେପରଲେସ୍‌ ପ୍ରଶ୍ନପତ୍ର ବଣ୍ଟନର ବ୍ୟବସ୍ଥା କରିବା ଆବଶ୍ୟକ।
ହରିଶ ସାନ୍ଦୁଜା, ପ୍ରିନ୍ସପାଲ୍‌, ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌

ନିନ୍ଦନୀୟ ଘଟଣା

ଦଶମ ଓ ଦ୍ୱାଦଶ ଶ୍ରେଣୀର ଗଣିତ ଏବଂ ଅର୍ଥନୀତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ପ୍ରଶ୍ନପତ୍ର ଲିକ୍‌ ଅତ୍ୟନ୍ତ ନିନ୍ଦନୀୟ ଘଟଣା। କିପରି ଲିକ୍‌ ହେଲା ସେବିଷୟରେ ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀକୁ ଧରାଯିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏହି ଦୁଇ ବିଷୟରେ ଯଥାଶୀଘ୍ର ପରୀକ୍ଷା ତାରିଖ ସ୍ଥିର କରିବା ଜରୁରୀ। ଛାତ୍ରଛାତ୍ରୀ, ଅଭିଭାବକ ଓ ସିିବିଏସ୍‌ଇ ସହିତ ଜଡ଼ିତ ସମସ୍ତ ଅନୁଷ୍ଠାନ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ମର୍ମାହତ।
ଡ. ସତ୍ୟବ୍ରତ ମୀନକେତନ, ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ

ପ୍ରଶ୍ନପତ୍ର ଲିକ୍‌ କରାଯାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହୋଇଛି। ଅଭିଭାବକ ମଧ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେବା ଉଚିତ୍‌। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଘଟଣାରେ ଜଡ଼ିତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଦରକାର। ପରୀକ୍ଷା ଲାଗି ତୁରନ୍ତ ପୁନଃ ତାରିଖ ଘୋଷଣା କରାଯାଉ।
ବିଶ୍ୱଜିତ ପଟ୍ଟନାୟକ, ଅଭିଭାବକ

ଛାତ୍ରଛାତ୍ରୀ ମାନସିକ ଯନ୍ତ୍ରଣାରେ ଅଛନ୍ତି

ଦଶମ ଶ୍ରେଣୀ ପରୀକ୍ଷାର ଶେଷ ଭାଗରେ ଗଣିତ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନପତ୍ର ଲିକ୍‌ ହେବା ଦୁଃଖର ବିଷୟ। ଏହାଦ୍ୱାରା ପିଲାମାନେ ଘୋର ମାନସିକ ଯନ୍ତ୍ରଣାରେ ରହିବେ। ପୁଣିଥରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କଷ୍ଟକର। ସେହିପରି ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆହୁରି ଅଧିକ ସମସ୍ୟା ଆଣିବ। ସିବିଏସ୍‌ଇ ଏହି ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
ସସ୍ମିତା ସାହୁ, ଅଭିଭାବକ

ଛାତ୍ରଛାତ୍ରୀଙ୍କ ମନୋବଳ ଭାଙ୍ଗିଯାଇଛି

ପରୀକ୍ଷା ସରିବା ବେଳକୁ ପ୍ରଶ୍ନପତ୍ର ଲିକ୍‌ ହେବା ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗିଦେଇଛି। ପୁଣିଥରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ବିଷୟ। ସିବିଏସ୍‌ଇ ପକ୍ଷରୁ ଏହି ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଲିକ୍‌ ହୋଇଥିବା ଦୁଇ ବିଷୟରେ ପୁନଃପରୀକ୍ଷା ନିମନ୍ତେ ଯଥାଶୀଘ୍ର ବ୍ୟବସ୍ଥା ହେବା ଦରକାର।
ଶରତ କୁମାର କର, ଶିକ୍ଷକ

ପ୍ରଶ୍ନପତ୍ର ଲିକ୍‌ ଶୁଣି କାନ୍ଦ ଲାଗୁଛି

ଅର୍ଥନୀତି ବିଷୟ ପ୍ରଶ୍ନପତ୍ର ଲିକ୍‌ ହେବା କଥା ଶୁଣି କାନ୍ଦ ଲାଗୁଛି। ଏହି ବିଷୟଟି ବହୁତ୍‌ ଭଲ ହୋଇଥିଲା। ପୁଣିଥରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା କଥା ଭାବିଲେ ଟେନ୍‌ସନ ଲାଗୁଛି। ଏମିତି ହେବା ଆମ ପାଇଁ ଠିକ୍‌ ନୁହେଁ।
ପ୍ରତିଚୀ ଆଚାର୍ଯ୍ୟ, ଦ୍ୱାଦଶ ଶ୍ରେଣୀ, ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌

କଣ କରିବି ଭାବିପାରୁନି

ପରୀକ୍ଷା ପାଇଁ ବହୁତ କଷ୍ଟ କରିଥିଲି। ଗଣିତ ପ୍ରଶ୍ନପତ୍ର ଲିକ୍‌ ହେବା ଶୁଣି କଷ୍ଟ ଲାଗୁଛି। ପୁଣିଥରେ ପରୀକ୍ଷା ଦେଲେ ଆଶାନୁରୂପ ମାର୍କ ରଖିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। କିଭଳି ଭାବେ ନିଜକୁ ପ୍ରସ୍ତୁତ କରିବି ଜାଣିପାରୁନି। ଯେଉଁମାନଙ୍କ ପାଇଁ ଏଭଳି ହୋଇଛି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ।
ଅଭିପ୍ସା ସାହୁ, ଦଶମ ଶ୍ରେଣୀ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌

ସମ୍ବନ୍ଧିତ ଖବର