ପରୀକ୍ଷାର୍ଥୀଙ୍କ ପାଇଁ କାଳ ସାଜିଲା ‘ହ୍ଵାଟ୍‌ସଆପ୍‌’ : ପୁନଃ ପରୀକ୍ଷା ବଢ଼ାଇଲା ଟେନ୍‌ସନ୍‌

ସୋସିଆଲ୍‌ ମିଡିଆରେ ଅଭିଯୋଗ ଜଣାଇଲେ ଅଭିଭାବକ

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କାଳ ସାଜିଲା ‘ହ୍ଵାଟ୍‌ସଆପ୍‌’। ପ୍ରଶ୍ନପତ୍ର ଲିକ୍‌ ହେବାର ମାତ୍ର କିଛି ସମୟ ମଧ୍ୟରେ ଗୋଟିଏ ନମ୍ବରକୁ ଆଉ ଗୋଟିଏ ନମ୍ବରକୁ ଡେଇଁ ଚାଲିଥିଲା ପ୍ରଶ୍ନପତ୍ର। ଯେଉଁଥି ପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦି ଆଉ ଥରେ ପରୀକ୍ଷା ହୁଏ ତେବେ ସେଥିପାଇଁ କିଭଳି ପ୍ରସ୍ତୁତ ହେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀ ମଧ୍ୟ ପୁନଃ ପରୀକ୍ଷା କରାଇବା ନିଷ୍ପତ୍ତିକୁ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି। ପରୀକ୍ଷା ସରିବାର ଦୁଇ ଦିନ ପରେ ସିବିଏସ୍‌ଇର ବିଜ୍ଞପ୍ତି ପ୍ରକାଶ ସେମାନଙ୍କ ମାନସିକ ଯନ୍ତ୍ରଣାକୁ ବଢ଼ାଇ ଦେଇଛି।

ସାରା ଦେଶରେ ଏହାକୁ ନେଇ ବିରୋଧର ସ୍ୱର ଉଠିଛି। ନୂଆଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଆଜି ଦିନ ତମାମ ଏହାକୁ ନେଇ ବିରୋଧ ଜାରି ରହିଥିଲା। ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ଛାତ୍ର ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ବିଷୟ ପ୍ରଶ୍ନପତ୍ର ଲିକ୍‌ ହୋଇଛି ତାହାର ପୁନଃ ପରୀକ୍ଷା କେବଳ ନୂଆଦିଲ୍ଲୀ ଜୋନ୍‌ରେ କରାଯାଉ। ଭୁବନେଶ୍ୱର ଜୋନ୍‌ରେ ନ କରିବା ଲାଗି ସେମାନେ ଦାବି ଉଠାଇଛନ୍ତି। ଅଭିଭାବକ ମଧ୍ୟ ସିବିଏସ୍‌ଇର ପରିବା ପଣିଆ ନେଇ ପ୍ରଶ୍ନ ଉଠାଇଛନ୍ତି।

ଆଜି ଦିନ ସାରା ଫେସ୍‌ବୁକ୍‌, ଇ-ମେଲ୍‌, ଟୁଇଟର୍‌ ପରି ସୋସିଆଲ୍‌ ମିଡିଆ ଦ୍ୱାରା ଅଭିଭାବକମାନେ ସିବିଏସ୍‌ଇ କର୍ତୃପକ୍ଷ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଭୟ ଶ୍ରେଣୀର ପରୀକ୍ଷା ଚାଲିଥିବାରୁ ଏବେ ପୁନଃ ପରୀକ୍ଷା କରିବା ସମ୍ଭବପର ନୁହେଁ ବୋଲି ସୂଚନା ମିଳିଛି। ଏପ୍ରିଲ ୮ରେ ଜେଇଇ ମେନ୍‌ ଅଫ୍‌ ଲାଇନ୍‌ ପରୀକ୍ଷା ଥିବାରୁ ସିବିଏସ୍‌ଇ କର୍ତୃପକ୍ଷ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି।  ଏହାପରେ ଏପ୍ରିଲ ୧୫ ଓ ୧୬ରେ ଜେଇଇ ମେନ୍‌ ଅନ୍‌ଲାଇନ୍‌ ପରୀକ୍ଷା ହେବାର ରହିଛି। ଏହି ସମୟରେ ଯଦି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯାଏ ତେବେ ଜେଇଇ ମେନ୍‌ ପରୀକ୍ଷା ପ୍ରଭାବିତ ହେବାର ବି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ସପ୍ତାହ (ସୋମବାର ଓ ମଙ୍ଗଳବାର) ପୁଣିଥରେ ପରୀକ୍ଷା ତାରିଖ ଘୋଷଣା ହୋଇପାରେ।

ଜାଭଡ଼େକରଙ୍କ ଇସ୍ତଫା ଦାବି କଲା ଛାତ୍ର ବିଜେଡି

ଚନ୍ଦ୍ରଶେଖରପୁର :   ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଏକ ସମ୍ବେଦନଶୀଳ ଘଟଣାରେ ସିବିଏସ୍‌ଇ ଓ କେନ୍ଦ୍ର ସରକାର ବେପରୁଆ ମନୋଭାବ ପୋଷଣ କରିଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଦୋଷୀ  ବିରୋଧରେ  କଡ଼ା  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଉ  ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଏହା ସହିତ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ଇସ୍ତଫା ଦାବି କରିଛି ଛାତ୍ର ବିଜେଡି। ଛାତ୍ର ବିଜେଡିର ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଉପ-ସଭାପତି ରାଜେଶ ରାଜ ସ୍ୱାଇଁ , ସ୍ଥିତପ୍ରଜ୍ଞ ଦାସ, ଯୋଗେଶ ଜେନା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

କେବଳ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ଥାନରେ ପରୀକ୍ଷା ହେଉ: ଅଭିଭାବକ ମହାସଂଘ

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସରିବାର ଅଧଘଣ୍ଟା ପୂର୍ବରୁ କେବଳ ଦିଲ୍ଲୀ ଜୋନ୍‌ ଅଧୀନରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ତେଣୁ କେବଳ ସେହି ସ୍ଥାନରେ ପରୀକ୍ଷା ହେଉ। ଭୁବନେଶ୍ୱର ଜୋନ୍‌ ସମେତ ଦେଶର ଅନ୍ୟାନ୍ୟ କୌଣସି ସ୍ଥାନରେ ସେହି ଦୁଇ ବିଷୟରେ ଆଉ ପରୀକ୍ଷା ନକରିବାକୁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଅର୍ଥନୀତି ଓ ଗଣିତ ବିଷୟରେ ସିବିଏସ୍‌ଇ ଆଉଥରେ ପରୀକ୍ଷା କରାଇବାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଦୃଢ଼ ନିନ୍ଦା କରାଯାଇଥିବା ମହାସଂଘ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଜଡ଼ିତ ସମସ୍ତଙ୍କ ବିରୋଧରେ ୪୮ଘଣ୍ଟା ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ବିଭିନ୍ନ ଦାବିନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହାସଂଘ ପକ୍ଷରୁ ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏବିଭିପିର ପ୍ରତିବାଦ

ସିବିଏସ୍‌ଇର ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ ଘଟଣାରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଥିଲା। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଯିବା ସହିତ ଆଗାମୀ ଦିନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଦିଗରେ ସଚେତନ ହେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସଂପାଦିକ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ସ୍ମୃତିରଂଜନ ବିଶ୍ୱାଳ, ସଂଜୟ ମଲ୍ଲିକ, ଦେବବ୍ରତ ମହାରଣା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ।

ଏଆଇଡିଏସ୍‌ଓର ବିକ୍ଷୋଭ

ଏଆଇଡ଼ିଏସ୍‌ଓ ପକ୍ଷରୁ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ଛାତ୍ରଛାତ୍ରୀମାନଙ୍କ ଉପରେ ପୁନର୍ବାର ଆର୍ଥିକ ବୋଝ ଲଦି ନ ଦେବା, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନର ଅବ୍ୟବସ୍ଥାକୁ ଦୂର କରିବା ତଥା ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘେଟେ ସେଥିପାଇଁ ପଦକ୍ଷେପ ନେବାକୁ  ଏକ ସ୍ମାରକପତ୍ର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା।  ଆଜିର ବିକ୍ଷୋଭରେ ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, ଉପସଭାପତି ଜୟନ୍ତ ମହାନ୍ତି, ସମ୍ପାଦକ ମଣ୍ଡଳୀ ସଦସ୍ୟ ରେଖା ଦଣ୍ଡପାଟ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର