ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରକାଶ ପାଇଛି ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ। ଗତବର୍ଷ ତୁଳନାରେ ଏଥର ପାସ୍ହାର ହ୍ରାସ ପାଇଛି। ମାତ୍ର ପରୀକ୍ଷା ଦେଇ ପାସ୍ କରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା। ରେଜଲ୍ଟ ଜାଣିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନିଆରା ଢଙ୍ଗରେ ସ୍କୁଲରେ ଉତ୍ସବ ମନାଇଥିଲେ। ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶି ନାଚିଥିଲେ। ସେଲ୍ଫିରେ ସ୍ମରଣୀୟ ମୁହୂର୍ତ୍ତକୁ କଏଦ୍ କରିଥିଲେ। କେହି କେହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଠା ଖୁଆଇଥିଲେ ତ ଆଉ କିଏ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ନାଚରେ ମଜି ଯାଇଥିଲେ। ସାମ୍ପେନ୍, କୋଲ୍ଡ୍ରିଙ୍କ୍ସ ସ୍ପ୍ରେ’ କରି ଖୁସି ବାଣ୍ଟିଥିଲେ। ପରୀକ୍ଷା ଫଳ ଆଧାରରେ କିଏ କ’ଣ କରିବେ, ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କେଉଁ କଲେଜରେ ପଢ଼ିବେ, କେଉଁ ବିଭାଗରେ ନାମ ଲେଖାଇବେ, ସେନେଇ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତିକି ଅନ୍ଲାଇନ୍ କୋଚିଂ ନେବା ଆରମ୍ଭ କରିଦେଇଥିବା କିଛି ଜଣ କହିଛନ୍ତି।
ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସିବିଏସ୍ଇ ଅଧୀନ ଭୁବନେଶ୍ବରର ୯୬% ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଅଧିକାଂଶ ପରୀକ୍ଷାର୍ଥୀ ୮୦%ରୁ ଅଧିକ ନମ୍ବର ରଖି ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି। ଓଡ଼ିଏମ୍ ପବ୍ଲିକ ସ୍କୁଲର ଛାତ୍ରୀ ସ୍ବାତୀ ସୁଚରିତା ସାହୁ ଓ ୟୁନିଟ୍-୮ ଡିଏଭିର ନବନୀତ ପ୍ରିୟଦର୍ଶୀ ଯୁଗ୍ମ ଭାବେ ୯୯.୨% ମାର୍କ ରହି ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ଜଣ ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ବି କୁହାଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ପାଲ୍ ୯୯.୮%, କଳା ବିଭାଗରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ସ୍ନେହା ନାୟକ ୯୮.୪% ଏବଂ ବାଣିଜ୍ୟ ବିଭାଗରେ ୟୁନିଟ୍-୮ ଡିଏଭିର ପ୍ରଗତି ଅଗ୍ରୱାଲ ୯୮% ମାର୍କ ରଖି ଆଗରେ ରହିଛନ୍ତି। ସହରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ସଫଳତା ହାର ମଧ୍ୟ ବହୁତ ଭଲ ରହିଛି।
ବିଜେଇଏମ୍ ସ୍କୁଲ୍
ପରୀକ୍ଷା ଦେଇଥିବା ସ୍କୁଲର ୨୪୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୪ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କାଞ୍ଚି ଭୂମିକା ୯୭.୮% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ସେହିପରି ଆକାଂକ୍ଷା ପଣ୍ଡା ୯୭.୪% ସହ ଦ୍ବିତୀୟ, ୯୭.୨% ମାର୍କ ରଖି ପ୍ରିୟାଂଶୁ ନନ୍ଦ ତୃତୀୟ ହୋଇଛନ୍ତି। ଦ୍ବାଦଶ ବିଜ୍ଞାନରେ ଆକାଶ କୁମାର ସିଂ ୯୭.୪ % ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି। ବିଜ୍ଞାନରେ ୪ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ଏବଂ ୨୨ଜଣ ୯୦% ରୁ ଅଧିକ ନମ୍ବର ରଖିଛନ୍ତି। କେ. ପୱନ୍ କୁମାର ୯୬% ନମ୍ବର ସହ ଦ୍ୱିତୀୟ ଏବଂ ମନୀଷ ବିଶ୍ୱାଳ ୯୫.୨% ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ଜଣ ୯୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ରିୟା ଆଚାର୍ଯ୍ୟ ସର୍ବାଧିକ ୯୩.୬% ନମ୍ବର ରଖିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା, ପରିଚାଳନା କମିଟିର ସଦସ୍ୟ, ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମଦର ପବ୍ଲିକ ସ୍କୁଲ୍ର ଉଲ୍ଲେଖନୀୟ ପ୍ରଦର୍ଶନ
ଦ୍ୱାଦଶ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ୪୫%ରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ବିଜ୍ଞାନରେ ସିତାଂଶୁ ମହାପାତ୍ର ୯୮% ରଖି ପ୍ରଥମ, ସୂର୍ଯ୍ୟଜ୍ୟୋତି ମହାପାତ୍ର ୯୭% ସହ ଦ୍ୱିତୀୟ ଓ ୯୬.୬ % ମାର୍କ ରଖି ଅର୍ଣ୍ଣବ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ଅନନ୍ୟା ଦାସ ୯୭% ରଖି ପ୍ରଥମ, କ୍ରୀତି ଅଗ୍ରଵାଲ ୯୬% ସହ ଦ୍ୱିତୀୟ, ପରିଧି ଚୌଧୁରୀ ୯୫.୮୦ % ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। କଳାରେ ଆକୃତି ଷଡ଼ଙ୍ଗୀ ୯୭.୪% ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦଶମ ପରୀକ୍ଷାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅମନ କୁମାର ନାୟକ ୯୮.୮% ରଖି ବିଦ୍ୟାଳୟର ଟପର୍ ହୋଇଛନ୍ତି। ୯୮.୪% ରଖି ଶୁଭଶ୍ରୀ କର ଦ୍ବିତୀୟ, ଆଦ୍ୟାଶା ରଥ ଓ ବିବେକାନନ୍ଦ ରଥ ୯୮.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ପଲ୍ଲି ପଟ୍ଟନାୟକ ଏହି ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ସ୍କୁଲର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଦ୍ବାଦଶ ବିଜ୍ଞାନରେ ଅଲିଭ ସାହୁ ୯୭.୬% ରଖି ବିଦ୍ୟାଳୟରେ ଟପର୍ ହୋଇଥିବା ବେଳେ ଦ୍ବିତୀକାନ୍ତ ମହାନ୍ତି ଓ ମୁରଲୀ ମନୋହର ସ୍ବାଇଁ ୯୬% ନମ୍ବର ରଖି ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ଶୁଭାପ୍ରସନା ୯୨.୬୭% ନମ୍ବର ରଖି ପ୍ରଥମ, ଜଗନ ପ୍ରକାଶ ୯୨.୩୩% ନମ୍ବର ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। କଳା ବିଭାଗରେ ସାନିଆ ଖାଁ ୯୦.୩୩% ନମ୍ବର ରଖି ପ୍ରଥମ, ପ୍ରିୟାଳି ପ୍ରିୟମ୍ବଦା ୯୦% ନମ୍ବର ରଖି ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଦଶମରେ ଶାଶ୍ବତ ରଥ ୯୯.୨% ରଖି ସ୍କୁଲ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ରଥ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀକ୍ରିଷ୍ଣା ଇଣ୍ଟରନାସନାଲ୍ ସ୍କୁଲ
ଦଶମ ଓ ଦ୍ୱାଦଶ ସିବିଏସ୍ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି ଭୁବନେଶ୍ବର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନାସନାଲ୍ ସ୍କୁଲ (ଏସ୍କେଆଇଏସ୍)। ଦ୍ବାଦଶ (ବିଜ୍ଞାନ)ରେ ଚିତ୍ତରଞ୍ଜନ ଜେନା ୯୬ ପ୍ରତିଶତ ମାର୍କ ହାସଲ ସହ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହି ଭଳି ଦଶମ ପରୀକ୍ଷାରେ ବିଦ୍ୟାଳୟର କୁନାଲ ପ୍ରଧାନ ଓ ସତ୍ୟବ୍ରତ ସାହୁ ୯୨ ପ୍ରତିଶତ ମାର୍କ ସହ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ଉଭୟ ପରୀକ୍ଷାରେ ଏକାଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବିଦ୍ୟାଳୟର ଚେୟାରମ୍ୟାନ୍ ପବିତ୍ର ରାଉତରାୟ ଓ ଅଧ୍ୟକ୍ଷା ନମ୍ରତା ସିଂ ସୂଚନା ଦେଇଛନ୍ତି।
ଡିଏଭି ପୋଖରୀପୁଟ
ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ୨୨୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ଜଣ ବିଦ୍ୟାର୍ଥୀ ୯୦%ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଙ୍କିତ ପ୍ରକାଶ ୯୮.୮୦% ସହ ପ୍ରଥମ, ଶ୍ରୀସିକ୍ତା ରଥ ୯୮.୪୦% ରଖି ଦ୍ୱିତୀୟ ଏବଂ ୯୮% ନମ୍ବର ସହ ସ୍ୱୟଂକ୍ରିଷ୍ଣା ମନୋହରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ୱାଦଶ ବିଜ୍ଞାନରେ ସୌମ୍ୟ ଶୁଭ୍ରକାନ୍ତ ପ୍ରଥମ, ସ୍ମାର୍ତା ଦେବ୍ ଓ ସୈଜଲ ତ୍ରିପାଠୀ ଯୁଗ୍ମ ଦ୍ୱିତୀୟ ଏବଂ ଶୁଭଙ୍କର ନାୟକ ଓ ଶିବାନୀ ପ୍ରିୟଦର୍ଶିନୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ସ୍ନେହା ମହାନ୍ତି ପ୍ରଥମ, ଶ୍ରୀଦାତ୍ରୀ ସାହୁ ଦ୍ୱିତୀୟ, ଆଦ୍ୟାଶା ସାହୁ ତୃତୀୟ, କଳାରେ ବିଶ୍ୱ ଶ୍ରୁତିମୟୀ ପ୍ରଧାନ ପ୍ରଥମ, ରୋଶନ ବେହେରା ଦ୍ୱିତୀୟ ଓ ଶୁଭଶ୍ରୀ ସାମନ୍ତ ତୃତୀୟ ସ୍ଥାନରେ ଅଛନ୍ତି। ସ୍କୁଲ ଚେୟାରମ୍ୟାନ୍ ଅରୁଣ ରଥ, ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ର ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଛାତ୍ରାଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡିଏଭି କଳିଙ୍ଗନଗର
ଦଶମରେ ୧୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୯୭.୪ ପ୍ରତିଶତ ନମ୍ବର ରଖି ସିଦ୍ଧାର୍ଥ ଶଙ୍କର ଧର ସ୍କୁଲ ଟପର୍ ହୋଇଛନ୍ତି। ମ୍ରିନାଲି ମେହେକ ୯୭.୨% ଓ ଶୁଭମ ପୁଣ୍ୟତୀର୍ଥ, ଈଶାନ ହଜାରୀ ଓ ଟ୍ବିସା ମିଶ୍ର ୯୭% ମାର୍କ ରଖିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବିଜ୍ଞାନ ବିଭାଗରେ ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଦ୍ୟାଂଶୁ ବେଉରା ୯୮.୬୦% ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ପ୍ରିୟାଂଶୁ ପଣ୍ଡା ୯୭.୪୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ୨୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଦିତ୍ୟ ଗୁପ୍ତା ୯୪% ସହ ପ୍ରଥମ, ଅଭିଷିକ୍ତ ମହାନ୍ତି ଓ ଅନିନ୍ଦିତା ପତି ୮୯.୬୦% ସହ ଯୁଗ୍ମ ଦ୍ବିତୀୟ ଓ ୮୮.୪୦% ରଖି ଅର୍ପିତା ଦାଶ ତୃତୀୟ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି।
ଡିଏଭି ପବ୍ଲିକ୍ ସ୍କୁଲ୍, ଶିଶୁପାଳଗଡ଼
ଦଶମ ପରୀକ୍ଷାରେ ଶିଶୁପାଳଗଡ଼ ଡିଏଭି ପବ୍ଲିକ୍ ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ୧୬ଜଣ ୯୦%ରୁ ଅଧିକ, ୧୫ଜଣ ୮୦%ରୁ ଅଧିକ ଓ ଅବଶିଷ୍ଟ ପରୀକ୍ଷାର୍ଥୀ ୭୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିବ୍ୟମ୍ ପ୍ରତୀକ ସର୍ବାଧିକ ୯୬.୮ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ବିଦ୍ୟାଳୟର ଶିକ୍ଷା ପରାମର୍ଶଦାତା ମନୋଜ କୁମାର ଭଦ୍ର ଓ ସଂଚାଳିକା ମଧୁମିତା ଭଦ୍ର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଗାଇଡାନ୍ସ ଇଂରାଜୀ ମଧ୍ୟମ ବିଦ୍ୟାଳୟ
ଡୁମୁଡୁମାସ୍ଥିତ ଗାଇଡାନ୍ସ ଇଂରାଜୀ ମଧ୍ୟମ ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀର ହାପ୍ସା ସୟେଦ୍ ଅଲ୍ଲୀ ୯୫% ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ୯୪.୮% ନମ୍ବର ରଖି ସୁମନ ସାମନ୍ତରାୟ ଦ୍ବିତୀୟ ହୋଇଛନ୍ତି। ଦ୍ୱାଦଶରେ ଦିଶାନ୍ତ ପୀୟୁଷ ପାଣିଗ୍ରାହୀ ୯୭.୨%, ଶାଶ୍ୱତ ସାହୁ ୯୬.୨%, ଅଭୟ ଅଭିଜିତ୍ ସାହୁ ୯୫.୬% ନମ୍ବର ରଖି ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି। ବିଦ୍ୟାଳୟ ସଂପାଦକ, ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଖଣ୍ଡଗିରି ସେଣ୍ଟ ଜାଭିୟର ହାଇସ୍କୁଲ୍
ଦଶମ ଶ୍ରେଣୀରେ ୯୮.୪% ନମ୍ବର ରଖି ବୈଭବ ମହାରଣା ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୯୮.୨% ନମ୍ବର ରଖି ସତ୍ୟବ୍ରତ ସେନାପତି ଦ୍ବିତୀୟ ଓ ୯୮% ନମ୍ବର ରଖି ସୁଜୟ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ୩୩ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି ଓ ୮୭ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ବିଦ୍ୟାଳୟରେ ୧୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ, ୯୭.୨% ନମ୍ବର ରଖି ସ୍ବସ୍ତିକ ପଣ୍ଡା ପ୍ରଥମ, ୯୬.୮% ନମ୍ବର ସହ ପ୍ରଜ୍ବଳ ଆଚାର୍ଯ୍ୟ ଦ୍ବିତୀୟ ଓ ୯୫.୪% ନମ୍ବର ରଖି ଦିପ୍ସିଖା ପଟ୍ଟନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ମଲ୍ଲ ଓ ସମସ୍ତ କମିଟି ମେମ୍ବର ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କାର୍ମେଲ ସ୍କୁଲର ଶତପ୍ରତିଶତ ସଫଳତା
ଜଟଣୀ: ଜଟଣୀସ୍ଥିତ କାର୍ମେଲ ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ଦଶମରେ ସମସ୍ତ ୨୦୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୫୪ଜଣ ୯୦ ପ୍ରତିଶତ ମାର୍କ ରଖିଛନ୍ତି। ଦ୍ୱାଦଶରେ ସମସ୍ତ ୧୧୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୮ଜଣ ୯୦ପ୍ରତିଶତ ମାର୍କ ରଖିଛନ୍ତି। ଦଶମରେ ଛାତ୍ରୀ ସାଇ ସିମ୍ପୁଲ ୯୮ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ବେଳେ ଦ୍ବାଦଶ ବିଜ୍ଞାନରେ ଆଶୁତୋଷ ରଥ ୯୬ ପ୍ରତିଶତ ମାର୍କ ରଖି କଲେଜ ଟପର ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ନିର୍ଦ୍ଦେଶକ ସଞ୍ଜିବିତୋ ପାଣି, ଅଧ୍ୟକ୍ଷା ଆରୁପମା ରାଉତରାୟ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।