ଭୁବନେଶ୍ବରରେ ସିବିଏସ୍‌ଇ ପରୀକ୍ଷା ଫଳ

ଭୁବନେଶ୍ବର: ଭୁବନେଶ୍ବର ସହରରେ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିଥିବାବେଳେ ସବୁଠି ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ସ୍କୁଲର ଫଳାଫଳ ନିମ୍ନରେ ଦିଆଯାଇଛି।

ଓଡିଏମ୍ ପବ୍ଲିକ ସ୍କୁଲ

ଦ୍ବାଦଶ ଶ୍ରେଣୀ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୬୫୪ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରଶଂସନୀୟ ହୋଇଛି। ବାଣିଜ୍ୟ ବିଭାଗରେ ବିଦ୍ୟାଳୟର ସୃଷ୍ଟି ଅଗ୍ରୱାଲ ୯୯.୨% ନମ୍ବର ରଖିଛନ୍ତି। ବିଜ୍ଞାନରେ ମନୀଷା ସାହୁ ୯୯%, ଦୀତୋଷ କୁମାର କୁଇଲା ୯୮.୮% ମାର୍କ ରଖିଛନ୍ତି। ଦଶମ ଶ୍ରେଣୀରେ କୃତିତ୍ବ ହାସଲ କରିଥିବା ୧୭୯ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆଦିତ୍ୟ କର ୯୯.୮% ମାର୍କ ରଖି ବିଦ୍ୟାଳୟ‌ରେ ପ୍ରଥମ ହୋଇଛନ୍ତି। ୩୮ଜଣ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ, ପ୍ରବନ୍ଧକ ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ କୃତି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମଦର୍ସ ପବ୍ଲିକ ସ୍କୁଲ୍‌, ୟୁନିଟ୍‌-୧

ଦଶମ ଶ୍ରେଣୀରେ ୬୨% ପିଲା ୯୦%ରୁ ଅଧିକ ମାର୍କ ରଖିଛନ୍ତି। ବିଦ୍ୟାଳୟର ଛାତ୍ରୀ ଶ୍ରେୟା ପଟ୍ଟନାୟକ ସମସ୍ତ ବିଷୟରେ ୧୦୦ରୁ ୧୦୦ ମାର୍କ ରଖି ଦେଶରେ ଟପର୍‌ ହୋଇଛନ୍ତି। ସ୍କୁଲର ଏଭଳି ସଫଳତା ନେଇ ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ବାଦଶ ଶ୍ରେଣୀରେ ବି ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୧୬୧ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କିରଣ ପଟ୍ଟନାୟକ, ଅମ୍ଲାନ ଆକାଂଶୁ ସାହୁ ୯୮.୮୦% ମାର୍କ ରଖି ବିଦ୍ୟାଳୟ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ୯୦% ମାର୍କ ରଖିଛନ୍ତି। ବାଣିଜ୍ୟରେ ପ୍ରତୀକ ପ୍ରତ୍ୟୁଷ ଦାସ ୯୭.୪୦% ଓ ହ୍ୟୁମାନଟାଇଜ୍‌ରେ ଅନୁଶ୍ରୀ ରଥ, ସୋନମ ସଙ୍କେତ, ପ୍ରୀତେଶ୍‌ ପତ୍ରୀ ୯୮.୮୦% ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି।

ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲ୍, କେଦାରଗୌରୀ

ଦଶମ ଓ ଦ୍ବାଦଶ ପରୀକ୍ଷାରେ ‌ଏହି ସ୍କୁଲ୍‌ ଚଳିତବର୍ଷ ଭଲ ଫଳ କରିଥିବା ଜଣାପଡ଼ିଛି। ଦଶମରେ ୪୧ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଛାତ୍ର ତୁହିନ ସାମନ୍ତରାୟ ୯୮.୮% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ସେହିପରି ଦ୍ବାଦଶରେ ୨୨ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ଛାତ୍ରୀ ବରେଣ୍ୟା ମହାପାତ୍ର ୯୭.୮% ମାର୍କ ରଖିଛନ୍ତି। ଅଧ୍ୟକ୍ଷା ଅର୍ଚ୍ଚନା ମିଶ୍ର ଛାତ୍ରଛାତ୍ରୀଙ୍କୁ ଶୁ‌ଭେଚ୍ଛା ଜଣାଇଛନ୍ତି।

ଡିଏଭି ପବ୍ଲିକ ସ୍କୁଲ୍‌, ୟୁନିଟ୍‌-୮

ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ୨୮୪ଜଣଙ୍କ ମଧ୍ୟରୁ ୧୮୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଭୂମିକା ଦାସ, ସାଇ ଶ୍ରେୟାଂଶ ପଣ୍ଡା ଓ ସ୍ବଂୟପ୍ରକାଶ ପାଣି ୪୯୯ ନମ୍ବର ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ୮୯ଜଣ ୯୦%ରୁ ଅଧିକ ମାର୍କ ପାଇଛନ୍ତି ଏବଂ ସୌମ୍ୟା ଶୁଭ୍ରକାନ୍ତି ସ୍ବାଇଁ ୯୮.୪%ମାର୍କ ରଖି ବିଭାଗରେ ପ୍ରଥମ ହୋଇଛନ୍ତି। ବାଣିଜ୍ୟରେ କେ. ରୋହିତ ୯୭.୮% ନମ୍ବର ରଖି ପ୍ରଥମ ହୋଇଛନ୍ତି। କଳା ବିଭାଗରେ ଶ୍ରୁତି ପଟ୍ଟନାୟକ ୯୬.୬%ନମ୍ବର ରଖି ବିଭାଗରେ ପ୍ରଥମ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟ କୁମାର ପଟ୍ଟନାୟକ, ମ୍ୟାନେଜର ଡିଏନ୍‌ ମିଶ୍ର, ଅଧ୍ୟକ୍ଷା ଈପ୍ସିତା ଦାସ କୃତୀ ଛାତ୍ରଛଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍

ସ୍କୁଲର ଦ୍ବାଦଶ ‌ଶ୍ରେଣୀ ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଛାତ୍ରୀ ବିଶାଖା ରାଉତ କଳାରେ ୯୯.୪%, ବାଣିଜ୍ୟରେ ରୋନିତ ପାତ୍ର ୯୯.୨%, ବିଜ୍ଞାନରେ ପ୍ରତୀକ ମହାନ୍ତି ୯୯% ନମ୍ବର ରଖି ସ୍କୁଲକୁ ଗୌରାବାନ୍ବିତ କରିଛନ୍ତି। ଦଶମରେ ଅଧିକାଂଶ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍‍ କରିଥିବା ବେଳେ ସୌମୀ ବିଶ୍ୱାସ ୯୯% ନମ୍ବର ରଖି ସ୍କୁଲ୍‍ ଟପର୍‌ ହୋଇଛନ୍ତି। ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍କୁଲ୍‍ ଚେୟାରପର୍ସନ ମୋନାଲିସା ବଳ, ଅଧ୍ୟକ୍ଷ ସଞ୍ଜୟ ସୁଆର, ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ଦଶମରେ ୨୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୯୧ ଛାତ୍ରଛାତ୍ରୀ ପ୍ରଥ‌ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଅମ୍ରିତ ଘୋଷାଲ ସର୍ବାଧିକ ୪୯୯ ମାର୍କ ରଖି ବିଦ୍ୟାଳୟ ଟପ୍‌ର ହୋଇଛନ୍ତି। ଦ୍ବାଦଶରେ ୧୪୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବିଜ୍ଞାନରେ ୬ଜଣ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬ଜଣ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ରୀ ବି. ରକ୍ସିତା ପଟ୍ଟନାୟକ ସର୍ବାଧିକ ୯୫% ମାର୍କ ରଖି ଟପର ହୋଇଛନ୍ତି। ଚେୟାରମ୍ୟାନ୍‌ ରଘୁନାଥ ମିଶ୍ର, ମ୍ୟାନେଜର୍‌ ପ୍ରତାପ ଜେନା ଓ ପରିଚାଳନା କମିଟି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର