ସିବିଏସ୍‌ଇ ଦ୍ବାଦଶ ଫଳ: ଶତ ପ୍ରତିଶତ ସଫଳତା

ଭୁବନେଶ୍ବର : କୋଭିଡ୍‌-୧୯ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଯୋଗୁଁ ଅଧାରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ ହୋଇଥିଲା। ସ୍କୁଲରେ ତାଲା ପଡ଼ିବା ସହ ଅନ୍‌ଲାଇନ୍‌ କ୍ଲାସ ଚାଲିଥିଲା। ପରୀକ୍ଷା ହେବ କି ନାହିଁ, ଯଦି ହୁଏ ତେବେ କେମିତି କରାଯିବ, ପରୀକ୍ଷା ନ ହେଲେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କିଭଳି ହେବ, ପାଖାପାଖି ଦୁଇ ମାସ ଧରି ଏଭଳି ଆଲୋଚନା ଜାରି ରହିଥିଲା। କରୋନା ସଂକ୍ରମଣ ନ କମିବାରୁ ଶେଷରେ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ନିଷ୍ପତ୍ତି ନେଇଥିଲା।

ସ୍କୁଲଗୁଡ଼ିକ ୪୦-୩୦-୩୦ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ସହ ମାର୍କ ଦାଖଲ କରିବାକୁ କୁହାଯାଇଥିଲା। ବିନା ପରୀକ୍ଷାରେ ମୂଲ୍ୟାୟନ ହେଉଥିବାରୁ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ରହିଥିଲେ। କେବେ ବାହାରିବ ପରୀକ୍ଷା ଫଳ? କ’ଣ ହେବ ଛାତ୍ରଛାତ୍ରୀ ରେଜଲ୍ଟ? ଏଭଳି ଚର୍ଚ୍ଚା ମଧ୍ୟରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ସିବିଏସ୍‌ଇ ପକ୍ଷରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ସାରା ଦେଶ ଓ ଓଡ଼ିଶାରେ ପାସ୍‌ହାର ବଢ଼ିଥିବା ବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବରରେ ଥିବା ସିବିଏସ୍‌ଇ ଅଧୀନ ସ୍କୁଲ ଓ ଛାତ୍ରଛାତ୍ରୀ ବି ପଛରେ ପଡ଼ି ନାହାନ୍ତି। ଅଧିକାଂଶ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୯୫%ରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଫଳତାକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ କରୋନାର କଟକଣା ‌ଯୋଗୁଁ କେହି ଉତ୍ସବ ପାଳନ କରିପାରି ନ ଥିଲେ। ହାତଗଣତି ଗୋଟିଏ ଦୁଇଟି ସ୍କୁଲ ପିଲାଙ୍କୁ ଏକାଠି କରି କ୍ୟାମ୍ପସରେ ଉତ୍ସବ ପାଳିଥିଲେ। ଆଉ କେତେକ ସ୍କୁଲ ଅନ୍‌ଲାଇନ୍‌ରେ ସେଲିବ୍ରେସନ୍‌ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କେତେକ ବିଦ୍ୟାଳୟର ପରୀକ୍ଷା ଫଳ ଆଜି ପ୍ରକାଶ ପାଇ ନାହିଁ। ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଥିବା ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି।

ମଦର୍ସ ପବ୍ଲିକ ସ୍କୁଲ
ୟୁନିଟ୍-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଶତ ପ୍ରତିଶତ ରେଲଜ୍ଟ ହୋଇଛି। ବିଦ୍ୟାଳୟର ୪୪୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୬୧ଜଣ ୯୦ ପ୍ରତିଶତରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଣ୍ୟ ସଲିଳା ସାହୁ ହ୍ୟୁମାନିଟିଜ୍‌ରେ ୯୮.୬୦ ପ୍ରତିଶତ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ଶ୍ରେଷ୍ଠା ଦତ୍ତ ଚୌଧୁରୀ ୯୮.୪୦ ପ୍ରତିଶତ ମାର୍କ ରଖି ବିଜ୍ଞାନରେ ଟପର ହୋଇଛନ୍ତି। ବାଣିଜ୍ୟରେ ଛାତ୍ର ଉତ୍କର୍ଷ ପଣ୍ଡା ୯୮.୪୦ ରଖି ବିଭାଗର ଟପର୍‌ ହୋଇଛନ୍ତି।

ଓଡିଏମ୍‌ ପବ୍ଲିକ ସ୍କୁଲ
ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ହୈମବତୀ ନନ୍ଦନ ପତି ୯୯ ପ୍ରତିଶତ ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଶାଶ୍ବତ ସାହୁ ୯୮.୮ ପ୍ରତିଶତ ମାର୍କ ରଖି ଦ୍ବିତୀୟ ଏବଂ ପ୍ରଜ୍ଞାପାରମିତା ସାହୁ ଓ ଅନୁଭବ ମିଶ୍ର ୯୮.୬ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଣିଜ୍ୟରେ ସ୍ମୃତିରେଖା ସାହୁ ୯୮.୨ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପର୍ ହୋଇଛନ୍ତି। ସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ୯୫% ରୁ ଊର୍ଧ୍ବ ଓ ୧୩୪ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତ ଉପରେ ମାର୍କ ରଖିଛନ୍ତି। ସ୍କୁଲ ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଦ୍ୟାଳୟରେ ୧୫୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆୟୁଷ ମିଶ୍ର ୯୬ପ୍ରତିଶତ ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବିଦ୍ୟାଳୟର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି, ଅଧ୍ୟକ୍ଷ ଜି. ରାମକିଶୋର, ମ୍ୟାନେଜର୍‌ ବସନ୍ତ କୁମାର ତ୍ରିପାଠୀ, ଭିଇଏମ୍ ଟ୍ରଷ୍ଟର ସଂପାଦକ କେ.କେ ଦେବୀ, ଉପାଧ୍ୟକ୍ଷ ବିଜୟ ନାଏକ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ
କିଟ୍ ଇଣ୍ଟରନ୍ୟାସନାଲର ଶତପ୍ରତିଶତ ରେଜଲ୍ଟ ହୋଇଛି। ସ୍କୁଲର ୩୦ ପ୍ରତିଶତ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ଯଶୋବର୍ଦ୍ଧନ ନାଏକ, ବାଣିଜ୍ୟରେ ବେଦିକା ନରସରିଆ ଏବଂ ହ୍ୟୁମାନିଟିଜରେ ରଚିତା ପ୍ରିୟଦର୍ଶନୀ ପ୍ରମୁଖ ୯୮ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପର୍ ହୋଇଛନ୍ତି। ସ୍କୁଲର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରୀକ୍ଷା ଫଳକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର
କଳିଙ୍ଗ ନଗର ଡିଏଭି ପବ୍ଲିକ ସ୍କୁଲର ଶତ ପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନରେ ଏସ୍.କେ ଶୁଭଶ୍ରୀ ଓ ପ୍ରତୀକ୍ଷା ଷଡ଼ଙ୍ଗୀ ୯୬.୪୦ ପ୍ରତିଶତ ମାର୍କ ରଖି ସ୍କୁଲର ଯୁଗ୍ମ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ଛନ୍ଦା ଚରଣ କୋଠାରୀ ୯୪.୬୦ ପ୍ରତିଶତ ରଖି ପ୍ରଥମ ହୋଇଛନ୍ତି। ସ୍କୁଲ ପରିଚାଳନା ସମିତିର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ଡିଏଭି ପବ୍ଲିକ ସ୍କୁଲ ଓଡ଼ିଶା ଜୋନ୍-୧ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି ଶତପଥୀ ଓ ସ୍କୁଲ ଅଧ୍ୟକ୍ଷ ବିପିନ୍ କୁମାର ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର
ସ୍କୁଲର ଶତପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନ ବିଭାଗରେ ସାଇଜ୍ୟୋତି ମଲ୍ଲିକ ୯୯.୪ ପ୍ରତିଶତ ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ଅମିଷା ଗୁହାରାୟ ଓ ପ୍ରଭା ସୁଚରିତା ପଣ୍ଡା ୯୮ ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଛନ୍ତି। ସେହିପରି କଳା ବିଭାଗରେ ଶ୍ରୀପର୍ଣ୍ଣା ସାହୁ ୯୮.୪ ପ୍ରତିଶତ ମାର୍କ ରଖି ବିଭାଗର ଟପର୍‌ ହୋଇଛନ୍ତି। ୨୩.୬୫ ପ୍ରତିଶତ ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଊର୍ଧ୍ବ ମାର୍କ ପାଇଛନ୍ତି।

ସମ୍ବନ୍ଧିତ ଖବର