ଏଟିଏମ୍‌ ଲୁଟ୍‌ର ୨୪ ଘଣ୍ଟା ପୂର୍ବରୁ ସିସି କ୍ୟାମେରା ଅଚଳ, ଅଣଓଡ଼ିଆ ଲୁଟେରାଙ୍କ ସମ୍ପୃକ୍ତି ସନ୍ଦେହ

ଅଧିକାଂଶ ବ୍ୟାଙ୍କ, ଏଟିଏମ୍‌ରେ ନାହାନ୍ତି ସୁରକ୍ଷାକର୍ମୀ, ଅପରାଧୀଙ୍କୁ ସୁହାଇଛି ମାସ୍କ

ଭୁବନେଶ୍ୱର : ଅଧିକାଂଶ ଏଟିଏମ୍ ଲୁଟ୍‌ ଘଟଣାରେ, ଲୁଟ୍‌ର ପୂର୍ବଦିନ ଦୁର୍ବୃତ୍ତ ସିସି କ୍ୟାମେରାକୁ ଅଚଳ କରି ଦିଅନ୍ତି। ରେକି କରିବା ସହ ଏହାର ପରଦିନ ଆସି ଲୁଟ୍ କରନ୍ତି। ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣା‌‌ରେ ମଧ୍ୟ ସମାନ ଘଟଣା ଘଟିଛି। ଏଟିଏମ୍‌ ଭିତରେ ଲାଗିଥିବା ସିସିଟିଭି ଦିନକ ପୂର୍ବରୁ ଅଚଳ ହୋଇଯାଇଥିଲା। ଗତ ରାତିରେ ଲୁଟ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୯ ତାରିଖ ରାତି ପ୍ରାୟ ୯ଟାରେ ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ଯାଇଥିଲା। ୨୪ ଘଣ୍ଟା ପୂର୍ବରୁ କ୍ୟାମେରା କେମିତି ଅଚଳ ହେଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଲୁଟେରା ରେକି କରିବାକୁ ଆସି ଏହି କ୍ୟାମେରା ଅଚଳ କରିଥିବା ସନ୍ଦେହ ପ୍ରକାଶ ପାଇଛି। ପୂର୍ବରୁ ଏକାଧିକ ଏଟିଏମ୍ କାଉଣ୍ଟର ଲୁଟ ଘଟଣାରେ ଧରା ପଡ଼ିଥିବା ଅଭିଯୁକ୍ତ କ୍ୟାସ୍‌ ମ୍ୟାନେଜମେଣ୍ଟ ସଂସ୍ଥାର ହୋଇଥିବା ନଜିର୍ ରହିଛି। ତେଣୁ ଏହି ଘଟଣାରେ ମଧ୍ୟ କ୍ୟାସ୍‌ ମ୍ୟାନେଜମେଣ୍ଟ ସଂସ୍ଥାର କୌଣସି କର୍ମଚାରୀଙ୍କ ହାତ ଥିବା ସନ୍ଦେହ ପ୍ରକାଶ ପାଇଛି। ସେହିପରି ଏଟିଏମ୍ କାଉଣ୍ଟର ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଗତ ଜାନୁଆରିରୁ ଅଚଳ ହୋଇ ପଡ଼ିଛି। ତେଣୁ ଲୁଟେରାଙ୍କୁ ଧରିବା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଲୁଟ୍‌ ମାମଲା‌ରେ ବିହାର କିମ୍ବା ଝାଡ଼ଖଣ୍ଡ ଲୁଟେରାଙ୍କ ହାତ ରହିଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ପୂର୍ବରୁ ଏକାଧିକ ଏଟିଏମ୍ ଲୁଟ୍ ଘଟଣାରେ ଅଣଓଡ଼ିଆଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ଅଧିକାଂଶ ବ୍ୟାଙ୍କ, ଏଟିଏମ୍‌ରେ ନାହାନ୍ତି ସୁରକ୍ଷାକର୍ମୀ
ରାଜଧାନୀର ଅଧିକାଂଶ ବ୍ୟାଙ୍କ ଏବଂ ଏଟିଏମ୍‌ରେ ସୁରକ୍ଷାକର୍ମୀ ନାହାନ୍ତି। ଫଳରେ ଲୁଟ୍‌ କରିବା ପାଇଁ ଲୁଟେରାଙ୍କୁ ସହଜ ହୋଇଯାଉଛି। ଗତ ସେପ୍ଟେମ୍ବର ୭ ତାରିଖରେ ରାଜଧାନୀରେ ପ୍ରଥମ ବ୍ୟାଙ୍କ ଲୁଟ୍ ଘଟିଥିଲା। ଇନଫୋସିଟି ଥାନା ନନ୍ଦନବିହାରରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଲୁଟେରା ସୌମ୍ୟରଞ୍ଜନ ଜେନା ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିଲା। ଦ୍ବିତୀୟ ବ୍ୟାଙ୍କ ଲୁଟ୍ ସେପ୍ଟେମ୍ବର ୨୮ ତାରିଖରେ ମଞ୍ଚେଶ୍ବର ବରିମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ହୋଇଥିଲା। ଏହି ଦୁଇଟି ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ନ ଥିଲେ। ସୌମ୍ୟରଞ୍ଜନ ପେସାଦାର ଲୁଟେରା ନ ଥିଲା କିମ୍ବା ଦଳବଳ ଧରି ଲୁଟ୍‌ କରିବାକୁ ଆସି ନଥିଲା। ଏକୁଟିଆ ଲୁଟ୍ କରିବାରେ ସଫଳ ହୋଇଥିଲା। ହୁଏତ ସୁରକ୍ଷାକର୍ମୀ ନିୟୋଜିତ ଥିଲେ, ତା’ ପକ୍ଷେ ଏତେ ସହଜ ହୋଇ ନ ଥା’ନ୍ତା। ସେହିପରି ଗତରାତିରେ ଯେଉଁ ଏଟିଏମ୍ ଲୁଟ୍ ହୋଇଛି, ସେହି କାଉଣ୍ଟର୍‌ ମଧ୍ୟ ବିନା ସୁରକ୍ଷାକର୍ମୀରେ ଦୀର୍ଘଦିନ ଧରି ଚାଲିଥିଲା। ନିକଟରେ ଧରା ପଡ଼ିଥିବା କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ଜେରା ବେଳେ ମଧ୍ୟ ଏ କଥା ସ୍ବୀକାର କରିଥିଲା। ଯେଉଁ କାଉଣ୍ଟର୍‌‌ରେ ସୁରକ୍ଷାକର୍ମୀ ନାହାନ୍ତି, ସେହି କାଉଣ୍ଟରକୁ ଟାର୍ଗେଟ କରି ଲୁଟ୍ କରିବାକୁ ସହଜ ହୁଏ ବୋଲି କହିଥିଲା ସମ୍ଭବ।

ଅପରାଧୀଙ୍କୁ ସୁହାଇଛି ମାସ୍କ
ବ୍ୟାଙ୍କ କିମ୍ବା ଏଟିଏମ୍‌ ଲୁଟ୍‌ ପାଇଁ ଅପରାଧୀମାନଙ୍କୁ ଏବେ ‘ମାସ୍କ’ ଅନେକାଂଶରେ ସୁହାଉଛି। ମାସ୍କ ଭିତରେ କିଏ ରହିଲା, ପରିଚିତ ଲୋକ ବି ଚିହ୍ନି ପାରୁନି। ସିସିଟିଭି କ’ଣ ବା ଚିହ୍ନିବ? କରୋନା କଟକଣା ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବାରୁ କିଏ ଅପରାଧୀ କିଏ ଭଦ୍ରଲୋକ ଚିହ୍ନିବା ସମ୍ଭବ ହେଉନାହିଁ। ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ପକ୍ଷରୁ ଦାବି ହୋଇଥିଲା। ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରବେଶ କଲା ବେଳେ ଯଦି କିଛି ସେକେଣ୍ଡ ପାଇଁ ମାସ୍କ ଖୋଲିବାକୁ ସରକାରୀ ନିୟମ ରହନ୍ତା, ତେବେ ଅପରାଧୀକୁ ଚିହ୍ନଟ କରିବା ସମ୍ଭବ ହୋଇପାରନ୍ତା ବୋଲି ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପୁଲିସ ମଧ୍ୟ ବିଚାରବିମର୍ଶ କରିଥିଲା। ହେଲେ କିଛି ନିର୍ଦ୍ଦେଶ ଦିଆଯାଇନଥିଲା। ସୂଚନାଯୋଗ୍ୟ, ଏପରି ନିୟମ ଭୋପାଳ ସରକାର କରିଛନ୍ତି। ବ୍ୟାଙ୍କ୍‌, ଏଟିଏମ୍‌, ସୋ ରୁମ୍‌ ଆଦି ପ୍ରତିଷ୍ଠାନକୁ ପ୍ରବେଶ କଲାବେଳେ ୧୫ରୁ ୩୦ ସେକେଣ୍ଡ ମାସ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର