ଭୁବନେଶ୍ବର: ଜାନୁଆରିରୁ ଗାଡ଼ି ଯାଞ୍ଚ ଜୋରଦାର ହେବାକୁ ଥିବାରୁ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଭଳି ପଦକ୍ଷେପ ନିଆଯିବ। କମିସନରେଟ୍ ପୁଲିସ ପକ୍ଷରୁ ମୁଖ୍ୟତଃ ଦ୍ରୁତଗତିରେ ଯାଉଥିବା ହାଲୁକା ମୋଟର ଯାନ ଓ ଦୁଇ ଚକିଆ ଯାନ, ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିନଥିବା ଚାଳକ, ମଦ ପିଇ ଗାଡ଼ି ଚଳାଉଥିବା, ଭୁଲ୍ ଦିଗରେ ଗାଡ଼ି ଚଲାଉଥିବା ଲୋକଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯିବ। ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସହଯୋଗ ଲୋଡ଼ିଛି କମିସନରେଟ୍ ପୁଲିସ। ବିଭିନ୍ନ ସ୍ଥାନରେ ଚେକିଂ ସହ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିର ଭିଡିଓ ଓ ଫଟୋ ଦେଖି ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକୁ ବିଏସ୍ସିଏଲ୍ ପକ୍ଷରୁ ମରାମତି କରାଯାଇଥିବାବେଳେ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତୀକରଣ କରାଯାଇଛି। ବିଏସ୍ସିଏଲ୍ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କମିସନରେଟ୍ ପୁଲିସ ଓ ଆର୍ଟିଓ ଅଧିକାରୀମାନେ ଭୁବନେଶ୍ବର ଅପରେସନ୍ ସେଣ୍ଟର (ବିଓସି)ରେ ବସି ଉଲ୍ଲଂଘନକାରୀଙ୍କ ଗାଡ଼ିକୁ ଚିହ୍ନଟ କରିବେ। ଏହାପରେ ବାହନ ଆପ୍ ଯୋଗେ ଚାଲଣ କାଟିବେ।
ଏଥିପାଇଁ ବିଏସ୍ସିଏଲ୍ ପକ୍ଷରୁ ସ୍ମାର୍ଟ ଭିତ୍ତିଭୂମି ଯୋଗାଯିବ। ରାଜଧାନୀର ୧୨ଟି ଛକରେ ଟ୍ରାଫିକ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଥିରେ ରେଡ୍ ଲାଇଟ୍ ଭାଓଲେସନ୍ ସିଷ୍ଟମ୍ (ନାଲିବତୀ ଉଲ୍ଲଂଘନକାରୀଙ୍କୁ ଧରିବା) ଏବଂ ସ୍ପିଡ୍ ଭାଓଲେସନ୍ ଡିଟେକ୍ସ ସିଷ୍ଟମ (ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା) ବ୍ୟବସ୍ଥା ରହିଛି। ଟ୍ରାଫିକ ଛକରେ ଲାଗିଥିବା ସିସିଟିଭିରୁ ଗାଡ଼ିର ନମ୍ବର ପ୍ଲେଟ୍ ଫଟୋ ଉଠାଇ ଗାଡ଼ି ମାଲିକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଏବେ ଏହା କେତେ ଉପଯୋଗୀ ହେଉଛି କେମିତି ଚାଲଣ କଟାଯିବ ତାହାର ପରୀକ୍ଷା ହେଉଛି। ଜାନୁଆରିରୁ ଏହାକୁ ଲାଗୁ କରାଯିବ। ସେହିପରି ଗାଡ଼ି ଚାଳକଙ୍କୁ ବିଭିନ୍ନ ପ୍ରକାରର ନିୟମ ବିଷୟରେ ଅବଗତ କରିବା, ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୮ଟି ଜାଗାରେ ଡାଇନାମିକ୍ ମେସେଜ୍ ସାଇନ୍ ଲାଗିଛି। ଏଥିରେ ବିଭିନ୍ନ ପ୍ରକାରର ଲେଖା ମାଧ୍ୟମରେ ସୂଚନା ଦିଆଯିବ। ୧୨ଟି ଛକରେ ହଠାତ୍ ନିଆଯାଉଥିବା ନିଷ୍ପତ୍ତି ଓ ଜରୁରୀକାଳୀନ ଘୋଷଣା ବ୍ୟବସ୍ଥା କରାଯାଇଛି।
ମିଟର କଣ୍ଟା କାମ କରୁନଥିଲେ ଫସିବ
ସ୍ପିଡ୍ ଡିଟେକ୍ଟରରେ ଧରାପଡ଼ିବା ପୂର୍ବରୁ ଗାଡ଼ିର ସ୍ପିଡ୍ କେେତ ଅଛି ତାହା ରାଡାର୍ ସ୍ପିଡ୍ ସାଇନ୍ସ (ଆରଏସ୍ଏସ୍)ରେ ଜଣାପଡ଼ିଯିବ। ଏଥିପାଇଁ ୧୦ଟି ସ୍ଥାନରେ ରାଡାର ସ୍ପିଡ୍ ସାଇନ୍ସ ଲାଗିଥିଲା। ଶିଶୁ ଭବନ ଛକ, ନିଉ ଫରେଷ୍ଟ ପାର୍କରୁ ବିମାନବନ୍ଦର, ବିମାନବନ୍ଦରରୁ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ପାୱାର ହାଉସ୍ ଛକରୁ ରାଜଭବନ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ, ମହର୍ଷି କଲେଜ ଛକରୁ ସତ୍ୟନଗର, ରସୁଲଗଡ଼ରୁ ବାଣୀବିହାର, ଜୟଦେବ ବିହାରରୁ ସିଆରପିଏଫ୍ ଛକ, ବରମୁଣ୍ଡାରୁ ଖଣ୍ଡଗିରି ଛକ ମଧ୍ୟରେ ଏହି ଆରଏସ୍ଏସ୍ ଲାଗିଥିଲା। ଏହାଦ୍ବାରା ଗାଡ଼ି ଚାଳକ ଆଗୁଆ ସତର୍କ ହେବା ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କମ୍ ଗତିରେ ଚଳାଇବାକୁ ଏହା ସଙ୍କେତ ଦେବ ବୋଲି ଆରଏସ୍ଏସ୍ ଲାଗିଥିଲା।
କିନ୍ତୁ ଆଜିକା ଦିନରେ ଏହା ରାସ୍ତାରେ ଦେଖିବାକୁ ମିଳୁନି। ରାସ୍ତାରୁ ଆରଏସ୍ଏସ୍ ଉଭାନ୍ ହୋଇଯାଇଛି। ଯଦି ଗାଡ଼ିର ସ୍ପିଡ ମିଟର କଣ୍ଟା କାମ କରୁନଥିବ ତେବେ କେତେବେଳେ ଯେ ଚାଳକ ଫସିଯିବ ତାହା କହିହେବନି।
ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥାରେ ରାଜଧାନୀର ୧୦ଟି ସ୍ଥାନରେ ଆରଏସ୍ଏସ୍ ଲାଗିଥିଲେ ହେଁ ଏହାର ଉପଯୋଗ ହେବା ପୂର୍ବରୁ ଏହା ଖରାପ ହୋଇଗଲା। ବିଏସ୍ସିଏଲ୍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥାରେ ଆର୍ଏସ୍ଏସ୍ ଲାଗିବା ବ୍ୟବସ୍ଥା ନଥିଲା। କିନ୍ତୁ ଆମେ ଲଗାଇଥିଲୁ। ହେଲେ ବାତ୍ୟା ଫନିରେ କିଛି ଆରଏସ୍ଏସ୍ ଖରାପ ହୋଇଯାଇଥିଲା। ଏହାପରେ ସବୁ ଆରଏସ୍ଏସ୍ ଖୋଲିଦିଆଯାଇଛି। ଲୋକ ଗାଡ଼ି ମିଟର କଣ୍ଟା ଦେଖି ଚଲାଇଲେ କିଛି ସମସ୍ୟା ହେବନି।
ଏବେ ବି ୧୦୦ ସିସିଟିଭି ଅଚଳ
ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ରାଜଧାନୀ ଉପରେ ନଜର ରଖିବା ପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ଛକ ଏବଂ ସ୍ଥାନରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୧୮୦ଟି ସିସିଟିଭି ଲାଗିଥିଲା। କିନ୍ତୁ ବାତ୍ୟା ଫନିରେ ଏଥିରୁ ୧୫୫ଟି ଅଚଳ ହୋଇଯାଇଥିଲା ମାତ୍ର ୨୫ଟି ସିସିଟିଭି କାମ କରୁଥିଲା। ଏହାପରେ ୫୫ଟି ସିସିଟିଭି ମରାମତି କରି କାର୍ଯ୍ୟକ୍ଷମ କରାଯାଇଛି। ଏବେ ସ୍ମାର୍ଟ ସଲ୍ୟୁସନ୍ ଯୋଜନାରେ ହନିୱେଲ୍ ପକ୍ଷରୁ ଅପ୍ଟିକାଲ୍ କେବୁଲ୍ ବିଛାଯାଉଥିବାରୁ ଏହି କେବୁଲ୍ ବିଛା ସରିଲେ ସମସ୍ତ ୧୮୦ଟି ସିସିଟିଭି କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।
ସହର ଭିତରେ ଘଣ୍ଟା ପ୍ରତି ୫୦
ରାଜଧାନୀ ଭିତରେ ବାଇକ୍, କାର୍ ଏବଂ ଭାରୀ ଯାନ ଚାଲିଲେ ବି ସେମାନଙ୍କ ସ୍ପିଡ୍ ଘଣ୍ଟା ପ୍ରତି ୫୦କିମିରୁ ଅଧିକ ହେବନି। ଜାତୀୟ ରାଜପଥରେ ପଳାସୁଣିରୁ ବାଲିକୁଦା ପର୍ଯ୍ୟନ୍ତ ୭୦କିମି ବେଗରେ ଗାଡ଼ି ଯାତାୟାତ କରିପାରିବ। ଏହାଠାରୁ ଅଧିକ ସ୍ପିଡ୍ରେ ଗାଡ଼ି ଚଲାଇଲେ ଜରିମାନା ଆଦାୟ ହେବ ବୋଲି ଜାଣିବାକୁ ମିଳିଛି।
ଜରିମାନା ନଦେଲେ ସୁଧ ଗଣିବ
ଟିଭିଡିଏସ୍ ବ୍ୟବସ୍ଥାରେ ଯେଉଁ ଚାଲାଣ କଟାଯିବ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ ପଇଠ କରିବାକୁ ପଡ଼ିବ। ନଚେତ୍ ଯେତିକି ଟଙ୍କାର ଚାଲାଣ କଟାଯାଇଥିବ ତା’ର ସୁଧ ମୂଳ ହିସାବ କରି ଜମା କରିବାକୁ ପଡ଼ିବ। ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ ନ କଲେ ମୂଳ ସହ ସୁଧ ବଢ଼ି ବଢ଼ି ଚାଲିବ। ଯେତେବେଳେ ଗାଡ଼ିର ଯେ କୌଣସି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଚାଳକ ଆରଟିଓ ଯିବ ସେଠାରେ ସମୂଳସୁଧ ଆଦାୟ ହେବ। ଆବଶ୍ୟକ ପଡ଼ିଲେ ମାମଲା କୋର୍ଟକୁ ଯିବ। ପରୱାନା ମଧ୍ୟ ଜାରି ହେବ ବୋଲି ନିଷ୍ପତ୍ତି ହୋଇଛି।
ଠକଙ୍କୁ କେମିତି ଧରିବେ?
ନିୟମ ଉଲ୍ଲଂଘନକାରୀକୁ ସିସିଟିଭି ଚିହ୍ନଟ କରିବ। ଗାଡ଼ି ନମ୍ବର ଅନୁସାରେ ଚାଳକ ଘରକୁ ଚାଲାଣ ଯିବ। କିନ୍ତୁ ଠକକୁ କେମିତି ଧରିବେ ସେ ନେଇ ପ୍ରଶ୍ନ ଉଠିଛି। କେହି ନିଜ ଗାଡ଼ିରେ ଅନ୍ୟ କାହାର ନମ୍ବର ପ୍ଲେଟ୍ ବ୍ୟବହାର କଲେ ଚାଲାଣ କାହା ଘରକୁ ଯିବ? ଉଲ୍ଲଂଘନକାରୀ ତା’ ବାଟରେ ଚାଲିଯାଇଥିବା ବେଳେ ଯାହା ନମ୍ବର ଜାଲ୍ ହୋଇଥିବ ସେ ଗାଡ଼ିର ମାଲିକ ଫସିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଜରିମାନା ଆଦାୟ ପାଇଁ ଖୋଲିବ ସ୍ବତନ୍ତ୍ର କାଉଣ୍ଟର
ଗାଡ଼ିମୋଟର ଯାଞ୍ଚ ବେଳେ ଉଲ୍ଲଂଘନକାରୀକୁ ଜରିମାନା ପୈଠ କରିବା ପାଇଁ ପୁଲିସ ବାଧ୍ୟ କରିବ ନାହିଁ। ଉଲ୍ଲଂଘନକାରୀ ଚାହିଲେ ତୁରନ୍ତ ଦେଇ ପାରିେବ, ନ ଦେଇ ବି ପାରିବେ। କିନ୍ତୁ ଥରେ ଚାଲାଣ କଟିଲେ ଜରିମାନା ଦେବାକୁ ବାଧ୍ୟ। ଏଣୁ ଜରିମାନା ଆଦାୟ ପାଇଁ କମିସନରେଟ୍ ପୁଲିସ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏଠାରେ ଉଲ୍ଲଂଘନକାରୀ ଜରିମାନା ପୈଠ କରିବାର ସୁଯୋଗ ଦିଆଯିବ।