ରାଲି ପୂର୍ବରୁ ହତ୍ୟା, ସିିସିଟିଭି ଓ ମୋବାଇଲ୍‌ ଡାଟା ଯାଞ୍ଚ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜର ଏକ ସରକାରୀ ସ୍କୁଲ୍‌ ପରିସରରେ ଘଟିଥିବା ହତ୍ୟା ଘଟଣାକୁ ନେଇ ଚର୍ଚା ଜୋର୍‌ ଧରିଛି। ହତ୍ୟାର ଶିକାର ହୋଇଥିବା ପୂର୍ଣ୍ଣଚନ୍ଦ୍ର ରାଜନୀତି କରିବାକୁ ଲକ୍ଷ୍ୟ ରଖିଥିଲେ। ସେଥିପାଇଁ ଗଳିକନ୍ଦିରେ ତାଙ୍କ ନାଁରେ ପୋଷ୍ଟର୍‌ ମରାଯାଇଥିଲା। ବୁଧବାର ବସ୍ତିର ସମସ୍ୟା ନେଇ ରାଲି କରିଥାନ୍ତେ। ସମସ୍ତ ପ୍ରସ୍ତୁତି ବି ସରିଥିଲା। ହେଲେ ରାଲି ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ରାଜନୈତିକ ଶତ୍ରୁତା ରହିଥିବା ସନ୍ଦେହ କରାଯାଉଛି।

ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ପୂର୍ଣ୍ଣଙ୍କୁ ହତ୍ୟା କରାଯାଇଛି। ଏ ନେଇ ପୁଲିସର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସକୁ ଭୟ ନକରି ପୂର୍ଣ୍ଣଙ୍କୁ ଯେଭଳି ନିର୍ମମ ଭବେ ହତ୍ୟା କରାଯାଇଛି ତାହ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଲି ସେତିକି ନୁହେଁ ଅପରାଧୀମାନେ ହତ୍ୟାକାଣ୍ଡ ପରେ ପୁଲିକୁ ଚକ୍‌ମା ଦେଇ ଖସି ପଳାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପୁଲିସର କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ରହିଛି। ତଥାପି ଅପରାଧୀମାନେ ଏଭଳି ବୀଭତ୍ସ ହତ୍ୟା ଘଟାଇଥିଲେ ବି କେହି ଟେର୍‌ ପାଇ ନଥିଲେ। ହତ୍ୟାକାଣ୍ଡର ୬ଘଣ୍ଟା ପରେ ପୁଲିସ ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ତେଣୁ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଏହାଛଡ଼ା ପୂର୍ଣ୍ଣଙ୍କ ଦୁଇଟି ମୋବାଇଲ୍‌ ନମ୍ବରର ଯାଞ୍ଚ ପ୍ରକ୍ରିୟା ଅରମ୍ଭ କରିଛି।

ସନ୍ଧ୍ୟା ନଇଁଲେ ସ୍କୁଲ୍‌ ପରିସରରେ ଆଡ଼ା
ସ୍କୁଲ ପରିସରରେ ହତ୍ୟା ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡ ଘଟଣା ଜାଣିବା ପରେ କେତେକ ଛାତ୍ରଛାତ୍ରୀ ସ୍କୁଲ୍‌ରୁ ଫେରିଯାଇଥିଲେ। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି ଯେ, କିଛିଦିନ ହେବ ସନ୍ଧ୍ୟା ପରେ ସ୍କୁଲ ପରିସରରେ ନିଶାସକ୍ତମାନେ ଆଡ଼ା ଜମାଉଛନ୍ତି। ମଦ ବୋତଲ, ପାଣି ପାଉଚ, ସିଗାରେଟ୍‌ ଖୋଳକୁ ବାରଣ୍ଡା ଉପରେ ଫୋପାଡ଼ି ଯାଉଛନ୍ତି। ଏପରିକି ବୋତଲଗୁଡ଼ିକୁ ଭାଙ୍ଗିବା ଯୋଗୁଁ କାଚ ଏଣେତେଣ ପଡ଼ୁଛି। ଏନେଇ ୧୫ ଦିନ ତଳେ ସେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ପକ୍ଷରୁ ପାଟ୍ରୋଲିଂ କି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ସେ କହିଛନ୍ତି। ପୁଲିସର ଅବହେଳା ଯୋଗୁଁ ଏଭଳି କାଣ୍ଡ ଘଟିଥିବା ଶ୍ରୀମତୀ ମେକାପ କହିଛନ୍ତି।

ସେଲୁନ୍‌ବାଲା ଚିହ୍ନିଲେ
ସକାଳୁ ପୂର୍ଣ୍ଣଙ୍କ ରକ୍ତାକ୍ତ ଶରୀର ମିଳିଥିଲେ ମଧ୍ୟ ପୁଲିସ କି ଆଖପାଖ ଅଞ୍ଚଳର ଲୋକ ତାଙ୍କୁ ଚିହ୍ନିପାରି ନଥିଲେ। ପୂର୍ଣ୍ଣଙ୍କ ପରିଚୟ ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଯାହାକି ପୁଲିସକୁ ଦ୍ୱନ୍ଦ୍ୱରେ ପକାଇଥିଲା। ହେଲେ ଗତ ୨ଦିନ ତଳେ ପୂର୍ଣ୍ଣ ଏକ ସେଲୁନ୍‌ରେ ସେଭିଂ ହୋଇଥିଲେ। ହତ୍ୟାକାଣ୍ଡ ବିଷୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ଏବଂ ପୂର୍ଣ୍ଣଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ସେଠାକାର ଜଣେ ସେଲୁନ୍‌ ମାଲିକ ଏହା ଦେଖି ପୂର୍ଣ୍ଣଙ୍କୁ ଚିହ୍ନି ପାରିଥିଲେ। ଆଉ ପୁଲିସରେ ପୂର୍ଣ୍ଣଙ୍କ ପରିଚୟ ଓ ଠିକଣା ଦେଇଥିଲେ।

ସମ୍ବନ୍ଧିତ ଖବର