ପେଟ୍ରୋଲ ପମ୍ପ ବିସ୍ଫୋରଣ ପଛର ସତ କହିବ ସିସିଟିଭି ଫୁଟେଜ୍

ଭୁବନେଶ୍ବର: ଖୁବ୍ ଶୀଘ୍ର ସାମ୍ନାକୁ ଆସି ପାରେ ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପଛର ସତ । ପ୍ରାଥମିକ ଅନୁସନ୍ଧାନରୁ କିଛି ନୂଆ ତଥ୍ୟ ମିଳିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଏକ ବିସ୍ପୋରଣ ଘଟିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସିସିଟିଭିର ଦୃଶ୍ୟରୁ ଯାହା ଜଣାପଡୁଛି ଗ୍ୟାସ ଟାଙ୍କିରେ ହାଇଡ୍ରୋଲିକ୍ ପ୍ରେସର ଚେକ୍ କରାଯାଉଥିଲା । ପ୍ରେସର ଯାଞ୍ଚ ସମୟରେ ଏଭଳି ଏକ ଅଘଟଣ ଘଟିଛି । ତେବେ ପ୍ରେସରେ ଯାଞ୍ଚ ବେଳେ ସେଠାରେ ଆଇଓସିଏଲ୍ ଅଧିକାରୀ ଓ ଥାର୍ଡପାର୍ଟି କଂଟ୍ରାକ୍ଟର ଉପସ୍ଥିତ ଥିଲେ ନା ନାହିଁ ସେ ନେଇ ତଦନ୍ତ ଚାଲିଛି । ଗତ ୭ ତାରିଖରେ ଘଟିଥିବା ଦୁର୍ଘଟଣାସ୍ଥଳରେ ୩ରୁ ୪ ଜଣ ଉପସ୍ଥିତ ଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଭୁବନେଶ୍ୱରର ଏହି ବିସ୍ଫୋରଣ ଘଟଣାକୁ ହୁଏତ ଲୋକ କିଛି ଦିନ ପରେ ଭୁଲି ଯିବେ, ପୂର୍ବ ଭଳି ପୁଣି ଥରେ ସ୍ୱାଭାବିକ ହେବ ରାଧାନୀରର ଜୀବନଯାତ୍ରା । କିନ୍ତୁ ଏହି ଘଟଣାରେ ଯେଉଁମାନେ ସିଧାସଳଖ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ପରିବାର ଲୋକ କେଉଁ ଭଳି ମାନସିକ ସ୍ଥିତିରେ ଅଛନ୍ତି, ତାହା କଳ୍ପନା ବାହାରେ । ଗଞ୍ଜାମ ଜିଲ୍ଲାର ବାସିନ୍ଦା ସୀମାଞ୍ଚଳ ପରିଡ଼ା ଭୁବନେଶ୍ୱରରେ କାମ କରୁଥିଲେ । ହେଲେ ବିସ୍ଫୋରଣ ପରେ ତାଙ୍କର ଆଉ ଖୋଜ ଖବର ମିଳିନଥିଲା । ପରିବାର ଲୋକ ଭୁବନେଶ୍ୱର ଆସି ଖୋଜାଖୋଜି ବି କଲେ । ହେଲେ ସୀମାଞ୍ଚଳ ମିଳିଲେ ନାହିଁ । ତାଙ୍କ ପାଖରେ ଥିବା ଫଟୋ ଓ ଏଟିଏମ୍ କାର୍ଡ ଘଟଣାସ୍ଥଳରୁ ମିଳିବା ପରେ ଆଉ ଅବୁଝା ରହିଲା ନାହିଁ ଯେ, ଦୁନିଆରେ ଆଉ ନାହାନ୍ତି ସୀମାଞ୍ଚଳ । ତେବେ ସିସିଟିଭି ଫୁଟେଜରୁ ପ୍ରକୃତ ଚିତ୍ର ଆସିଲେ ଘଟଣାସ୍ଥଳରେ ସୀମାଞ୍ଚଳ  ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର