ବିଲ୍‌ଡରଙ୍କୁ ସିଡିଏର ଅନୁକମ୍ପା! ରାସ୍ତା ତାଡ଼ିଦେବାରୁ ଗୃହବନ୍ଦୀ ହେଲା ପରିବାର

ନ୍ୟାୟ ପାଇଁ ଧାରଣାରେ ବସିଲେ

ବାରଙ୍ଗ/ତ୍ରିଶୁଳିଆ: ଆଜି ବାରଙ୍ଗ ତହସିଲ ଅଧୀନ ନରଣପୁର ମୌଜାସ୍ଥିତ ଗୋଚର ଜମିରେ ହୋଇଥିବା ଏକ ଅସ୍ଥାୟୀ ରାସ୍ତାକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ତାଡ଼ି ଦେଇଛି। ରାସ୍ତା ଲମ୍ବିଥିବା ଉକ୍ତ ପ୍ଲଟ୍‌କୁ ଜନୈକ ବିଲ୍ଡର ଲିଜ୍‌ ସୂତ୍ରରେ ନେଇଥିବାରୁ ତାଙ୍କୁ ଦଖଲ ଦେବା ପାଇଁ ସିଡିଏ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମ କରିଥିବା ଜଣାପଡ଼ିଛି। ତେବେ ରାସ୍ତା ତାଡ଼ି ଦେବାରୁ ଗୋଟିଏ ପରିବାର ଗୃହବନ୍ଦୀ ହୋଇପଡ଼ିଛି। ଗୋପାଳନ ଉଦ୍ୟୋଗ କରିଥିବା ଏହି ପରିବାର ଏବେ ବାହାରକୁ ବା‌ହାରିବା ରାସ୍ତା ନପାଇ ଅସୁବିଧାରେ ପଡ଼ିଛି। ଜଣେ ବିଲ୍‌ଡରଙ୍କୁ ଅନୁକମ୍ପା ଦେଖାଇବାକୁ ଯାଇ ଉକ୍ତ ଉଦ୍ୟୋଗର ବିପୁଳ କ୍ଷତି କରାଇଥିବା ଅଭିଯୋଗରେ ଆଜି ସେମାନେ ଘଟଣାସ୍ଥଳରେ ଧାରଣାରେ ବସିଛନ୍ତି।

ଗୋପାଳନ ଉଦ୍ୟୋଗ କରିଥିବା ନିର୍ମଳ କୁମାର ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କ ପରିବାର, ଉଦ୍ୟୋଗର କର୍ମଚାରୀ ଓ ଗୋରୁଗାଈମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ। ମାତ୍ର ଏବେ ସିଡିଏ ପୁଲିସ ବଳ ଲଗାଇ ଏହି ରାସ୍ତାକୁ ତାଡ଼ି ଦେଇଥିବାରୁ ସେମାନେ ଘରୁ ବାହାରି ପାରୁନାହାନ୍ତି। ସେମାନେ ଏକପ୍ରକାର ଗୃହବନ୍ଦୀ ହୋଇ ଯାଇଛନ୍ତି। ଫଳରେ ତାଙ୍କ ଗୋପାଳନ କେନ୍ଦ୍ର ଗାଈଗୋରୁମାନେ ମଧ୍ୟ ବାହାରକୁ ଯିବା ବନ୍ଦ ହୋଇ ଯାଇଛି। ପରିସ୍ଥିତି ଏମିତି ହୋଇଛି ଯେ ସେ ବାଧ୍ୟ ହୋଇ ଗୋପାଳନ ଉଦ୍ୟୋଗ ବନ୍ଦ କରିବେ ଓ ତାଙ୍କ ପରିବାର ତଥା କିଛି କର୍ମଚାରୀ ରୋଜଗାର ହରାଇବେ। ତେଣୁ ସିଡିଏ କର୍ତ୍ତୃପକ୍ଷଙ୍କ ଏହି ଅନ୍ୟାୟ ପ୍ରତିବାଦରେ ସେମାନେ ଧାରଣାରେ ବସିଥିବା କହିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ରାସ୍ତାକୁ ଲାଗି ରହିଥିବା ୪ ଏକ ପରିମିତ ଜମିରେ ଦୀର୍ଘ ବର୍ଷ ହେବ ଘର କରି ରହିବା ସହ ଏକ ଗୋପାଳନ କେନ୍ଦ୍ର କରିଛନ୍ତି। ଗତ ୨୦୧୨ ମସିହ‌ା ପର୍ଯ୍ୟନ୍ତ ନରଣପୁର ମୌଜାର ୩୯୯ ନମ୍ବର ପ୍ଲଟରେ ଥିବା ରାସ୍ତାଟି ଗୋଚର ଜମି ଥିଲା। ୨୦୧୨ ମସିହାରେ ସିଡିଏ କର୍ତ୍ତୃପକ୍ଷ ଏହି ୩୯୯ ନମ୍ବର ପ୍ଲଟକୁ ଗୋଚର ଜମି ହୋଇଥିବା ସତ୍ତ୍ବେ ସାଟେଲାଇଟ୍ ସିଟି କରିବା ନାମରେ କିଣି ନେଇଥିଲେ। ଏବେ ଏହି ବହୁ ମୂଲ୍ୟ ଜମିକୁ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ବିଲ୍‌ଡର ସଂସ୍ଥାକୁ ସିଡିଏ ଲିଜ୍‌ ସୂତ୍ରରେ ଦେଇଛି। ଉକ୍ତ ବିଲ୍ଡର ସଂସ୍ଥାକୁ ଅନୁକମ୍ପା ଦେଖାଇ କମ୍ ମୂଲ୍ୟରେ ଶହେ ବର୍ଷ ପାଇଁ ଲିଜ୍ ସୂତ୍ରରେ ସିଡିଏ ହସ୍ତାନ୍ତର କରିଛି। ଏଥିରେ କାହର ସ୍ବାର୍ଥ ଜଡ଼ିତ ଅଛି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ନିର୍ମଳ ଦାବି କରିଛନ୍ତି। ଏହା ଉପରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷପ ଲୋଡ଼ି ଧାରଣାରେ ବସିଛନ୍ତି ବୋଲି କହିଛନ୍ତି।

ଏ ନେଇ ବାରଙ୍ଗ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ ସିଡିଏ ଜମିଟିକୁ ଅଧିଗ୍ରହଣ କରିବା ପରେ ଉଚ୍ଛେଦ କରିଛି। ତେବେ କାହାରି ଗମନାଗମନ ବାଧାପ୍ରାପ୍ତ ହେବା ଉଚିତ୍ ନୁହେଁ। ସେ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମିର ସ୍ଥିତି ଅନୁଧ୍ୟାନ କରି ଆର୍‌ଆଇ ରିପୋର୍ଟ ଦେବା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର

Comments are closed.