ଭୁବନେଶ୍ବର: ରାଜଧାନୀର ପରିବର୍ଦ୍ଧିତ ଚିତ୍ରକୁ ଆଖି ଆଗରେ ବିଡିଏ ପ୍ରସ୍ତୁତ କରିଛି ବିସ୍ତୃତ ବିକାଶ ଯୋଜନା (ସିଡିପି)-୨୦୪୦। ସିଡିପି-୨୦୧୦ରେ ବିଡିଏ ଅଧୀନରେ ୪୧୯ ବର୍ଗ କିମି ଥିବା ବେଳେ ନୂଆ ସିଡିପିରେ ୬୯୧ ବର୍ଗକିମି ଅଞ୍ଚଳ ସାମିଲ ହୋଇଛି। ଯେଉଁଥିରେ ଖୋର୍ଦ୍ଧା ବ୍ଲକ୍, ପିପିଲି ଏନ୍ଏସି ଓ ବାଲିଅନ୍ତା ବ୍ଲକ୍ର ୩୫୧ରାଜସ୍ବ ଗ୍ରାମ ରହିଛି। ସହର ଉପକଣ୍ଠରେ ସର୍ବାଧିକ ଗ୍ରାମ ରହିଛି। ଠିକା ସଂସ୍ଥାଙ୍କ ଜରିଆରେ ଡ୍ରାଫ୍ଟ ପ୍ରସ୍ତୁତ ହେଲା। ୨ ମାସ ସମୟ ଦେଇ ବିଡିଏ ଆପତ୍ତି ପ୍ରସ୍ତାବ ଗ୍ରହଣ କଲା। ସେଥିରେ ବି ଦୁଇଟି ଅଞ୍ଚଳର ନକ୍ସା ୧୩ ଦିନ ପର୍ଯ୍ୟନ୍ତ ଖୋଲିଲାନି। ଏଣେ ଆପତ୍ତି/ପ୍ରସ୍ତାବ ଗ୍ରହଣ ତାରିଖ ବି ପରିବର୍ଦ୍ଧିତ ହେଲାନି। ଫଳରେ ଅବଧି ବଢ଼ାଇବାକୁ ବିଡିଏକୁ ୧୧ଟି ରାଜସ୍ବ ଗ୍ରାମରୁ ୩ ହଜାରରୁ ଊର୍ଦ୍ଧ୍ବ ଜମି ମାଲିକ ନିବେଦନ କରିଥିଲେ। କିନ୍ତୁ ଅବଧି ବୃଦ୍ଧି ହେଲା ନାହିଁ। ଫଳରେ ପ୍ରାୟ ହଜାରେ ଅଭିଯୋଗ ଆସିଥିବା ବେଳେ ଗଦା ଗଦା ଅଭିଯୋଗ ବିଡିଏ ପାଖକୁ ଆସି ପାରିନାହିଁ। ପ୍ରତ୍ୟେକ ଦିନ ଶହ ଶହ ହିତାଧିକାରୀ ବିଡିଏ ଦଉଡ଼ି ଦଉଡ଼ି ହତାଶ ହେଉଛନ୍ତି।
ଏହାର ଏକ ବଡ଼ ଉଦାହରଣ ହେଉଛି ଗୋଠପାଟଣା ଜୋନ୍। ଜାନୁଆରି ୩୧ ତାରିଖରୁ ନକ୍ସା ପ୍ରକାଶ ପାଇଥିଲେ ମଧ୍ୟ ଏଥିରେ ଗୋଠପାଟଣା ନଥିଲା। ବାରମ୍ବାର ଅଭିଯୋଗ ହେବାରୁ ୫୦ ଦିନ ପରେ ଏହି ଜୋନ୍ର ନକ୍ସା ବିଡିଏ ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିଲା। ବିଡିଏ କିନ୍ତୁ ଏହାକୁ ଅପ୍ଲୋଡ୍ କରିଥିବା କହିଥିଲା। ନେଟ୍ ଧିମା ହେଉଥିବାରୁ ଦେଖାଯାଉନଥିବା କହି ଏଡ଼ାଇ ଯାଇଥିଲା ବିଡିଏ। ଏଣେ ପିପିଲି ଓ କଲ୍ୟାଣପୁରର ନକ୍ସା ମଧ୍ୟ ଖୋଲୁନଥିଲା। ଏଣୁ ଏହି ସବୁ ଅଞ୍ଚଳର ଜମିମାଲିକମାନେ ନିଜ ଜମିର ପରିବର୍ତ୍ତିତ ସ୍ଥିତି ବିଷୟରେ ଜାଣି ପାରିନଥିଲେ। ବିଡିଏ ଜାଣି ଜାଣି ଏଭଳି କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ। କ୍ଷେତ୍ର ପରିଦର୍ଶନ ନ କରି, ଘରେ ବସି ଗୁଗୁଲ୍ ମ୍ୟାପ୍ରୁ ଏଭଳି ସିଡିପି ପ୍ରସ୍ତୁତ ହୋଇଥିବା ସେମାନେ କହିଥିଲେ। ଏବେ ବିଡିଏ ଦଉଡ଼ି ଦଉଡ଼ି ହିତାଧିକାରୀମାନେ ହତାଶ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
ନିକଟ ଅତୀତରେ ଟିପି ସ୍କିମ୍ରେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ମହିଳା ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନ୍ଧାରୁଆ ଅଞ୍ଚଳରେ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ଚନ୍ଦକା ଥାନା ପୁଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିଲା। ଏବେ ଏହି ସିଡିପିକୁ ନେଇ ଉତ୍ତେଜନାମୂଳକ ପରତିସ୍ଥିତି ସୃଷ୍ଟି ହୋଇଛି। ଯେଉଁମାନେ ଆପତ୍ତି ଜଣାଇବା ପାଇଁ ସୁଯୋଗ ପାଇ ନାହାନ୍ତି ସେମାନେ କାହାରିକୁ ଗାଁରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। ଗୋଠପାଟଣା ମୌଜାର କାଳୁ ସ୍ବାଇଁ କହିଛନ୍ତି, ଆମ ପାଖକୁ କେହି ଆସିଲେନି। ଘରେ ବସି ନକ୍ସା ପ୍ରସ୍ତୁତ କଲେ। ଆମେ ଅନ୍ଲାଇନ୍ରେ କେମିତି ଯାଞ୍ଚ କରନ୍ତି ଜାଣି ପାରିଲୁନି। କିନ୍ତୁ ଧାନ ବିଲକୁ କୁଆଡ଼େ ରାସ୍ତା କରିଦେଇଛନ୍ତ ବୋଲି ଜାଣିବାକୁ ପାଇବା ପରେ ବିଡିଏ ଯାଇଥିଲୁ। ହେଲେ ଆଉ ତାରିଖ ନାହିଁ କହି ବିଦା କରିଦେଲେ। ଆମ ପାଖକୁ ଆସନ୍ତୁ ରାସ୍ତା କରିବାକୁ, ଗାଁରେ ପୂରେଇ ଦବୁନି। ସେହିଭଳି ପିପିଲି ଓ କଲ୍ୟାଣପୁରରେ ମଧ୍ୟ ଏଭଳି ଗଦା ଗଦା ଅଭିଯୋଗ ରହିଛି। ହଜାର ହଜାର ଜମିମାଲିକ ନିଜ ଜମିର ପରିବର୍ତ୍ତିତ ସ୍ଥିତିକୁ ନେଇ ଆପତ୍ତି ରହିଥିଲେ ମଧ୍ୟ ଜାଣି ଅଭିଯୋଗ କରିପାରୁ ନାହାନ୍ତି। ଫଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ‘ୟେଲୋ ଜୋନ୍’ ଏଥର ‘ରେଡ୍ ଜୋନ୍’ ହୋଇଯାଇଥିବାରୁ ଜମିମାଲିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସିଡିପି-୨୦୧୦ରେ ହଜାର ହଜାର ଜମି ମାଲିକ ଆଜି ବି ଫସି ରହିଥିବା ବେଳେ ଏହି ୨୦୪୦ ସିଡିପି ଏକ ଜୁମ୍ଲା ବୋଲି ଅଧିକାଂଶ ଜମିମାଲିକ କହିଛନ୍ତି।