ଧରାପଡ଼ିଲା ନିମ୍ନମାନର କାଛୁକୁଣ୍ଡିଆ ଔଷଧ

ଭୁବନେଶ୍ବର: ‘ନିରାମୟ’ ଯୋଜନାରେ ରାଜ୍ୟ ଔଷଧ ଯୋଗାଣ ନିଗମ ବା ଓଏସ୍‌ଏମ୍‌ସିଏଲ ଜରିଆରେ ଲୋକମାନଙ୍କୁ ଦିଆଯାଉଥିବା କାଛୁକୁଣ୍ଡିଆ ଲୋସନ୍ ନିମ୍ନମାନର ଥିବା ଧରାପଡ଼ିଛି। ଇପିଏମ୍‌ ରେଟ କଣ୍ଟ୍ରାକ୍ଟ ଜରିଆରେ ରାଜ୍ୟର ଏକ ସଂସ୍ଥା ଔଷଧ ନିଗମକୁ ଏହି ଔଷଧ ଯୋଗାଇ ଆସୁଥିଲା। ତେବେ ଯାଞ୍ଚ ସମୟରେ ଏହି ଲୋସନ୍ ନିମ୍ନମାନର ଜଣାପଡ଼ିବା ପରେ କମ୍ପାନିକୁ ନିଗମ ପକ୍ଷରୁ କଳା ତାଲିକାଭୁକ୍ତ କରାଯାଇଛି। ଚଳିତବର୍ଷର ନିଗମରେ କଳାତାଲିକାଭୁକ୍ତ ହୋଇଥିବା ଏହା ପ୍ରଥମ କମ୍ପାନି। ନିଗମ ପକ୍ଷରୁ ୩/୪ କମ୍ପାନି ଜରିଆରେ କାଛୁକୁଣ୍ଡିଆ ଲୋସନ୍ ଟେଣ୍ଡର ଜରିଆରେ କିଣାଯାଉଛି। ରାଜ୍ୟର ଏକ ଘରୋଇ ଔଷଧ କମ୍ପାନି ଗାମା ବେଞ୍ଜିନ୍ ହେକ୍ସାକ୍ଲୋରାଇଡ ୱିଥ୍ ସେଟ୍ରିମିଡ୍(୧୦୦ଏମଏଲ୍ ବୋତଲ) ଲୋସନ୍ ଯୋଗାଉଥିଲା। ତେବେ କମ୍ପାନି ପକ୍ଷରୁ ଗତବର୍ଷ ଏପ୍ରିଲ ମାସରେ ପ୍ରସ୍ତୁତ କରାଯାଇଥିବା ୨ଟି ବ୍ୟାଚ୍‌ର ଲୋସନ୍ ପରୀକ୍ଷା ସମୟରେ ନିମ୍ନମାନର ଜଣାପଡ଼ିଥିଲା। ଏହାକୁ ନେଇ କମ୍ପାନି କର୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କମ୍ପାନି ପକ୍ଷରୁ ଏହି ଲୋସନ୍‌କୁ ଅନ୍ୟ ପରୀକ୍ଷାଗାରରେ ପରୀକ୍ଷା କରିବା ପାଇଁ କୁହାଯାଇଥିଲା। ସେସବୁ ପରୀକ୍ଷାଗାରରେ ମଧ୍ୟ ଏହି ଦୁଇ ବ୍ୟାଚ୍‌ର ଲୋସନ୍ ନିମ୍ନମାନର ରହିଥିବା ସ୍ପଷ୍ଟ ହୋଇଥିଲା। ଏହି ରିପୋର୍ଟ ଆଧାରରେ କମ୍ପାନିକୁ କଳାତାଲିକାଭୁକ୍ତ କରାଯାଇଛି। ଆସନ୍ତା ୩ ବର୍ଷ ପାଇଁ ସଂପୃକ୍ତ କମ୍ପାନି ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ। ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କାଛୁକୁଣ୍ଡିଆ ଲୋସନ୍‌ ବିଭିନ୍ନ ସରକାରୀ ଡାକ୍ତରଖାନାକୁ ବଣ୍ଟାଯିବା ପୂର୍ବରୁ ଏହାକୁ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ସମୟରେ ଦୁଇଟି ବ୍ୟାଚ୍‌ ନିମ୍ନମାନର ଥିବା ସ୍ପଷ୍ଟ ହୋଇଥିଲା। ତେଣୁ ନିଗମର ନିୟମ ଅନୁସାରେ ଏହି କମ୍ପାନିକୁ କଳା ତାଲିକାଭୁକ୍ତ କରି ଦିଆଯାଇଛି। ଅନ୍ୟ କମ୍ପାନିମାନଙ୍କ ଜରିଆରେ ଏହି ଲୋସନ୍‌ ଯୋଗାଣ ଜାରି ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର