ଫଗୁଣର ମହକ, ମନେପଡ଼େ ସେଦିନର ହୋଲି…

ଫଗୁଣର ମହକରେ ପୁଲକିତ ହୋଇଛି ମନ। ଚାରିଆଡ଼େ ଖାଲି ଉତ୍ସବ ହିଁ ଉତ୍ସବ। ହୋଲିରେ ରଙ୍ଗ ଖେଳିବାକୁ ମନରେ ନାହିଁ ନଥିବା ଉତ୍କଣ୍ଠା। ତେବେ ରଙ୍ଗର ଏହି ରଙ୍ଗିନ ପର୍ବରେ ବେଶି ମନେ ପଡ଼େ ପିଲାଦିନ। ମନେ ପଡ଼ିଯାଏ ସାଙ୍ଗସାଥୀଙ୍କ ମେଳରେ ଏହି ରଙ୍ଗ ପର୍ବର ଅବକାଶ। ପିଚିକାରିରୁ ରଙ୍ଗ ମାରିବାର ସେଇ ଅପାସୋରା ମୁହୂର୍ତ ସବୁ ସ୍ମୃତି ହୋଇ ଚାରି ପାଖେ ଘୂରି ବୁଲନ୍ତି। ସେଲେବ୍ରିଟିମାନେ ମଧ୍ୟ ସେଥିରୁ ବାଦ୍‌ ଯାଇ ନାହାନ୍ତି। ହୋଲିକୁ ନେଇ ପିଲା ବେଳର କିଛି ଅପାସୋରା ମୁହୂର୍ତ ଏବେ ବି ସେମାନଙ୍କ ମନରେ ତାଜା ଅଛି। ସେହିଭଳି କିଛି ସେଲେ‌ବ୍ରିଟିଙ୍କ ହୋଲି ସ୍ମୃତିକୁ ନେଇ ଆମର ଉପସ୍ଥାପନା…

ଦଳ ହୋଇ କଲୋନିରେ ବୁଲିବୁଲି ରଙ୍ଗ ଖେଳୁଥିଲୁ
ହୋଲି ଦିନ ଘରେ ରଙ୍ଗ ଫୋପାଡ଼ି ସକାଳୁ ଉଠାଇ ଦିଅନ୍ତି। ବେଶି ଡେରି ଯାଏ ରଙ୍ଗ ଖେଳିବାକୁ ଘରେ ମନା କରନ୍ତି। ସେଥିପାଇଁ ସକାଳ ୧୦ଟା ଭିତରେ ରଙ୍ଗ ଖେଳ ସରିଯାଏ। ପିଲାଦିନେ ସ୍କୁଲ୍ ସାଙ୍ଗମାନଙ୍କ ସହ ମିଶି ରଙ୍ଗ ଖେଳୁଥିଲି। ଖାଲି ସ୍କୁଲ୍ ସାଙ୍ଗ ନୁହେଁ, ଯେହେତୁ ପିଲାଦିନେ ଗୋଟେ କଲୋନିରେ ରହୁଥିଲି, ସେଠିକାର ପିଲାମାନଙ୍କ ସହ ବି ରଙ୍ଗ ଖେଳ ଖୁବ୍‌ ଜମୁଥିଲା। ତେଣୁ ଆମ ଗୋଟେ ଦଳ ହୋଇ ନିଜଠାରୁ ୪ରୁ ୫ବର୍ଷ ବଡ଼ ପିଲାଙ୍କ ସହିତ ମିଶି କଲୋନିରେ ବୁଲି ବୁଲି ରଙ୍ଗ ଖେଳୁଥିଲି।
ଦେବାଶିଷ ମହାନ୍ତି (ଭାରତୀୟ ଦଳର ପୂର୍ବତନ କ୍ରିକେଟର)

ପିଲାଦିନେ ରଙ୍ଗ କିଣିବାକୁ ପଇସା ନଥିଲା
ପିଲାଦିନେ ରଙ୍ଗ ଖେଳିବାକୁ ମୋତେ ଏତେ ସୁଯୋଗ ମିଳୁ ନ ଥିଲା। କାରଣ ରଙ୍ଗ କିଣିବାକୁ ମୋ ପାଖେ ପଇସା ନ ଥାଏ କି ଘରେ ମଧ୍ୟ ପଇସା ଦିଅନ୍ତି ନାହିଁ। ଆମ ଗାଁ’ରେ ଯେତେବେଳେ କ୍ଲବ୍ ପିଲା ଓ ସରପଞ୍ଚ ମିଶି ହୋଲି ଖେଳନ୍ତି, ସେମାନଙ୍କ ହାତରୁ ଯେଉଁ ରଙ୍ଗ ତଳେ ପଡ଼ିଯାଏ, ତା’କୁ ଆଣି ମୋ ଦେହରେ ନିଜେ ବୋଳି ହୁଏ। ଆଉ ସବୁଠୁ ମଜା କଥା ହେଲା, ହୋଲି ଦିନ ଯେହେତୁ ସବୁ ସ୍କୁଲ ଛୁଟି ଥାଏ ତା’ ପରଦିନ ମୁଁ ଓ ମୋର ସାଙ୍ଗମାନେ ରଙ୍ଗ ପକେଟ୍‌ରେ ନେଇ ସାଙ୍ଗମାନଙ୍କୁ ଲଗାଉ। ରଙ୍ଗରେ ରାସାୟନିକ ପଦାର୍ଥ ମିଶୁଥିବାରୁ ମା’ ମତେ ରଙ୍ଗ ଖେଳିବାକୁ ବାରଣ କରନ୍ତି। ତଥାପି ରଙ୍ଗ ଖେଳେ।
ଦୂତି ଚାନ୍ଦ (ଅଲିମ୍ପିଆନ୍‌)

ହୋଲି ଆସିଲେ ‘ତୋର ମୋର ଯୋଡ଼ି ସୁନ୍ଦର’ କଥା ମନେ ପଡ଼େ
ହୋଲି ଆସିଲେ ମୋର ଓଡ଼ିଆ ଚଳଚ୍ଚିତ୍ର ‘ତୋର ମୋର ଯୋଡ଼ି ସୁନ୍ଦର’ର ଟାଇଟଲ ସଙ୍ଗୀତ କଥା ମନେ ପଡ଼େ। ସେହି ଗୀତରେ ମୋର ସବ୍ୟସାଚୀଙ୍କ ସହିତ ହୋଲି ଖେଳିବାର ଦୃଶ୍ୟ ଥାଏ। ସେଥିପାଇଁ ମୁଁ ବହୁତ ଚିନ୍ତାରେ ଥାଏ ଯେ କ’ଣ କରିବି? କିନ୍ତୁ ଯେତେବେଳେ ଗୀତ ବାଜିବା ଆରମ୍ଭ ହେଲା, ତା’ପରେ ମୁଁ ସେ ଗୀତରେ ଅଭିନୟ କରିବାରେ ହଜିଗଲି। ଗୀତରେ ଏତେ ମଜି ଯାଇଥିଲି ଯେ ସବୁ ଭୁଲି ଯାଇଥିଲି। ଛୋଟବେଳେ ଘରେ ମୋ ଭଉଣୀମାନଙ୍କ ସହ ରଙ୍ଗ ଖେଳୁଥିଲି। ଆଉ ଗୁରୁଜନଙ୍କ ପାଦରେ ରଙ୍ଗ ପକେଇ ହୋଲି ମନାଉଥିଲୁ।
ଅର୍ଚ୍ଚିତା ସାହୁ (ଅଭିନେତ୍ରୀ)

ସାଙ୍ଗମାନଙ୍କ ଘର ବୁଲି ରଙ୍ଗ ମାରେ
ପିଲାଦିନେ ହୋଲି ଖେଳିବାକୁ ମା’ ବାହାରକୁ ଛାଡ଼ନ୍ତି ନାହିଁ। ମାତ୍ର ସାଙ୍ଗମାନେ ଘରକୁ ଆସି ହୋଲି ଖେଳିବା ପାଇଁ ଡାକିଲେ ବି ମା’ ମନା କରିପାରନ୍ତି ନାହିଁ। ତା’ପରେ ସାଙ୍ଗମାନଙ୍କ ଘର ବୁଲି ବୁଲି ରଙ୍ଗ ମାରି ହୋଲି ଖେଳୁ। ହୋଲିର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ହେଉଛି, ଦିନେ ଲଭ୍ ଡଟ୍ କମ୍ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଚାଲିଥାଏ। ଫିଲ୍ମରେ ହୋଲି ଖେଳର କିଛି ଦୃଶ୍ୟ ଥାଏ। ତେଣୁ ସୁଟିଂରେ ହୋଲି ଖେଳ ସହ ସେଠା‌ରେ ସୁଟିଂ ଟିମ୍‌ ସଦସ୍ୟଙ୍କ ସହ ହୋଲି ଖେଳରେ ମଜି ଯାଇଥିଲି।
ସବ୍ୟସାଚୀ ମିଶ୍ର (ଅଭିନେତା)

ବେଲୁନରେ ରଙ୍ଗ ପାଣି ପୂରାଇ ଫୋପାଡ଼ୁ
କଟକର ବାସିନ୍ଦା ହୋଇଥିବାରୁ ଯେକୌଣସି ପର୍ବ ପର୍ବାଣୀ ଆସିଲେ, ଆମେ ଆଡ଼ମ୍ବର ସହକାରେ ପାଳନ କରୁ। ଛୋଟବେଳେ ଘର ଅଗଣାରେ ଏକ ବଡ଼ ପାତ୍ରରେ ରଙ୍ଗ ପାଣି ହୁଏ। ଆମେ ତାକୁ ପିଚିକାରୀରେ ଭର୍ତି କରି ବାହାରେ ଯାଉଥିବା ଲୋକଙ୍କୁ ପିଚିକାରୀ ମାରି ବହୁ ମଜା ନେଉ। ବେଲୁନରେ ରଙ୍ଗ ପାଣି ଭର୍ତି କରି ଲୋକଙ୍କ ଉପରକୁ ଫୋପାଡ଼ୁ। କାନ୍ଥକୁ ପାପୁଲି ଚିହ୍ନ ରଙ୍ଗରେ ଭର୍ତି କରିଦେଉ। ତେବେ ମଝିରେ ଜଣେ ମୋ ମୁହଁରେ କାଣ୍ଟି କଳା ମାରିଦେବାରୁ ମୁଁ ଆଉ ଦୁଇ ବର୍ଷ ଯାଏ ରଙ୍ଗ ଖେଳି ନଥିଲି। ତେବେ ସଂପ୍ରତି କରୋନା ଭୂତାଣୁ ଯୋଗୁଁ ପରିବାର ମଧ୍ୟରେ ରଙ୍ଗ ଖେଳିବାକୁ ପସନ୍ଦ କରିବି।
ଶ୍ରୀତମ ଦାସ (ଅଭିନେତା)

ସମ୍ବନ୍ଧିତ ଖବର