ପାଳିତ ହେଲା ଇଦ୍‌-ଉଜ୍‌-ଜୁହା

ଭୁବନେଶ୍ୱର: ସକାଳୁ ସକାଳୁ ଉତ୍ସବମୁଖର ହୋଇପଡ଼ିଥିଲା ସାରା ସହର। ଚଳଚଞ୍ଚଳ ହୋଇପଡ଼ିଥିଲା ରାଜଧାନୀର ମସ୍‌ଜିଦ୍‌ ସମୂହ। ସକାଳ ୮ଟାରୁ ସମୂହ ନମାଜ ପାଠରେ ପରିବେଶରେ ଆଧ୍ୟାତ୍ମିକତା ଭରି ଯାଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ମସ୍‌ଜିଦ୍‌ ଓ ଇଦ୍‌ଗାହଗୁଡ଼ିକରେ। ତା’ ସାଙ୍ଗକୁ ଶୃଙ୍ଖଳା ରକ୍ଷା ପାଇଁ ମସ୍‌ଜିଦ୍‌ ସାମ୍ନାରେ ପୁଲିସ ମଧ୍ୟ ତତ୍ପର ହୋଇ ଉଠିଥିଲା। ଅବସର ଥିଲା ମୁସ୍‌ଲିମ୍‌ ସମ୍ପ୍ରଦାୟର ଅନନ୍ୟ ପର୍ବ ଇଦ୍‌-ଉଜ୍‌୍‌-ଜୁହା। ନୂଆ ପୋଷାକ ପିନ୍ଧି ସକାଳୁ ରୋଜା ପାଳନ କରି ମୁସଲ୍‌ମାନ୍‌ ଭାଇମାନେ ପହଞ୍ଚିଥିଲେ ମସ୍‌ଜିଦ୍‌ରେ। ଇଦ୍‌-ଉଜ୍‌-ଜୁହା। ତ୍ୟାଗ ଓ ବଳିଦାନର ପର୍ବ। ଇଦ୍‌-ଉଲ୍‌-ଫିତର ଯିବାର ୨ ମାସ ୧୦-୧୨ ଦିନ ପରେ ଚାନ୍ଦକୁ ଦେଖି ଏହି ପର୍ବର ଦିନ ଧାର୍ଯ୍ୟ କରାଯାଇଥାଏ। ଏହି ପର୍ବ ୩ ଦିନ ମଧ୍ୟ ପାଳନ କରାଯାଇଥାଏ। ପୂର୍ବ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ସେମାନଙ୍କ ନାମରେ ମୁସଲ୍‌ମାନ୍‌ ଭାଇମାନଙ୍କୁ ଆଜି କିଛି କୁର୍ବାନୀ ଦେବାକୁ ପଡ଼ିଥାଏ। ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ରେ ପ୍ରାୟ ୨୫୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ସର୍ବାଧିକ ୧୦ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଯଦୁପୁର ଇଦ୍‌ଗାହ ପଡ଼ିଆରେ ଏକତ୍ର ହୋଇଥିଲେ। ସେହିପରି ୟୁନିଟ୍‌-୪ କ୍ୟାପିଟାଲ୍‌ ମସ୍‌ଜିଦ୍‌, ଅହମଦିଆ ମୁସ୍‌ଲିମ୍‌ ସମାଜ ମସ୍‌ଜିଦ୍‌, ୯ ନମ୍ବର, ୮ ନମ୍ବର, ୩ ନମ୍ବର, ଶିଶୁଭବନ ଛକ ଝରଣା ସାହି, ସୈନିକ ସ୍କୁଲ, ଆଇଆର୍‌ସି ଭିଲେଜ, ଝାରପଡ଼ା ଓ ସୁନ୍ଦରପଦା ଆଦି ଅଞ୍ଚଳରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସକାଳ ୮ଟାରୁ ୧୦ଟା ଭିତରେ ନମାଜ ପାଠ କରାଯାଇଥିଲା। ପରେ ପରସ୍ପରକୁ କରମର୍ଦ୍ଦନ ଓ ଆଲିଙ୍ଗନ କରି ଇଦ୍‌ ମୁବାରକ୍‌ ଜଣାଇବା ସହ ଦାନ ଧର୍ମ କରି ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର