ଭୁବନେଶ୍ୱର: ଝଟକୁଥିଲା ଚିକ୍‌ମିକ୍‌ ଆଲୁଅ। ଝଲସୁଥିଲା ରାଜପ୍ରାସାଦ ଭଳି ଆଖିଖୋସା ତୋରଣ। ମନ କିଣିନେଉଥିଲା ୭୦ କିସମର ଖାଦ୍ୟ। ପୁଣି ଖୋଲିଥିଲା ମୃଦୁ ପାନୀୟର ଲମ୍ବା ସମ୍ଭାର। ଆପଣ ଯଦି ଭାବୁଛନ୍ତି ଇଏ ଏକ ବିବାହ ଉତ୍ସବର ଚିତ୍ର, ତେବେ ଆପଣଙ୍କ ଅନୁମାନ ଏକଦମ୍‌ ଠିକ୍‌। ମାତ୍ର ଏମିତି ସେମିତି ବାହାଘର ନୁହେଁ ବରଂ ଇଏ ଥିଲା ମନ୍ତ୍ରୀ ଘର ପୁଅ ବାହାଘର। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିବାହ ଭୋଜିର ଏଇ ବିଶେଷ ଆସର ଜମିଥିଲା ବରମୁଣ୍ଡା ପଡ଼ିଆରେ। ଯେଉଁଠି ଅତିଥି ଥିଲେ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଅଧିକାଂଶ ମନ୍ତ୍ରୀ। ପ୍ରାକ୍ତନ ମନ୍ତ୍ରୀଙ୍କଠାରୁ ନେଇ ବିଧାୟକ ଓ ପ୍ରଶାସକଙ୍କ ଲମ୍ବା ଧାଡ଼ି ବି ଲାଗିଥିଲା। ଅତିଥିମାନେ ମଞ୍ଚ ଉପରେ ବସିଥିବା ନବ ଦମ୍ପତି ରୁଦ୍ର ଓ ଜାଗୃତିଙ୍କୁ ଶୁଭକାମନା ଜଣାଇବା ସହ ଆଶୀର୍ବାଦ ଦେଇଥିଲେ।

Advertisment

ଏହି ବାହାଘର ପାଇଁ ୧୦ ଦିନ ତଳୁ ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିଲା ବିଶେଷ ଆୟୋଜନ। ଖାସ୍‌କରି ମୁଖ୍ୟ ତୋରଣ ଓ ମଞ୍ଚ ପ୍ରସ୍ତୁତି ପାଇଁ ଆସିଥିଲେ ୨୦ ଜଣ କୋଲକାତା କାରିଗର। ପ୍ଲାଏରେ ପ୍ରସ୍ତୁତ ତୋରଣ ଆଖିଖୋସି ଦେବା ଭଳି ପ୍ରସ୍ତୁତ କରିଥିଲେ ବାହଘରର ସାଜସଜା କରୁଥିବା ସଂସ୍ଥା ଏଣ୍ଟର୧୦ ବିଜ୍‌ନେସ୍‌ ଭେନ୍‌ଚର୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌। ପଡ଼ିଆର ସାଜସଜା ପାଇଁ ଲାଗିଥିଲେ ୭୦ ଜଣ କାରିଗର। ଅତିଥିଙ୍କ ପାଇଁ ଚାଇନିଜ୍‌ କ୍ୟୁସିନ୍‌, ଇଟାଲିଆନ୍‌ କ୍ୟୁସିନ୍‌ଠୁ ନେଇ ମଟନ ବିରିୟାନି, ବାଲ୍‌ଟି ମଟନ୍‌, ଚିକେନ୍‌ ଚାମ୍ପ୍‌, ପ୍ରନ୍‌ ମଲାଇ କରି, ବାଲି ପ୍ରନ୍‌, ଆସୋର୍ଟେଡ୍‌ ନାନ୍‌ଠୁ ନେଇ ନିରାମିଷ ଓ ଆମିଷ ଆଇଟେମ୍‌ର ଅପୂର୍ବ ସମ୍ଭାର ମେଲିଥିଲା। ଯାହାକୁ ପ୍ରସ୍ତୁତ କରୁଥିଲେ ହାସିମ୍‌ କ୍ୟାଟରର୍ସ। ଏଥିପାଇଁ ନିୟୋଜିତ ହୋଇଥିଲେ ୧୦୦ ଜଣ ରୋଷେୟା। ୩ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ ଉପସ୍ଥିତ ରହି ଏହାର ପରିଚାଳନା ଭାର ନେଇଥିଲେ ହାସିମ୍‌ କ୍ୟାଟରର୍ସର ନଓ୍ଵାଜ ହାସିମ୍‌।