ମାନବ ପ୍ରେମର ଦିନ ଭାବେ ପାଳିଲେ, ବାପୁନ ଓ ସୌଭାଗ୍ୟବତୀଙ୍କ ନିଆରା ଭାଲେଣ୍ଟାଇନ୍‌ ଡେ’

ଭୁବନେଶ୍ୱର: ଭାଲେଣ୍ଟାଇନ ଡେ’ କେବଳ ନିଜ ପ୍ରେମିକ କିମ୍ବା ପ୍ରେମିକା ସହ ବିତାଇବାର ଦିନଟିଏ ନୁହେଁ। ଏହା ମାନବତାକୁ ଭଲ ପାଇବାର ଦିନଟିଏ, ମାନବପ୍ରେମରେ ଉତ୍ସର୍ଗ ହେବାର ଦିନଟିଏ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖିଛନ୍ତି ଭୁବନେଶ୍ବରର ଯୁବକ ବାପୁନ ମେକାପ। ନିଜ ଭାବୀପତ୍ନୀ ସୌଭାଗ୍ୟବତୀ ପରିଡ଼ାଙ୍କ ସହ ସେ ମିଶି ସେ ମାନବ ସେବାରେ ପ୍ରେମ ସପ୍ତାହକୁ ଉତ୍ସର୍ଗ କରିଛନ୍ତି। ରାଜଧାନୀ ଉପକଣ୍ଠରେ ଥିବା ଆଦିବାସୀବହୁଳ ଫିରିକିନାଳୀ ଗ୍ରାମର ଏକ ଅସହାୟ ପରିବାରକୁ ସେମାନଙ୍କ ଘରର ଶୁଦ୍ଧିକ୍ରିୟା କରିବା ପାଇଁ ସାହାଯ୍ୟ କରିଛନ୍ତି। ଏଥିସହ ରକ୍ତହୀନତାରେ ପୀଡ଼ିତ ଦୁଇ ଭଉଣୀଙ୍କ ଔଷଧ ଖର୍ଚ୍ଚ ବି ଏହି ପ୍ରେମୀଯୁଗଳ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବାପୁନ ଓ ସୌଭାଗ୍ୟବତୀ ମାସକ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହା ଭିତରେ ପ୍ରେମ ସପ୍ତାହ ପଡ଼ିଥିବାରୁ ଏହାକୁ ସେମାନେ ନିଆରା ଢଙ୍ଗରେ ଉଭୟ ପାଳନ କରିଛନ୍ତି। ଫିରିକିନାଳୀ ଗାଁର ଏକ ଅସହାୟ ପରିବାରକୁ ସାହାଯ୍ୟ କରିଛନ୍ତି। ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ଥିବା ସମସ୍ତ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ଅସହାୟ ପରିବାରର ମୁରବୀ ପରେଶ ଲୋହାର ୫ଦିନ ତଳେ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ସ୍ବର୍ଗତ ଲୋହାରଙ୍କ ପରିବାର ଶୁଦ୍ଧିକ୍ରିୟା କରିବା ପାଇଁ ଅସମର୍ଥ ଥିଲେ। ବାପୁନ ଓ ସୌଭାଗ୍ୟବତୀ ଏହି ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଦଶାହରେ ୪୦୦ ଲୋକଙ୍କ ଖାଇବା ପାଇଁ ଉଭୟ ଆୟୋଜନ କରିଛନ୍ତି।

ଖାଲି ସେତିକି ନୁହେଁ, ଉକ୍ତ ଗ୍ରାମର ଆଉ ଏକ ପରିବାରର ଦୁଇ ଭଉଣୀ (ନନ୍ଦିନୀ ଓ ପୂଜା)ଙ୍କ ଔଷଧ ଖର୍ଚ୍ଚର ଦାୟିତ୍ବ ମଧ୍ୟ ସେମାନେ ନେଇଛନ୍ତି। ଭାଲେଣ୍ଟାଇନ ଡେ’ରେ ଖର୍ଚ କରିବାକୁ ଥିବା ଅର୍ଥକୁ ଏହି କାମରେ ବିନିଯୋଗ କରିଛନ୍ତି ବାପୁନ। ନନ୍ଦିନୀ ଓ ପୂଜା ଦୀର୍ଘ ଦିନ ଧରି ରକ୍ତହୀନତାର ଶିକାର ହୋଇଥିବା ଏହି ଦୁଇ ଭଉଣୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଭାଲେଣ୍ଟାଇନ ଡେ’କୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଅନ୍ତର୍ଜାତୀୟ ମାନବ ଅଧିକାର ଓଡ଼ିଶା ଶାଖାର ଯୁଗ୍ମ ସଚିବ ଶଶାଙ୍କ ଶେଖର ପଣ୍ଡା ବାପୁନଙ୍କୁ ଅନୁପ୍ରାଣିତ କରିଛନ୍ତି। ଅନ୍ୟ ଯୁବପିଢ଼ିଙ୍କ ପାଇଁ ଏହି ପ୍ରେମୀଯୁଗଳ ଉଦାହରଣ ପାଲଟିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର