ଭୁବନେଶ୍ୱର: ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତି ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ପ୍ରଥମେ ବ୍ରହ୍ମପୁରର ସୂରଜ ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଏହାପରେ ମଥୁରାର ସଞ୍ଜୟ ଶର୍ମାଙ୍କ ଦଳର ହୋଲି ଓ ମୟୂର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେବେ ଆସାମର ଗିରିରାଜ ଚନ୍ଦନ ଓ ସାଥୀଙ୍କ ଦ୍ବାରା ପରିବେଷିତ ଆସାମ ଲୋକନୃତ୍ୟ ପୁଣି ମଞ୍ଚ ଦୁଲୁକାଇଥିଲା। ଇଜେଡ୍‌ସିସି ଓ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ କରିଥିଲେ।

Advertisment

ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବିଜେପି ନେତା ସମୀର ମହାନ୍ତି, ଓଡ଼ିଶା ଅଲ୍‌ରାଉଣ୍ଡର ସମ୍ପାଦକ ବଂଶୀଧର ଦାସ, ଚଳଚ୍ଚିତ୍ର ପ୍ରଯୋଜକ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ଏଭରେଷ୍ଟ ଆରୋହୀ ସିଦ୍ଧାର୍ଥ ରାଉତରାୟ, କର୍ପୋରେଟର ତଥା ଅନୁଷ୍ଠାନର ଉପସଭାପତି ବିରଞ୍ଚି ନାରାୟଣ ମହାସୂପକାର, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଶିବାନନ୍ଦ ରାୟ, ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲିଙ୍ଗରାଜ ଥାନା ଅଧିକାରୀ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, କ୍ଷେତ୍ରବାସୀ ନିଯୋଗ, ସମର୍ଥା ନିଯୋଗ, ମହାରଣା ସେବାୟତ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା।