ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ସନ୍ଧ୍ୟାରେ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ଦିନ ତମାମ ରଥ ଉପରେ ଶ୍ରୀଜିଉ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆତସବାଜି ଓ ରୋଷଣୀ କରାଯାଇ ଶ୍ରୀଲିଙ୍ଗରାଜଙ୍କ ସହ ମା’ରୁକ୍ମଣୀ, ଦୋଳଗୋବିନ୍ଦଙ୍କୁ ସେବାୟତମାନେ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। ତେବେ ଚନ୍ଦନ ଯାତ୍ରାରେ ଚାପ ଖେଳର ପ୍ରତିଶ୍ରୁତି ପରେ ମା’ପାର୍ବତୀ କବାଟ ଖୋଲିଥିଲେ। ମନ୍ଦିରର ନୀତି ଅନୁଯାୟୀ ରଥ ଉପରେ ପୂର୍ବାହ୍ଣରେ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପରେ ଶୁଖୁଲି ଭୋଗ, ମଧ୍ୟାହ୍ନ ଧୂପରେ ପଣା ଭୋଗ କରାଯାଇଥିଲା।

Advertisment

ଚନ୍ଦନ ଯାତ୍ରାର ପ୍ରତିଶ୍ରୁତି ପରେ କବାଟ ଖୋଲିଲା

ରାତି ପ୍ରାୟ ସାଢ଼େ ୭ଟା ପରେ ଠାକୁରଙ୍କ ନିକଟକୁ ମାଟି ହାଣ୍ଡିରେ ରସଗୋଲା ଭୋଗ ହେବାକୁ ଯାଇଥିଲା। ରାତି ୮ଟାରେ ଚାହାଣି ମଣ୍ଡପ ଠାରେ ମା’ପାର୍ବତୀ ଓ ଶ୍ରୀ ଲିଙ୍ଗରାଜଙ୍କ ଭେଟ ଆଳତୀ କରାଯାଇଥିଲା। ଏହା ପରେ ଆତସବାଜୀ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନିତୀ ପୂଜା ପରେ ପ୍ରାୟ ୮ଟା୪୦ ମିନିଟ୍‌ ବେଳକୁ ଦେବାଦେବୀଙ୍କୁ ସେବାୟତମାନେ ରଥ ଉପରୁ ପହଣ୍ଡି କରି ନେଇଥିଲେ। ରଥ ନିକଟରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗୋଟିପୁଅ ନୃତ୍ୟ, ଲଉଡ଼ି ଖେଳ, ଓଡ଼ିଶୀ ସଂକୀର୍ତ୍ତନ ମୃଦଙ୍ଗ, ଢୋଲ, କାହାଳୀ, ବନାଟି, ନାଗା ନୃତ୍ୟ ସହ ସମର୍ଥାଙ୍କ ଘଣ୍ଟମାଡ଼ରେ ସ୍ଥାନୀୟ ଅଞ୍ଚଳ ଉଛୁଳି ପଡୁଥିଲା। ଠାକୁରଙ୍କ ସ୍ୱର୍ଣ୍ଣାଦ୍ରୀ ବିଜେ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। 

ଚନ୍ଦନ ଯାତ୍ରାର ପ୍ରତିଶ୍ରୁତି ପରେ କବାଟ ଖୋଲିଲା ମହାପ୍ରଭୁ ରାମେଶ୍ୱର ଯାତ୍ରାରେ ମା’ପାର୍ବତୀଙ୍କୁ ସାଙ୍ଗରେ ନେଇ ନଥିଲେ। ଏଣୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଆଜି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ବେଳେ ମା’ ଅଭିମାନରେ କବାଟ ବନ୍ଦ କରିଥିଲେ। ତେବେ ମା’ଙ୍କ ଅଭିମାନକୁ ଥଣ୍ଡା କରିବାକୁ ଯାଇ ତାଙ୍କୁ ୨୨ଦିନ ଚନ୍ଦନ ଯାତ୍ରାରେ ସାଙ୍ଗରେ ନେବେ ବୋଲି ମହାପ୍ରଭୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମା’ କବାଟ ଖୋଲିଥିଲେ। ସେବାୟତଙ୍କ ମଧ୍ୟରେ ବଚନିକାର ଏହି ମନୋରମ ଘଟଣାକୁ ଦେଖିବାକୁ ଅନେକ ସଂଖ୍ୟାରେ ଭକ୍ତ ରୁଣ୍ଡ ହୋଇଥିଲେ। ପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହୋଇ ଦକ୍ଷୀଣିଗୃହକୁ ପ୍ରବେଶ କରିଥିଲେ। ଏହା ପରେ ଚତୁର୍ଦ୍ଦଶୀ ନୀତି ଅନୁଯାୟୀ ବିଳମ୍ବିତ ରାତିରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ସେହିପରି ପହୁଡ଼ ପଡ଼ିବା ବେଳକୁ ରାତି ପ୍ରାୟ ୨ଟା ହୋଇଯାଇଥିଲା।