ମନ ମୋହିଲା ‘ଆମେ ସଭିଏଁ ଓଡ଼ିଆ’

ନୃତ୍ୟଗୀତରେ କମ୍ପିଲା ଉତ୍କଳ ମଣ୍ଡପ

ଭୁବନେଶ୍ୱର: ଜନଜାତି ବର୍ଗଙ୍କ କଳା ଓ ସଂସ୍କୃତି ବିକାଶ, କଳାକୃତିର ସୁରକ୍ଷା, କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ଆଜି ଜନଜାତି ଅଧ୍ୟୁଷିତ ୯ଟି ଜିଲ୍ଲା ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ବଡ଼ ପ୍ୟାକେଜ୍‌ ଘୋଷଣା କରିଥିବା ବେଳେ ୯ଟି ଜିଲ୍ଲାରୁ ଆଦିବାସୀ କଳାକାରମାନଙ୍କ ନୃତ୍ୟଗୀତରେ କମ୍ପି ଉଠିଥିଲା ମଣ୍ଡପ। ଏହି ଉତ୍ସବରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ କଳାକାରଙ୍କ ନୃତ୍ୟ ବେଶ ଉଚ୍ଚକୋଟୀର ଥିଲା। ଏଥିସହ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ଓଡ଼ିଶୀ ଓ ଆଦିବାସୀ ନୃତ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ନୃତ୍ୟାଭିନୟ ସମସ୍ତଙ୍କ ମନ ମୋହିଥିଲା। କଳାକାରମାନେ ଲକ୍ଷ୍ମୀପୁରାଣ ଓ ବିଶ୍ୱାବସୁଙ୍କ କାହାଣୀକୁ ମଞ୍ଚରେ ପରିବେଷଣ କରିବା ସହ ‘ଆମେ ସଭିଏଁ ଓଡ଼ିଆ’ ନୃତ୍ୟ ମାଧ୍ୟମରେ କଟକ, ସମ୍ବଲପୁର, ବ୍ରହ୍ମପୁର ଅଞ୍ଚଳକୁ ଏକାଠି ତୋଳି ଧରିଥିଲେ। ଏହିସବୁ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।

ସମ୍ବନ୍ଧିତ ଖବର