ଭୁବନେଶ୍ବର: ବକୁଳ ଫାଉଣ୍ଡେସନ୍ ପକ୍ଷରୁ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରି, ଫରେଷ୍ଟ ପାର୍କ ଓ ପୋଖରୀପୁଟସ୍ଥିତ କଳାଭୂମିଠାରେ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖରେ ଥିବା ବସ୍ତିର ପିଲାମାନଙ୍କୁ ନେଇ ବିଭିନ୍ନ କୌତୂହଳପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଇଛି। କଳା, ହସ୍ତଶିଳ୍ପ, ନାଚ, ଗୀତ, ବିଭିନ୍ନ ଖେଳ ଓ ଗପ କାହାଣୀ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହାସହ ପିଲାମାନେ କିପରି ବକୁଳ ଲାଇବ୍ରେରି ଆସି ମାଗଣାରେ ବହି ପଢ଼ିପାରିବେ, ସେନେଇ ମଧ୍ୟ ପିଲାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁର୍ଗାମଣ୍ଡପ ବସ୍ତି, ଟିମ୍ବର କଲୋନି ବସ୍ତି, ରାଜକୁମାର ବସ୍ତି, ତ୍ରିରଙ୍ଗା ବସ୍ତିର ପିଲାମାନେ ବକୁଳ ଲାଇବ୍ରେରିରେ ଏକାଠି ହୋଇଥିଲେ। ସେହପରି ପୋଖରୀପୁଟସ୍ଥିତ କଳାଭୂମି ଲାଇବ୍ରେରିଠାରେ ଗଣ୍ଡମୁଣ୍ଡା ତାରିଣୀ ବସ୍ତି, ଗଣ୍ଡମୁଣ୍ଡା ଓ ଭକ୍ତ ମଧୁନଗରରୁ ପିଲାମାନେ ଆସିଥିଲେ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଚନ୍ଦ୍ରଶେଖରପୁରସ୍ଥିତ ବକୁଳ ଲାଇବ୍ରେରିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି।