ସଂଘର୍ଷ ଓ ସଂଘାତ ସାହିତ୍ୟର ମୁଖ୍ୟ ସ୍ବର: ରାମଚନ୍ଦ୍ର

‘ତୃତୀୟ ଅକ୍ଷୟ ସ୍ମାରକୀ ଉପନ୍ୟାସ’ ଉତ୍ସବ

ଭୁବନେଶ୍ବର: ସଂଘର୍ଷ ଓ ସଂଘାତ ହିଁ ସବୁ ଭାଷୀ ସାହିତ୍ୟର ମୁଖ୍ୟ ସ୍ବର। ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ଧାରା ପୂର୍ବାପେକ୍ଷା ବୃଦ୍ଧି ପାଇଛି। ପୁଣିଥରେ ଓଡ଼ିଆ ସାହିତ୍ୟର ଉପନ୍ୟାସ ଜଗତ ନିଜ କଳେବର ଫେରି ପାଇଛି। ‘ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ୍‌’ ଏବଂ ‘ଆଦ୍ୟା ପ୍ରକାଶନୀ’ର ମିଳିତ ପ୍ରୟାସରେ ଜୟଦେବ ଭବନରେ ଆୟୋଜିତ ତୃତୀୟ ‘ଅକ୍ଷୟ ଉପନ୍ୟାସ ସ୍ମାରକୀ ପୁରସ୍କାର’ କାର୍ଯ୍ୟକ୍ରମ‌ର ମୁଖ୍ୟ ଅତିଥି ବିଶିଷ୍ଟ ଔପନ୍ୟାସିକ ରାମଚନ୍ଦ୍ର ବେହେରା ଏହା କହିଛନ୍ତି।

ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶ୍ରୀ ବେହେରା ଏକ ଇଂରାଜୀ ଉପନ୍ୟାସର ଉଦାହରଣ ଦେଇ କହିଲେ ଯେ ଜଣେ କୃଷ୍ଣକାୟ ଗାଡ଼ିଚାଳକ ତା’ ଜୀବନ ବଞ୍ଚାଇବାକୁ କିଭଳି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରେ, ସେହି ଉପନ୍ୟାସରୁ ଏକ ସଂଘର୍ଷର କାହାଣୀ ବୁଝିହେବ। ସମ୍ପ୍ରତି ପ୍ରତି ଗଳ୍ପ, ଉପନ୍ୟାସରେ ଏହି ସ୍ବର ମିଳିଥାଏ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପ୍ରଖ୍ୟାତ ସାହିତ୍ୟିକା ବନଜ ଦେବୀ କହିଲେ ଯେ ସାହିତ୍ୟର ଏକ ବଳିଷ୍ଠ ଅଙ୍ଗ ହେଉଛି ଉପନ୍ୟାସ। ଗୋଟିଏ ଉପନ୍ୟାସରୁ ଗୋଟିଏ ଜାତି ଓ ଦେଶର ସଭ୍ୟତା, ସଂସ୍କୃତି ଓ ଜନତାଙ୍କ ଜୀବନଧାରା ବାରିହୋଇଯାଏ। ଉପନ୍ୟାସ ହେଉଛି ଜୀବନ ଓ ସମୟର ଯୁଗଳବନ୍ଦୀ। ପ୍ରତିଭା ରାୟ ଟ୍ରଷ୍ଟ ଏପରି ଏକ ପୁରସ୍କାର ଯୋଜନା କାର୍ଯ୍ୟକାରୀ କରି ଉପନ୍ୟାସର ପ୍ରବାହମାନ ଧାରାକୁ ଚଳଚଞ୍ଚଳ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ଯଥାର୍ଥରେ ତାହା ପ୍ରଶଂସନୀୟ।

ସଭାପତିତ୍ବ ଅଭିଭାଷଣରେ ଡ. ରାୟ କହିଲେ ଯେ ଆଧୁନିକ ମଣିଷ ଓ ତା’ର ସମସ୍ୟା ଗ୍ରାମ୍ୟ ଜୀବନରୁ ବିଚ୍ଛିନ୍ନ ହୋଇଯାଇଛି। ଆଜି ଭାରତୀୟ ସାହିତ୍ୟରେ ଗାଁର ମୁହଁ ଦିଶୁ ନାହିଁ। ଆଜିର ପୁରସ୍କୃତ ଉପନ୍ୟାସ ‘ଗଲାଣି ତ ଗଲା କଥା’ ହେଉଛି ନିଚ୍ଛକ ଗ୍ରାମ୍ୟ ଜୀବନର ଏକ କଳାତ୍ମକ ଚିତ୍ରପଟ୍ଟ। ଅନୁଷ୍ଠାନର ଉପସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଆଦ୍ୟାଶ ଦାସ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ। ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର୍‌ ବସନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟର ସଦସ୍ୟ ଲଳିତ ଦାସ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ସଦସ୍ୟା ଅସିତା ମହାପାତ୍ର ମଞ୍ଚାସୀନ ଥିଲେ। ସାହିତ୍ୟିକ ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ଔପନ୍ୟାସିକ ନିର୍ମଳ ରାଉତଙ୍କୁ ତାଙ୍କ ଲିଖିତ ‘ଗଲାଣି ତ ଗଲା କଥା’ ପାଇଁ ‘ତୃତୀୟ ଅକ୍ଷୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁସ୍ତକର ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କୁ ‘ସୁଧୀ ପ୍ରକାଶନ ସମ୍ମାନ’ ଓ ଯୁବ ଲେଖକ ରଜତ ମିଶ୍ରଙ୍କୁ ‘ପ୍ରିୟ ପାଠକ ସମ୍ମାନ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର