ଭୁବନେଶ୍ବର: ଦିନ ସାରା ବୁଲାବୁଲି ଭୋଜିଭାତ। ସଞ୍ଜରେ ହୋଟେଲ୍, କ୍ଲବ୍, ରିସର୍ଟ, ପବ୍, ମଲ୍, ଆପାର୍ଟମେଣ୍ଟ ଗୁଡ଼ିକରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। କେଉଁଠି ମିଞ୍ଜିମିଞ୍ଜି ଆଲୁଅରେ ନର୍ତ୍ତକୀଙ୍କ ମନଲୋଭା ନୃତ୍ୟ ମନ ଜିଣୁଥିଲା ତ କେଉଁଠି ବାହୁରେ ବାହୁ ଛନ୍ଦି ନାଚୁଥିଲେ ଯୋଡ଼ିମାନେ। ଲାଇଭ୍ ମ୍ୟୁଜିକ୍ ସାଙ୍ଗକୁ ଡିଜେର ଧକ୍ ଧକ୍ ଶବ୍ଦ ବଢ଼ାଉଥିଲା ହୃଦ୍ସ୍ପନ୍ଦନ। କଣ୍ଠଶିଳ୍ପୀଙ୍କ ଯାଦୁର ତାଳେତାଳେ ତାଳେ ଝୁମିଥିଲେ ଦର୍ଶକ। ଗାଲା ଡିନର୍ରେ ଅନ୍ଲିମିଟେଡ୍ ଖାଦ୍ୟ-ପାନୀୟ ବି ଜମିଥିଲା। ଘଣ୍ଟାର କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ଆଙ୍କରଙ୍କ ମତୁଆଲା କଣ୍ଠରେ ଆରମ୍ଭ ହୋଇଯାଇଥିଲା କାଉଣ୍ଟ ଡାଉନ୍। ରାତି ୧୨ ବାଜିବା କ୍ଷଣି ରାଜଧାନୀରେ ସୃଷ୍ଟି ହୋଇଥିଲା ଦୀପାବଳିର ଭ୍ରମ। ଏମିତି ପୁରୁଣା ବର୍ଷ ୨୦୨୪କୁ ବିଦାୟ ଓ ନୂଆ ବର୍ଷ ୨୦୨୫କୁ ହୋଇଥିଲା ସ୍ବାଗତ। କମିସନରେଟ୍ ପୁଲିସର କଡ଼ା କଟକଣା ସତ୍ତ୍ବେ ଭୁବନେଶ୍ବରର ହୋଟେଲ୍, ବାର୍, କ୍ଲବ୍ ଗୁଡ଼ିକରେ ସେଲିବ୍ରେସନର ଧମାଲ୍ ଦେଖିବାକୁ ମିଳିଥିଲା। ସ୍ବସ୍ତି ପ୍ରିମିୟମ୍ରେ ବଲିଉଡ୍ ନାଇଟ୍ସରେ କୋଲକତାର ଡିଜେ ସୁରଭି କମାଲ୍ କରିଥିଲା। ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ପଣ୍ଡା। ତାଙ୍କ ସହ ନାମିଦାମି ବେଲି ଡ୍ୟାନ୍ସର, ମୁମ୍ବାଇର ଡ୍ୟାନ୍ସ ଗ୍ରୁପ୍ ମତୁଆଲା କରିଥିଲା।
ସ୍ବସ୍ତି ଗ୍ରାଣ୍ଡ୍ରେ ‘ନିୟୁ ଇୟର ହଙ୍ଗାମା’, ଲାଇଭ୍ ମ୍ୟୁଜିକ୍ର ତାଳେ ତାଳେ ଝୁମିଥିଲେ ଦର୍ଶକ। ସେହିପରି ହୋଟେଲ୍ ଏମ୍ପାୟର୍ସ, ହୋଟେଲ୍ କ୍ରାଉନ୍, ସାଣ୍ଡି ଟାୱାର, ହୋଟେଲ୍ ୱେଲ୍କମ୍, ହୋଟେଲ୍ ମେ ଫାୟାର, ହୋଟେଲ୍ ପର୍ଲ ଭଳି ପ୍ରାୟ ଛୋଟବଡ଼ ୩୦୦ ହୋଟେଲ୍ରେ ଜମିଥିଲା ଜିରୋ ନାଇଟ୍ ମସ୍ତି। ଭୁବନେଶ୍ବର କ୍ଲବ୍ରେ ସହରର ଭିଆଇପି, ଭିଭିଆଇପିମାନେ ସେଲିବ୍ରେସନରେ ସାମିଲ ହୋଇଥିଲେ। ଏଥିସହ ୧୦ ହଜାରରୁ ଅଧିକ ଆପାର୍ଟମେଣ୍ଟ ଓ କଲୋନିରେ ମଧ୍ୟ ସାରା ରାତି ଉତ୍ସବ ମନା ଯାଇଥିଲା। ଏସ୍ପ୍ଲାନେଡ୍ ଭଳି ଅନେକ ମଲ୍ ସମ୍ମୁଖରେ ମଧ୍ୟ ଜିରୋ ନାଇଟ୍ ଜମିଥିଲା। ରାଜଧାନୀର ଅଧିକାଂଶ ବସ୍ତିରେ ସନ୍ଧ୍ୟାରୁ ଭୋଜି ଭାତର ଆସର ଜମିଥିଲା। ଏଠି ଡିଜେ ବଜାଇ ନାଚିଥିଲେ ବସ୍ତିବାସିନ୍ଦା। ରାତି ଅଧରେ ଆଉ କିଛି ସାମାଜିକ ସଙ୍ଗଠନ ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ ପାଇଁ ବାହାରିଥିଲେ। ହାତରେ କମ୍ବଳ ଓ ଖାଦ୍ୟ ପୁଡ଼ିଆ ଧରି ବାହାରେ ଶୋଇଥିବା ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଠିକ୍ ସେମିତି ଅନେକ ଯୁବକ ଯୁବତୀ ରାତି ଅନିଦ୍ରା ହୋଇ ରାସ୍ତା ଓ କାନ୍ଥରେ ନୂଆ ବର୍ଷର ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ। ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ଅନୁମତି ଥିଲେ ହେଁ କିଛି ସ୍ଥାନରେ ସକାଳ ପର୍ଯ୍ୟନ୍ତ ଚାଲିଥିଲା ନି୍ୟୁ ଇୟର ପାର୍ଟି।