ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଆଲୋକର ପର୍ବ ଦୀପାବଳି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧାର ଉପରେ ଆଲୋକର ଜୟକୁ ଦୀପାବଳି ଭାବେ ପାଳନ କରାଯାଏ। ଏଥିପାଇଁ ଗାଁରୁ ସହର ସର୍ବତ୍ର ଉତ୍ସବମୁଖର ହୋଇଉଠେ। ରାତିପାହିଲେ ଦୀପାବଳି। ତେଣୁ ଘରେଘରେ ଦୀପାବଳି ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଗଲାଣି। ଅନ୍ୟକୁ ଖୁସି ବାଣ୍ଟିବା ଓ କାହା ପାଇଁ ଅନ୍ଧାରର ପରିବେଶ ସୃଷ୍ଟି ନ କରିବା ହେଉଛି ଏହି ମହାନ ପର୍ବର ଉଦ୍ଦେଶ୍ୟ। ତେଣୁ ଦୀପାବଳିରେ ସେଲିବ୍ରିଟିମାନେ କ’ଣ କରିବେ ଓ କେମିତି ଦୀପାବଳି ପାଳନ କରିବେ ଓ ସମାଜକୁ ସେମାନଙ୍କ ବାର୍ତ୍ତା କ’ଣ, ତାହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା ‘ସେଲିବ୍ରିଟିଙ୍କ ଦୀପାବଳି’...
ମା’ଙ୍କ ହାତ ତିଆରି କାକରା ଖାଇବି
ମୁଁ ଫିଲ୍ମ ସୁଟ୍ ପାଇଁ କୋଲକାତାରେ ଥିଲି। କେବଳ ଦୀପାବଳି ପାଳିବାକୁ ଘରକୁ ଯାଉଛି। କାର୍ତ୍ତିକ ମାସ ଚାଲିଥିବାରୁ ଘରେ ସାଦା ଶାକାହାରୀ ଖାଦ୍ୟ ଖାଇବି। ମା’ଙ୍କ ହାତ ତିଆରି ମିଠା କାକରା ମୋର ପ୍ରିୟ। ପିଲାବେଳେ ବାଣ ଫୁଟାଉଥିଲି। ଏବେ ବାଣ ଫୁଟାଉନାହିଁ। ପରିବେଶ ପ୍ରଦୂଷଣ ରୋକିବା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ କଷ୍ଟ ନଦେବାକୁ ବାଣ ଫୁଟାଉନାହିଁ। ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ହେଲେ, ସେଭଳି ଖୁସିର କିଛି ମାନେ ନ ଥାଏ। ତେଣୁ ସେଇ ପଇସା ଖର୍ଚ୍ଚ କରି ଅନ୍ୟକୁ ଖୁସି ବାଣ୍ଟିବା କାମ କରୁଛି। ଗୀତ ଗାଇ, ନାଚିକୁଦି ଓ ଦୀପ ଜାଳି ଦୀପାବଳି ପାଳନ କରିବି।
ଶିବାନୀ ସଙ୍ଗୀତା, ଅଭିନେତ୍ରୀ
ମାଉସୀଘରେ ଏ ବର୍ଷ ଦୀପାବଳି
ପ୍ରତିବର୍ଷ ଦୀପାବଳିରେ ବାହାରେ ରହୁଥିଲି। ଏଥର ମଧ୍ୟ ଗୋଟିଏ ସୋ’ ଥିଲା। କିନ୍ତୁ ସେହି ସୋ’ ପାଇଁ ଯିବିନି ବୋଲି ମନା କରିଛି। ଏଥର ପରିବାର ସହିତ ମାଉସୀଘରେ ଦୀପାବଳି ପାଳିବି। ଭାଇନା, ଭାଉଜ, ଭଉଣୀଙ୍କ ସହ ମଜା କରିବି। ଶାଢ଼ି ପିନ୍ଧି ସଜ ହେଇ ରଙ୍ଗୋଲି ପକେଇବୁ। ରସଗୋଲା, ବର୍ଫି ମୋର ବହୁତ ପସନ୍ଦ। ସବୁଜ ବାଣ ଫୁଟେଇବି। ଦୀପାବଳି ପାଳିବା ପାଇଁ ମୋର ବାର୍ତ୍ତା ହେଉଛି କି ସମସ୍ତେ ପରିବାର ସହିତ ସୁରକ୍ଷିତ ଭାବେ ଦୀପାବଳି ପାଳନ୍ତୁ। ସଚେତନ ରହି ସମସ୍ତେ ଖୁସି ହେଲେ ଭଲ ଲାଗିବ।
ଭୂମିକା ଦାସ, ଅଭିନେତ୍ରୀ
ସମସ୍ତେ ସୁରକ୍ଷିତ ରହି ଦୀପାବଳି ପାଳନ୍ତୁ
ପିଲାବେଳେ ପେପରରେ ରାବଣ ବନାଉଥିଲି। ତାକୁ ଦେଖିବାକୁ ଲୋକ ଆସୁଥିଲେ। ହେଲେ ଏବେ ଆଉ ସେଥିପାଇଁ ସମୟ ହେଉନି। ପରିବାର ସହିତ ଦଶହରା ଓ ଦୀପାବଳି ପାଳିବାକୁ ଯେଉଁଠି ଥିଲେ ବି ଆସେ। ଏବେ ଗାଁକୁ ଆସିଛି। ଭୋଜିଭାତ ହେବ। ବାଣ ଫୁଟେଇ ପରିବାର ଓ ସାଙ୍ଗସାଥୀଙ୍କ ସହ ଦୀପାବଳି ପାଳିବି। ପ୍ରଦୂଷଣ କମ୍ କରୁଥିବା ବାଣ ଫୁଟାଇବି। ଏହି ସମୟରେ ବହୁ ଅଘଟଣ ଖବର ନଜରକୁ ଆସେ। ସମସ୍ତେ ସୁରକ୍ଷିତ ରହି ଦୀପାବଳି ପାଳନ୍ତୁ ବୋଲି ଆଶା କରୁଛି।
ସ୍ବରାଜ ବାରିକ, ଅଭିନେତା
ପ୍ରଦୂଷଣମୁକ୍ତ ଦୀପାବଳି ପାଳିବି
ବାଣ ଫୁଟାକୁ ମୁଁ ସମ୍ପୂର୍ଣ୍ଣ ବିରୋଧ କରେ। ପ୍ରଦୂଷଣ ପୃଥିବୀର ସବୁଠାରୁ ବଡ଼ ସମସ୍ୟା। ତେଣୁ ବାୟୁମଣ୍ଡଳକୁ ଶୁଦ୍ଧ ରଖିବା ପାଇଁ ବାଣ ଫୁଟାଇବାରୁ ବିରତ ରହିବାକୁ ଅନୁରୋଧ କରୁଛି। ଏଥିରୁ ନିବୃତ୍ତ ରହି ସମସ୍ତେ ଦୀପାବଳି ପାଳିବାକୁ ମୁଁ ଅନୁରୋଧ କରୁଛି। ଦୀପ ଜାଳି ରଙ୍ଗୋଲି ପକାଇ ଦୀପାବଳି ପାଳିବି। ଆଲୋକର ପର୍ବରେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହେଉ। ଅନ୍ତରର ଦୀପ ପ୍ରଜ୍ବଳିତ ହେଉ। ବାହ୍ୟ ଆଡ଼ମ୍ବରଠାରୁ ସମସ୍ତେ ଦୂରରେ ରୁହନ୍ତୁ।
ମୃତ୍ୟୁଞ୍ଜୟ ରଥ, ସଂସ୍କୃତିବିତ୍