‌ସେଲିବ୍ରିଟିଙ୍କ ଭାଲେଣ୍ଟାଇନ୍‌, ପ୍ରତିଟି ଦିନ ମୋର ଭାଲେଣ୍ଟାଇନ୍‌ ଡେ’

ପ୍ରତିଟି ଦିନ ମୋର ଭାଲେଣ୍ଟାଇନ୍‌ ଡେ’
ଆମର ବଙ୍ଗାଳୀ ପରିବାର। କଲେଜରେ ପଢ଼ୁଥିବା ବେ‌େଳ ସରସ୍ୱତୀ ପୂଜାକୁ ଆମେ ଭାଲେଣ୍ଟାଇନ୍‌ ଡେ’ ଭାବେ ପାଳନ କରୁ। ହଳଦିଆ ଶାଢ଼ି ପିନ୍ଧି କଲେଜ ଯାଉ। ସାଙ୍ଗମାନଙ୍କ ସହ ଖୁବ୍‌ ମଜାମସ୍ତି କରୁ। ବାନ୍ଧବୀମାନେ ମୋତେ ଟେଡ୍ଡି, ଗୋଲାପ ଫୁଲ ଓ କେତେ କ’ଣ ଉପହାର ଦିଅନ୍ତି। ସେ କଥା ମନେ ପଡ଼ିଲେ, ପୁରୁଣା ଦିନଗୁଡ଼ିକ ଆଖିଆଗରେ ନାଚିଯାଏ। ତେବେ ବାହାଘର ପରେ ମୋ ପରିବାର ମୋତେ ଏତେ ଭଲ ପାଇବା ଦେଉଛନ୍ତି ଯେ ମୋର ପ୍ରତିଟି ଦିନ ଭାଲେଣ୍ଟାଇନ୍‌ ଡେ’ ଭଳି ବିତୁଛି।
ଝିଲିକ୍‌ ଭଟ୍ଟାଚାର୍ଯ୍ୟ, ଅଭିନେତ୍ରୀ
ଇକୋ ରିଟ୍ରିଟ୍‌ରେ କଟିଲା
ଏ ପ୍ରେମ ସପ୍ତାହରେ ମୋର ବିଶ୍ବାସ ନାହିଁ। କିସ୍‌ ଡେ’, ହଗ୍‌ ଡେ’ ଆଦି ପାଶ୍ଚାତ୍ୟ ସଭ୍ୟତା। କିନ୍ତୁ ଏହି ସପ୍ତାହରେ ମୁଁ ମୋ ପରିବାରକୁ ପୂରା ସମୟ ଦିଏ। ଏ ବର୍ଷ ମୁଁ ମୋ ପରିବାର ସହ ଭିତରକନିକା ଇକୋ ରିଟ୍ରିଟ୍‌ ବୁଲିବାକୁ ଯାଇଥିଲି। ମୋ ମତରେ ଭଲେଣ୍ଟାଇନ୍‌ ଡେ’ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ସୀମିତ ନ ରହିବା ଉଚିତ। ଏହି ଦିନ ପରିବାରଲୋକଙ୍କ ସହ ସମୟ ବିତାଇଲେ ପରସ୍ପର ମଧ୍ୟରେ ଭଲ ପାଇବା ବଢ଼ିଥାଏ। ଏହା ହିଁ ଆମ ଭାରତୀୟ ସଂସ୍କୃତି ଆମକୁ ଶିକ୍ଷା ଦେଇଥାଏ।
ଶ୍ରୀତମ ଦାସ, ଅଭିନେତା
ପ୍ରେମୀଯୁଗଳଙ୍କ ପାଇଁ ଦିନ
ମୁଁ ଏବେ ମୁମ୍ବାଇରେ ସୁଟିଂରେ ବ୍ୟସ୍ତ ଅଛି। କିନ୍ତୁ ଭାଲେଣ୍ଟାଇନ୍‌ ଡେ’କୁ ସମସ୍ତ ପ୍ରେମୀଯୁଗଳ ମନଭରି ଉପଭୋଗ କରନ୍ତୁ ବୋଲି ମୋର ଶୁଭେଚ୍ଛା। ଏହି ଦିନଟି ସ୍ବତନ୍ତ୍ର ଭାବେ ପ୍ରେମୀଯୁଗଳମାନଙ୍କ ପାଇଁ, ଏଥିରେ ଦ୍ବିମତ ନାହିଁ। ଏଣୁ ନିସଂକୋଚରେ ସମସ୍ତେ ନିଜ ମନର ମଣିଷ ସହ ମନଖୋଲି କଥା ହୁଅନ୍ତୁ। ଉପହାର, ସର୍‌ପ୍ରାଇଜ୍‌ ଦିଅନ୍ତୁ। ମୋର ଏଠି ଭାଲେଣ୍ଟାଇନ୍‌ ଡେ’ ମୋ ପ୍ରିୟ ବନ୍ଧୁମାନଙ୍କ ସହ କଟିବ।
ପ୍ରକୃତି ମିଶ୍ର, ଅଭିନେତ୍ରୀ
ଯେ କେହି ବି ହୋଇପାରନ୍ତି
ମୋ ବାହାଘରକୁ ଏବର୍ଷ ୪ ପୂରିବ। ଭାଲେଣ୍ଟାଇନ୍‌ ଡେ’ ରେ ସେମିତି କିଛି ଯୋଜନା ନାହିଁ। ପୂରା ଭଲେଣ୍ଟାଇନ ସପ୍ତାହ ମୁଁ ପାଳନ କରିଥିଲି। ଟେଡି ଡେ’ ରେ ଟେଡି ଗିଫ୍ଟ ଦେଇଥିଲି, ରୋଜ ଡେ’ ରେ ଗୋଲାପ ବି ଦେଇଥିଲି। ସେହିଭଳି ଭଲେଣ୍ଟାଇନ୍‌ ଡେ’ ଦିନ ମୋ ଜୀବନ ସାଥୀଙ୍କ ସହ ମୁଁ ପୂରା ଦିନ ବିତାଇବି। କିନ୍ତୁ ମୋ ମତରେ ଭାଲେଣ୍ଟାଇନ ଯେ କେହି ବି ହେଇପାରିବେ। ସାଙ୍ଗ ହେଇପାରନ୍ତି, ସ୍ତ୍ରୀ, ବାପା ମା’ ଯେ କେହି ବି…। ସେମିତି କିଛି ଧରାବନ୍ଧା ନିୟମ ନାହିଁ ଯେ ଏବର୍ଷ ଯିଏ ଭଲେଣ୍ଟାଇନ୍‌, ପରବର୍ଷ ସେ ହିଁ ହେବେ ବୋଲି। ଆପଣ ଯାହାକୁ ବେଶି ମାନନ୍ତି, ସେ ଆପଣଙ୍କ ଭାଲେଣ୍ଟାଇନ୍‌।
ଶୁଭାଶିଷ ଶର୍ମା, ଅଭିନେତା
ମତେ ଭଲ ପାଉଥିବା ସମସ୍ତ ବ୍ୟକ୍ତି ମୋ ଭାଲେଣ୍ଟାଇନ୍‌
ପ୍ରେମିକ-ପ୍ରେମିକା ଯେ ଭାଲେଣ୍ଟାଇନ୍‌, ତାହା ନୁହେଁ। ଭାଲେଣ୍ଟାଇନ୍‌ ଡେ’ ପ୍ରେମ ପାଇଁ ଦିନଟିଏ। ପ୍ରେମର ସେମିତି କିଛି ନିର୍ଦ୍ଦିଷ୍ଟ ଦିନ ନଥାଏ। ଏଣୁ ମୋ ପାଇଁ ସବୁ ଦିନ ଭାଲେଣ୍ଟାଇନ୍‌ ଡେ’। ଯେଉଁମାନେ ମତେ ଭଲ ପାଆନ୍ତି, ସେମାନେ ସମସ୍ତେ ମୋ’ ଭାଲେଣ୍ଟାଇନ୍‌। ଏବେ ତ’ ମୋ ପରିବାର ମୋ ଦୁନିଆ ଆହୁରି ବି‌ଶାଳ ହୋଇଯାଇଛି। ଏଣୁ ସେ ସମସ୍ତେ ମୋର ଓ ମୁଁ ତାଙ୍କର ଭାଲେଣ୍ଟାଇନ୍‌ ବୋଲି କହିବି।
ସବ୍ୟସାଚ୍ଚୀ ମିଶ୍ର, ଅଭିନେତା

ସମ୍ବନ୍ଧିତ ଖବର