କଟକ: ଜେଲ୍ରେ ଅପରାଧୀ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍କୁ ଏଣିକି ଅଚଳ କରିଦେବ ଦି- ଟାଵାର ହାରମୋନିୟସ୍ କଲ୍ ବ୍ଲକିଂ ସିଷ୍ଟମ୍ (ଟି-ଏଚସିବିଏସ୍)। ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ଜେଲ୍ ପରିସରରେ କୌଣସି ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ସିଗନାଲ୍ ଆସିବ ନାହିଁ। ରାଜ୍ୟରେ ଏବେ ୫-ଜି ସକ୍ରିୟ ହୋଇଥିବା ବେଳେ ଏବେ ବି ଜେଲଗୁଡ଼ିକରେ ୨-ଜି ଜାମର୍ କାର୍ଯ୍ୟ କରୁଛି। ଯାହାକି ଅପରାଧ ବୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି। ଜେଲ୍ ଭିତରୁ ଅପରାଧୀ ମୋବାଇଲ୍ ଫୋନ୍ ବ୍ୟବହାର କରି ଜେଲ୍ ବାହାରେ ଥିବା ଲୋକଙ୍କୁ ପ୍ରଭାବିତ କରିବା ଏବଂ ଗ୍ୟାଙ୍ଗକୁ ସଂପ୍ରସାରଣ କରିବା ସହଜ ହେଉଥିବାରୁ ଏହାକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ପରାମର୍ଶକ୍ରମେ ଏଭଳି ଯନ୍ତ୍ରାଂଶ ଲାଗିବାକୁ ଯାଉଥିବା ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜେଲ୍ ବିଭାଗର ସୂଚନା ଅନୁଯାୟୀ, ହାଇଦ୍ରାବାଦ୍ ସ୍ଥିତ ବିଇଏଲ୍(ଭାରତ ଇଲୋକ୍ଟ୍ରନିକ୍ସ ଲିମିଟେଡ୍) ମାଧ୍ୟମରେ ୮୭ଟି ଜେଲରେ ୪-ଜି ଜାମର୍ ଟେଣ୍ତର ପାଇଁ ଆବେଦନ ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଟେକ୍ନିକାଲ୍ ସ୍ପେସିଫିକେସନ୍ ଚୂଡ଼ାନ୍ତ ହୋଇନଥିବା ଦର୍ଶାଇ ଚୁକ୍ତି ବାତିଲ୍ କରି ଦେଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ଜେଲରେ ୪-ଜି ଜାମର ଖଞ୍ଜିବାକୁ ହୋଇଥିବା ୨ କୋଟି ଟଙ୍କାର ବଜେଟ୍ ରାଜକୋଷକୁ ଫେରି ଯାଇଥିଲା। ବର୍ତ୍ତମାନର ୫ଜି ଯୁଗରେ ଚୌଦ୍ବାର ସର୍କଲ ଜେଲ୍ ଭଳି କିଛି ପ୍ରମୁଖ ଜେଲରେ ୨-ଜି ଜାମର କାର୍ଯ୍ୟ କରୁଛି। ୨୦୨୧ ଜୁଲାଇରେ ତତ୍କାଳୀନ ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସର୍କଲ ଜେଲରେ 'ଡିପ୍ ସର୍ଚ୍ଚ ମେଟାଲ୍ ଡିଟେକ୍ଟର' ମେସିନ୍ ଯୋଗାଇ ଥିଲେ। କଏଦୀମାନେ ମୋବାଇଲ୍ ଓ ସିମଗୁଡ଼ିକ ମାଟି ତଳେ ଓ ଜେଲ୍ର ପାଇଖାନା ଭିତରେ ଲୁଚାଇ ରଖୁଥିବାରୁ ଏହି ମେସିନ୍ ମାଧ୍ୟମରେ ଯଦିଓ ତାହାକୁ ଠାବ କରାଗଲା, କିନ୍ତୁ ଜେଲରେ ମୋବାଇଲ୍ ବ୍ୟବହାର ଉପରେ ଏହି ମେସିନ୍ କଟକଣା ଲଗାଇପାରିଲା ନାହିଁ। ଚୌଦ୍ବାର ସର୍କଲ ଜେଲ୍ ଓ ଭୁବନେଶ୍ବରର ଝାରପଡ଼ା ସ୍ବତନ୍ତ୍ର ଜେଲରେ ରାଜନେତାଙ୍କଠୁ ଆରମ୍ଭ କରି ଦୁର୍ଦ୍ଦାନ୍ତ ଅପରାଧୀ, ମାଓନେତା ଏବ˚ ଚିଟ୍ ଫଣ୍ତ ଠକେଇରେ ସମ୍ପୃକ୍ତ ବ୍ୟକ୍ତି ବିଚାରାଧୀନ କଏଦୀ ଭାବେ ଅଛନ୍ତି।
ଏଭଳି ସ୍ଥିତିରେ ଏବେ ଟି-ଏଚସିବିଏସ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ଟେଲିକମ୍ ବିଭାଗ (ଡିଓଟି) ଏହି ଯନ୍ତ୍ରାଂଶ ଲଗାଇବ। ମେସିନ୍ ପିଛା ୨୫ଲକ୍ଷ ଟଙ୍କା ବ୍ୟୟ କରାଯିବ। ଗୋଟିଏ ମେସିନରେ ଦେଶର ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ସିମ୍ ବ୍ଲକ୍ ପାଇଁ ପୃଥକ ବ୍ୟବସ୍ଥା ରହିଛି। ଏହି ମେସିନ୍ ଜେଲରେ ଲାଗିବା ପରେ ସେହି ଅଞ୍ଚଳକୁ 'କମ୍ୟୁନିକେସନ୍ ଡେଡ୍ ଜୋନ୍' ଭାବେ ଘୋଷଣା କରାଯିବ। କୌଣସି ମୋବାଇଲ୍ ସର୍ଭିସ ପ୍ରୋଭାଇଡରଙ୍କ ସିଗନାଲ୍ ଏହି ଅଞ୍ଚଳକୁ ଆସିବ ନାହିଁ। ଗୃହ ମନ୍ତ୍ରାଳୟ ପକ୍ଷରୁ ଏଭଳି ବ୍ୟବସ୍ଥା ଓଡ଼ିଶାରେ ଆରମ୍ଭ ପାଇଁ ନିକଟରେ ଓଡ଼ିଶାର ଜେଲ୍ ବିଭାଗକୁ ଚିଠି ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ଚୌଦ୍ବାର ସର୍କଲ ଜେଲ୍ ଓ ଭୁବନେଶ୍ବର ଝାରପଡ଼ା ଜେଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ।