ଭୁବନେଶ୍ବର : ୨୦୨୧ ଜନଗଣନା ଖୁବ୍ ଶୀଘ୍ର ଆରମ୍ଭ ହେବ। ଭୁବନେଶ୍ବରରେ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଏମ୍ସିକୁ ନିର୍ଦ୍ଦେଶ ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଜନଗଣନାରେ ୨୨୨୦ କର୍ମଚାରୀ ନିୟୋଜିତ ହେବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ ବିଏମ୍ସି ଅଞ୍ଚଳରେ ୧୯୦୨ଜଣ ଏନୋମରେଟର ଓ ୩୧୮ଜଣ ସୁପରଭାଇଜର୍ ନିୟୋଜିତ ହେବେ। ଏଥରର ଜନଗଣନା ପାଇଁ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ପ୍ରିନସିପାଲ୍ ସେନସସ୍ ଅଫିସର ହୋଇଥିବାବେଳେ ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ ସିଟି ସେନସସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ସେଠୀଙ୍କ ସୂଚନା ଅନୁଯାୟୀ, ସର୍ବେକ୍ଷଣ ନିୟମ ଅନୁସାରେ ୨୦୨୧ ଜନଗଣନାରେ ଭୁବନେଶ୍ୱର ନିକଟସ୍ଥ ଯେଉଁ କେତୋଟି ଅଞ୍ଚଳରେ ସହରାଞ୍ଚଳ ଚାଲିଚଳଣି ରହିଛି ସେଗୁଡିକୁ ମଧ୍ୟ ସହରାଞ୍ଚଳ ବିକାଶ ଅଞ୍ଚଳ ଭାବେ ଗଣନା କରାଯିବ। ଏଥିରେ ୨୦ଟି ସହରାଞ୍ଚଳ ବିକାଶ ଅଞ୍ଚଳ ଭୁବନେଶ୍ୱର ସହିତ ମିଶିବାର ଯୋଜନା ରହିଛି।
ଏଥରର ଜନଗଣନା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ବିଡିଏ କର୍ମଚାରୀମାନେ ସାମିଲ୍ ହେବେ। ଏନେଇ ସଂପୃକ୍ତ ବିଭାଗଗୁଡ଼ିକୁ ଖୁବ୍ ଶୀଘ୍ର ଚିଠି କରାଯିବ। ଜନଗଣନା ନିମନ୍ତେ ଜାତୀୟ ଜନଗଣନା ରେଜିଷ୍ଟରକୁ ଅନୁସରଣ କରି ଘର ତାଲିକା ଏବଂ ଜନଗଣନା କରାଯିବ। ସମୟସୀମା ମଧ୍ୟରେ ଆବଶ୍ୟକ ମାନବସମ୍ବଳ ଯୋଗାଡ଼ ଏବଂ ନିୟମିତ ସମୀକ୍ଷା ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।