ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିବର୍ଷ କାହିଁକି ଏତେ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ? ଏହା ପଛର କେଉଁ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହାସହ ଡେଙ୍ଗୁ ମାମଲା କମାଇବାକୁ ରାଜ୍ୟ ସରକାର କ’ଣ କ’ଣ ପଦକ୍ଷେପ ନେଉଛନ୍ତି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ଡେଙ୍ଗୁ ସଂପର୍କିତ ସମୀକ୍ଷା ବୈଠକରେ ଏଭଳି ଚିନ୍ତା ପ୍ରକଟ କରାଯାଇଛି। ବିଗତ କିଛିବର୍ଷ ଧରି ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦ହଜାର ଟପି ଯାଇଥିଲା। ଜୁନ୍ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ମାମଲା ଲାଗି ରହୁଛି। ମୌସୁମୀ ଋତୁରେ ଭୁବନେଶ୍ବରବାସୀ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ଏହାସହ ଡେଙ୍ଗୁ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିବର୍ଷ ଟଣାଓଟଣା ଚାଲୁଛି। ବେସରକାରୀ ଭାବେ ପ୍ରତିବର୍ଷ ଡେଙ୍ଗୁ ମୃତ୍ୟୁ ହେଉଥିଲେ ହେଁ ରାଜ୍ୟ ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଫଳରେ ପ୍ରତିବର୍ଷ ରାଜ୍ୟରେ ଡେଙ୍ଗୁ କେତେ ମୃତ୍ୟୁ ହେଉଛି ଓଡ଼ିଶାର କୌଣସି ରେକର୍ଡ ରହୁନାହିଁ। ଭୁବନେଶ୍ବରରେ ଡେଙ୍ଗୁ ମାମଲାକୁ ନେଇ ବୈଠକରେ କେନ୍ଦ୍ରର ଚିନ୍ତା ପ୍ରକଟ ପରେ ରାଜ୍ୟ ସରକାର ଏହା ସଂପର୍କରେ ନିଜର ସୂଚନା ରଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁକ୍ତି ହେଲା ଭୁବନେଶ୍ବରରେ ଜନସଂଖ୍ୟା ୧୫ଲକ୍ଷ ଟପିଲାଣି। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ସଂଖ୍ୟାରେ ଲୋକମାନେ ଆସୁଛନ୍ତି। ବସ୍ତି ସଂଖ୍ୟା ମଧ୍ୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଏହାସହ କଠିନ ବର୍ଜ୍ୟବସ୍ତୁର ଉପଯୁକ୍ତ ସମାଧାନ ହୋଇପାରୁନି। ଡେଙ୍ଗୁ ସଚେତନତା ପାଇଁ ଯେଉଁ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଛନ୍ତି, ସେମାନଙ୍କୁ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ପଶିବାକୁ ଅନୁମତି ଦେଉନାହାନ୍ତି। ଏସବୁ କାରଣ ପାଇଁ ଭୁବନେଶ୍ବରରେ ପ୍ରତିବର୍ଷ ଡେଙ୍ଗୁ ମାମଲା ବଢ଼ୁଛି।
ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧି ୬ମାସ ବଢ଼ିବ
ଜାନୁଆରିରୁ ଆରମ୍ଭ ହୋଇଛି ପ୍ରସ୍ତୁତି: ସ୍ବାସ୍ଥ୍ୟ ବିଭାଗ
ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ଡେଙ୍ଗୁ ସଂକ୍ରମଣ ଅବଧିର କୌଣସି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ। ଡେଙ୍ଗୁ ସଚେତନତାର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ହେଲେ ରାଜ୍ୟରେ ସେମାନଙ୍କୁ ମାତ୍ର ୩ମାସ ପର୍ଯ୍ୟନ୍ତ ନିୟୋଜିତ କରାଯାଉଛି। ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧିକୁ ୬ମାସ ପର୍ଯ୍ୟନ୍ତ ରଖିଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧି ୬ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଡେଙ୍ଗୁ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍ଏମ୍)ରେ ଏଥିପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। ଚଳିତବର୍ଷଠାରୁ ସେମାନଙ୍କ କାର୍ଯ୍ୟ ଅବଧିକୁ ୬ମାସକୁ ବଢ଼ାଯିବା ପାଇଁ ଉଭୟ କେନ୍ଦ୍ର-ରାଜ୍ୟ ରାଜି ହୋଇଛନ୍ତି। ଏହାସହ ସର୍ଭେଲାନ୍ସକୁ ବଢ଼ାଇବା, ଆବଶ୍ୟକ କିଟ୍ ମହଜୁଦ ରଖିବା ଓ ଜିଲ୍ଲାମାନଙ୍କୁ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରିବା ଉପରେ ଜୋର ଦିଆଯାଇଥିଲା। ଏନ୍ଭିବିଡିସିପି ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି କହିଛନ୍ତି, ଆଜି କେନ୍ଦ୍ର ସହ ଏକ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତବର୍ଷ ଜାନୁଆରି ମାସରୁ ଡେଙ୍ଗୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧି ଆହୁରି ବଢ଼ାଇବା ଲାଗି କେନ୍ଦ୍ର ସହ ଆଲୋଚନା ହୋଇଛି। ଚଳିତବର୍ଷ କିଭଳି ଡେଙ୍ଗୁ ମାମଲା ନିୟନ୍ତ୍ରଣରେ ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଡାକ୍ତର ମହାନ୍ତି କହିଛନ୍ତି।