ବିନା ଟିକାରେ କେହି ଫେରିବେନି, ସମସ୍ତଙ୍କୁ ଟିକା ଦେବା ପର୍ଯ୍ୟନ୍ତ କେନ୍ଦ୍ର ଖୋଲା ରହିବ: ଏଡିୟୁପିଏଚ୍‌ଓ

ଏବେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ
ଦ୍ବିତୀୟ ଡୋଜ୍ ପାଇଁ ଅପରାହ୍ଣରେ ଆସିବାକୁ ପରାମର୍ଶ
ଏପ୍ରିଲ ୩୦ ପର୍ଯ୍ୟନ୍ତ ଛୁଟି ଦିନରେ ବି ଟିକା ଦିଆଯିବ

ଭୁବନେଶ୍ବର : ଏଣିକି କୌଣସି ଟିକାଦାନ କେନ୍ଦ୍ରରୁ କାହାକୁ ଫେରାଇ ଦିଆଯିବନି। ୪୫ବର୍ଷରୁ ଊର୍ଦ୍ଧ୍ବ ଯେଉଁମାନେ ସରକାରୀ ଟିକାଦାନ କେନ୍ଦ୍ରକୁ ଯିବେ ସେମାନଙ୍କୁ ସେହିଦିନ ହିଁ ଟିକା ଦିଆଯିବ। ଏଥିପାଇଁ ଆବଶ୍ୟକ ଟିକା ଓ ମାନବ ସମ୍ବଳ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ସି.ଭିଏସ୍‌ଏନ୍ ରାଓ କହିଛନ୍ତି।

ଗତ କିଛିଦିନ ହେଲା ସହରର ବିଭିନ୍ନ ଟିକାଦାନ କେନ୍ଦ୍ରରେ କୋଭିଡ୍‌ ଟିକା ଦେବାବେଳେ ଅବ୍ୟବସ୍ଥା ଦେଖାଦେଉଛି। ଲୋକମାନେ ଟାଣ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଥିଲେ ହେଁ ‌ଟିକା ନେଇପାରୁନାହାନ୍ତି। ଏପରିକି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକାଦାନ କେନ୍ଦ୍ରର କର୍ମଚାରୀ ଆଜି ‌ଟିକା ଦେଇହେବନି କହି ଫେରାଇ ଦେଉଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏହାକୁ ନଜରରେ ରଖି କରୋନା ଟିକା ଦେବା ଅବଧି ବଢ଼ାଯାଇଛି। ପୂର୍ବରୁ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ କେନ୍ଦ୍ର ଖୋଲା ରହୁଥିବାବେଳେ ଏବେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟ ମଧ୍ୟରେ ଯିଏ ଟିକାଦାନ କେନ୍ଦ୍ରରେ ପହଞ୍ଚିବେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଡା. ରାଓ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ସବୁ ଟିକାଦାନ କେନ୍ଦ୍ରରେ ପ୍ରତ୍ୟେକ ଦିନ କୋଭିଡ ଟିକା ଦିଆଯିବ। ଛୁଟି ଦିନରେ ବି ଟିକା ଦିଆଯିବ। ଆମର ଏବେ ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଦିନକୁ ୨୦୦ଜଣଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲେ ହେଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯିଏ ଟିକାଦାନ କେନ୍ଦ୍ରକୁ ଆସିବେ ସେମାନଙ୍କୁ ଟିକା ଦିଆଯିବ। ଯେଉଁମାନେ ଦ୍ବିତୀୟ ଡୋଜ୍ ନେଉଛନ୍ତି ସେମାନେ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଆସିଲେ ବିଶେଷ ସମସ୍ୟା ‌ହେବନି। କିନ୍ତୁ ୭୦ବର୍ଷରୁ ଉର୍ଦ୍ଧ୍ବ ‌ବୟସ୍କ ବ୍ୟକ୍ତିମାନେ ଯେତେବେଳେ ଯେଉଁ ସମୟରେ ଆସିବେ ସେମାନଙ୍କୁ ଟିକା ଦେବାକୁ କୁହାଯାଇଛି।

ଟିକାଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଏଡିୟୁପିଏଚ୍‌ ଡା. ରାଓ କହିଛନ୍ତି ଯେ, ପୂର୍ବରୁ ଘରୋଇ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀମାନେ ପୂର୍ବରୁ କରୋନା ଟିକା ନେଇନଥିଲେ। ସେମାନଙ୍କ ପାଇଁ ଯେତେବେଳେ ଟିକାଦାନ ବ୍ୟବସ୍ଥା ହୋଇଥିଲା ସେତେବେଳେ ଟିକା ନେଲେନି, ଏବେ ଟିକା ନେବାକୁ ଆସୁଛନ୍ତି। ଫଳରେ କିଛି ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ୟା ହେଉଛି। ଏହାବାଦ୍ ଅନଲାଇନ୍‌ରେ ପଞ୍ଜୀକରଣ ପରେ ଟିକା ଦିଆଯାଉଥିବାରୁ ପଞ୍ଜୀକରଣ ଜନିତ ସମସ୍ୟା ଯୋଗୁଁ ସାମାନ୍ୟ ବିଳମ୍ବ ‌ହେଉଛି। କିଛି ଲୋକ ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ଆସୁଥିବାରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ କହୁଛନ୍ତି। କିନ୍ତୁ ସେପରି କିଛି ନିୟମ ନାହିଁ। ଯେଉଁ ଅନୁସାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୋକନ୍ ଦିଆଯିବ ସେହି ଅନୁଯାୟୀ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଚାହିଦାକୁ ଦେଖି ସମସ୍ତ ସରକାରୀ ହସ୍ପିଟାଲ ଓ ଅଧିକ ଘରୋଇ ହସ୍ପିଟାଲରେ ଟିକାଦାନ ବ୍ୟବସ୍ଥା କରାଯାଇଛି। ଲୋକ ଟିକାକୁ ନେଇ କିଛି ଦ୍ବନ୍ଦ୍ବରେ ନପଡ଼ିବାକୁ ଡା. ରାଓ କହିଛନ୍ତି।

ସମ୍ବନ୍ଧିତ ଖବର