ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ ନବକଳେବରକୁ ଦେଢ଼ ବର୍ଷ ବିତିଲାଣି। ନୂଆ ରୂପରେ ଶୋଭା ପାଉଥିବା ଏହି କ୍ୟାଣ୍ଟିନ୍‌ର ଦୋକାନ ଗୃହଗୁଡ଼ିକ ଆଜି ପର୍ଯ୍ୟନ୍ତ ଆବଣ୍ଟନ ହୋଇପାରିନାହିଁ। କ୍ୟାଣ୍ଟିନ୍‌ ଆଖାପାଖରେ ୧୦ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଛି। ହେଲେ କ୍ୟାଣ୍ଟିନ୍‌ ବଣ୍ଟନ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ଦୁଇ ଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ନେଇନାହାନ୍ତି। ପ୍ରଥମ ଥର ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଦ୍ବିତୀୟ ଥର ‌ଟେଣ୍ଡର ପ୍ରକ୍ରିୟାରେ ମାତ୍ର ତିନି ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ‌ବାତିଲ୍‌ ହୋଇଥିବା ବେଳେ ବାକି ଆଉ ଦୁଇ ଜଣ ରହିଥିଲେ। ତା’ସତ୍ତ୍ବେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାଣ୍ଟିନ୍‌ ଆବଣ୍ଟନ କରି ନାହାନ୍ତି। ବରଂ ପୁଣିଥରେ ଟେଣ୍ଡର ପ୍ରକ୍ରିୟା କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।

Advertisment

ଗୋଟିଏ ପଟେ ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ ଆବଣ୍ଟନ ହୋଇପାରୁ ନାହିଁ। ଆଉ ଅନ୍ୟପଟେ ଯେଉଁ ଉଠାଦୋକାନୀମାନେ ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ ପରିସରରେ ଥଇଥାନ ହୋଇଛନ୍ତି ସେମାନଙ୍କୁ ଦର ବାଧୁଛି। ନିର୍ମାଣ କରାଯାଇଥିବା ୧୦ଟି ଦୋକାନ ଘର ଆବଣ୍ଟନ କରାଯାଇଛି। ପ୍ରତି ବ୍ୟବସାୟୀଙ୍କଠାରୁ ଲ୍ୟାଣ୍ଡ ରେଣ୍ଟ ଓ ବିଦ୍ୟୁତ୍‌ ବାବଦରେ ମାସିକ ୫ ହଜାର ଟଙ୍କା ଆଦାୟ କରିବାକୁ ସ୍ଥିରୀକୃତ ହୋଇଛି। ଛୋଟ ‌ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କଠାରୁ ଏତେ ଟଙ୍କା ଆଦାୟ କରାଯାଉଥିବାରୁ ସେମାନଙ୍କ ବେଉସା ବୁଡ଼ିବାକୁ ବସିଲାଣି। ଦର ଅଧିକ ହେଉଥିବାରୁ ତାହାକୁ କମାଇବାକୁ ସେମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତାହା କୁଳପତିଙ୍କ ବିଚାରଧୀନ ରହିଥିବା ନେଇ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଥିଲେ। ମନ୍ତ୍ରୀ ଶ୍ରୀ ସୂରଜଙ୍କ ଉତ୍ତରକୁ ୪ ମାସ ବିତିଯାଇଥିଲେ ମଧ୍ୟ ଦର ହ୍ରାସ ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିରବ ରହିଛନ୍ତି।

ତୃତୀୟ ଥର ପାଇଁ ହେବ ଟେଣ୍ଡର ପ୍ରକ୍ରିୟା
ଦୋକାନୀଙ୍କ ଉପରେ ୧୮ ଲକ୍ଷ ବକେୟା
କେବେ ବଦଳିବ ଗୋବିନ୍ଦ ସାହୁ କ୍ୟାଣ୍ଟିନ୍‌ ରୂପ?

ବିଶ୍ବବିଦ୍ୟାଳୟ ସୂଚନା ଅନୁଯାୟୀ କ୍ୟାମ୍ପସ୍‌ରେ ୨୩ଜଣ ସ୍ବୀକୃତିପ୍ରାସ୍ତ ଦୋକାନୀଙ୍କୁ ଦୋକାନ ଗୃହ ଆବଣ୍ଟନ ହୋଇଛି। ସେମାନଙ୍କର ମାସିକ ଭଡ଼ା କେତେ ରହିବ ସେନେଇ ସ୍ଥିରୀକୃତ ହୋଇଥିଲେ ମଧ୍ୟ ତାହା ‌ପଇଠ କରି ନ ଥିବା ଜଣାପଡ଼ିଛି। ୨୨ ଜଣ ବ୍ୟବସାୟୀଙ୍କର ଜମି ଭଡ଼ା ବାବଦରେ ପାଖାପାଖି ୧୮ ଲକ୍ଷ ଟଙ୍କା ବକେୟା ରହିଛି। ଦୁଇ ଜଣ ବ୍ୟବସାୟୀଙ୍କର ଏବାବଦରେ ତିନି ଲକ୍ଷରୁ ଅଧିକ ଏବଂ ୪ ଜଣଙ୍କର ଏକ ଲକ୍ଷରୁ ଅଧିକ ଟଙ୍କା ବକେୟା ରହିଛି। ତେବେ ବିଦ୍ୟୁତ୍‌ ବିଲ୍‌ ବାବଦ ଅର୍ଥ ବ୍ୟବସାୟୀମାନେ ନିୟମିତ ଭାବେ ପଇଠ କରୁଛନ୍ତି। ଅଗଷ୍ଟ ମାସ ସୁଦ୍ଧା ଜଣଙ୍କର କେବଳ ୮ ହଜାରରୁ ଅଧିକ ଟଙ୍କା ବକେୟା ରହିଥିଲା। କ୍ୟାମ୍ପସ ଭିତରେ ଏବେ ୩୫ଜଣ ଅଣସ୍ବୀକୃତିପ୍ରାପ୍ତ ଦୋକାନୀ ରହିଛନ୍ତି। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଦୋକାନ ନିର୍ମାଣ କରିଛନ୍ତି। ବର୍ଷ ବର୍ଷ ଧରି ସେମାନେ ରହୁଥିବା ବେଳେ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଉଚ୍ଛେଦ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗୋବିନ୍ଦ ସାହୁ ମାର୍କେଟ୍‌ରେ ଥିବା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବିଡିଏ ପକ୍ଷରୁ ଲେକ୍‌ ଜୋନ୍‌ର ବିକାଶ ହେଉଛି, ଯାହା ମାଧ୍ୟମରେ ଏଠାକାର ବ୍ୟବସାୟୀଙ୍କୁ ବ୍ୟବସ୍ଥିତ ଦୋକାନ ଗୃହ ବଣ୍ଟନ କରିବାକୁ କୁହାଯାଇଥିଲା। ଦେଢ଼ ବର୍ଷ ହେଲା ଏହି କାମ ଚାଲିଥିଲେ ମଧ୍ୟ ବ୍ୟବସାୟୀଙ୍କ କଥା ସମସ୍ତେ ଯେପରି ଭୁଲି ଯାଇଛନ୍ତି। କେବେ ମିଳିବ ଦୋକାନ ଘର? କେବେ ବ୍ୟବସ୍ଥିତ ହେବେ ତାହାକୁ ନେଇ ବ୍ୟବସାୟୀ ଚାହିଁ ରହିଛନ୍ତି।