କେନ୍ଦ୍ର ସରକାର ‘ପାଇକ ରେଜିମେଣ୍ଟ’ଗଠନ କରନ୍ତୁ

ଭୁବନେଶ୍ୱର: କେନ୍ଦ୍ର ସରକାର ତୁରନ୍ତ ପାଇକ ରେଜିମେଣ୍ଟ ଗଠନ କରି ଅଗ୍ରାଧିକାର ଭିତ୍ତିରେ ପାଇକ ପୁଅଙ୍କୁ ନିଯୁକ୍ତି ଦିଅନ୍ତୁ। ରାଜ୍ୟସ୍ତରୀୟ ପାଇକ ଦିବସରେ ଏହି ଦାବି କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ। ଏହି ଅବସରରେ ଆଜି ପାଇକ ଗୁରୁ କେଦାର ଦାସଙ୍କ ପୌରୋହିତରେ ମ୍ୟୁଜିୟମ୍ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଲିକା-ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।

ଆଜିର ଦିନକୁ ‘ପାଇକ ଦିବସ’ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ବରିଷ୍ଠ ପାଇକ ଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଦାବି କରିଥିଲେ। ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ଦାବି କରିଥିଲେ। ଏହି ଅବସରରେ ଆସନ୍ତା ମେ’ମାସରେ ଭୁବନେଶ୍ୱରରେ ଏକ ବିଶାଳ ପାଇକ ସମାବେଶ ସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଲକ୍ଷେ ପାଇକ ତରବାରୀ ଢାଲ ସହିତ ଯୋଗ ଦେବାକୁ ରାଜ୍ୟ ସଂଯୋଜକ କେଦାର ଦାସ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜୀବ ନୟନ ରଥ, ମନୋରଞ୍ଜନ ପଶ୍ଚିମକବାଟ, ଭାସ୍କର ସୁନ୍ଦରାୟ, ଗୋଲକ ଜୟସିଂହ, ସୁକାନ୍ତ ଷଣ୍ଢ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଜୟ ବେହେରା, ଗୁଣନିଧି ବେହେରା, ଗୁରୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର