ଖଣ୍ଡଗିରି: ଭରତପୁର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ(ସିଏଆର୍ଆଇ)କୁ ୫୨ ବର୍ଷ ପୂରିଛି। ହେଲେ ଏଠାରେ ହେଉଥିବା ଗବେଷଣା, ଚିକିତ୍ସା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ପୂର୍ବରୁ ଯେତିକି ରୋଗୀ ଆସୁଥିଲେ, ସେ ସଂଖ୍ୟାରେ ସେତେଟା ପରିବର୍ତ୍ତନ ହୋଇ ନାହିଁ କିମ୍ବା ଆୟୁର୍ବେଦ ପ୍ରତି ରୋଗୀଙ୍କର ସେଭଳି ଆଗ୍ରହ ପ୍ରକାଶ ପାଇନାହିଁ। ପ୍ରତିଷ୍ଠାନର ବୟସ ସିନା ବଢ଼ିଯାଇଛି, ହେଲେ ରୋଗୀଙ୍କ ଭରସା ବଢ଼ିନି। ରୋଗରୁ ଉପଷମ ମିଳିବାରେ ଘୋର ବିଳମ୍ବ ହେଉଥିବା ରୋଗୀ କହୁଥିବା ବେଳେ ରୋଗୀ ବିଭିନ୍ନ ଜାଗାରୁ ହତାଶ ହେବା ପରେ ଶେଷ ମୁହୂର୍ତ୍ତରେ ଏଠାକୁ ଆସୁଥିବା ଡାକ୍ତର କହୁଛନ୍ତି। ତେବେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ‘ଆୟୁଷ ଦୀକ୍ଷା’ କାର୍ଯ୍ୟକ୍ରମ ଏହି ଗବେଷଣାକୁ ଏକ ଉଚ୍ଚତର ସୋପାନକୁ ନେବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। କିନ୍ତୁ ଏଠାରେ ରିସର୍ଚ୍ଚ ଅଫିସର୍ଙ୍କ ଅଭାବ ରହିଛି। ୧୦ଜଣ ରିସର୍ଚ୍ଚ ଅଫିସର୍ଙ୍କ ଜାଗାରେ ୭ଜଣ ଅଛନ୍ତି।
୧୯୭୨ ମସହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରହିଛି। ଏହାର ଓପିଡି ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟିକେଟ୍ ଉପଲବ୍ଧ ହେଉଛି। ଓପିଡି ଟିକେଟ୍ ଦର ମାତ୍ର ୧୦ଟଙ୍କା ରହିଥିଲା ବେଳେ ବରିଷ୍ଠ ନାଗରିକଙ୍କୁ ୪ଟଙ୍କା ଦେବାକୁ ପଡ଼ୁଛି। ରାସନକାର୍ଡଧାରୀଙ୍କ ପାଇଁ ଓପିଡି ଦେୟମୁକ୍ତ ରହିଛି। ଓପିଡିକୁ ଏବେ ପ୍ରାୟ ୧୦୦ରୁ ୧୫୦ ରୋଗୀ ଆସୁଛନ୍ତି। ଅନ୍ତର୍ବିଭାଗରେ ୫୦ଟି ଶଯ୍ୟା ରହିଛି। ଦିନକୁ କ୍ୟାବିନ୍ ପାଇଁ ୫୦୦ଟଙ୍କା ଓ ସାଧାରଣ ୱାର୍ଡ ପାଇଁ ୧୦୦ଟଙ୍କା ଦର ରହିଛି। ରାସନକାର୍ଡ ଥିଲେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଜରା ରସାୟନ, କାୟା ଚିକିତ୍ସା, ଯକୃତ ବିକାର, କର୍ଣ୍ଣ, ନାସା ଓ ଗଳାରୋଗ, ସ୍ତ୍ରୀରୋଗ, ପଞ୍ଚକର୍ମ, ମୂତ୍ରବହ ସ୍ରୋତ ବିକାର(ୟୁରୋଲୋଜି) ଆଦି ରୋଗର ଚିକିତ୍ସା କରାଯାଉଛି। ଅପପୁଷ୍ଟି, ଟିବି, ଆନେମିଆ ଓ ସିକିଲ୍ସେଲ୍ ଭଳି ରୋଗ ଉପରେ ଅଧିକ ଗବେଷଣା ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏତେ ସୁବିଧା ସତ୍ତ୍ବେ ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ।
ଗବେଷଣାକୁ ଉଚ୍ଚତର ସୋପାନକୁ ନେବ ‘ଆୟୁଷ ଦୀକ୍ଷା’!
ଆୟୁର୍ବେଦିକ ଚିକିତ୍ସାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସଂସ୍ଥାନ ଗବେଷଣା କରୁଛି। ବର୍ତ୍ତମାନ ସଂସ୍ଥାନ ପକ୍ଷରୁ ୧୩ରୁ ଅଧିକ ବିଷୟରେ ଗବେଷଣା ଚାଲିଛି। ଡିସ୍ପେପ୍ସିଆ, ଡିସ୍ଲେପିଡିମିଆ ଭଳି ରୋଗର ନିରାକରଣ ପାଇଁ ଏମସ୍ ଭୁବନେଶ୍ବର ସହଯୋଗରେ ଗବେଷଣା ଚାଲିଥିବା ବେଳେ ନୂଆଦିଲ୍ଲୀସ୍ଥିତ ଜେଏନ୍ୟୁ ଓ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲ ସହିତ ଯଥାକ୍ରମେ ‘ପ୍ରକୃତି’ ଓ ‘ଅନୁକ୍ତ ଦ୍ରବ୍ୟ’ ଉପରେ ଗବେଷଣା ଚାଲିଛି। ଆଇସିଏକ୍ୟୁ, ଆଇସିଏମ୍ଆର୍, ଆଇଏମ୍ଆର୍ ଓ ସିଫା ଭଳି ଜାତୀୟସ୍ତରୀୟ ଅନୁଷ୍ଠାନ ସହିତ ବିଭିନ୍ନ ରୋଗ ଓ ଗୁଳ୍ମଲତା ସମ୍ପର୍କରେ ଗବେଷଣା କରାଯାଉଛି। ସଂସ୍ଥାନ ପରିସରରେ ଚଳିତ ବର୍ଷ ଜାନୁଆରିରେ ‘ଆୟୁଷ ଦୀକ୍ଷା’ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କାର ବଜେଟ୍ ରହିଛି। ଏହି ଅତ୍ୟାଧୁନିକ କେନ୍ଦ୍ରରେ ୨ଟି ସଭାଗୃହ, ୪୦ଟି ଆଧୁନିକ କୋଠରି, ଭିଆଇପି ସୁଟ୍, ପ୍ରାକୃତିକ ପାଠାଗାର, ସଭାକକ୍ଷ, ମୋଡ୍ୟୁଲାର ରୋଷେଇ ଘର, ଡାଇନିଂ ଲାଉଞ୍ଜ ସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ବର୍ଷେ ଭିତରେ କାମ ସାରିବାକୁ ଲକ୍ଷ୍ୟ ରହିଛି।
ସଂସ୍ଥାନର ଗବେଷକ କ୍ରିଷ୍ଣା ରାଓ ଏସ୍ ରୋଗୀସଂଖ୍ୟା କମିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସିଏଆର୍ଆଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏସ୍) ଅଧୀନରେ ଏକ ୟୁନିଟ୍ ଭାବେ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନରେ ମୁଖ୍ୟତଃ ଯକୃତ ତଥା ପାଚନ ସମ୍ବନ୍ଧୀୟ ଗବେଷଣାକୁ ଗୁରୁତ୍ବ ଦିଆଯାଉଛି। କୋଭିଡ୍ ମହାମାରୀ ପରଠାରୁ ଲୋକମାନଙ୍କର ଆୟୁର୍ବେଦ ପ୍ରତି ଆସ୍ଥା ବଢ଼ିଛି। ବିଭିନ୍ନ ସମୟରେ ରୋଗ ଗୁରୁତର ଅବସ୍ଥାକୁ ଆସିବା ପରେ ରୋଗୀମାନେ ଆୟୁର୍ବେଦକୁ ଆପଣାଉଥିବାରୁ ଏହା ବିଶେଷ ଫଳପ୍ରଦ ହେଉନାହିଁ। ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଆୟୁର୍ବେଦିକ୍ ଚିକିତ୍ସା ବେଶ୍ ସଫଳ ହେବ ବୋଲି ସେ କହିଛନ୍ତି। ଆର୍ଥରାଇଟିସ୍, ପାଚନକ୍ରିୟା, ଆଇବିଏସ୍ ରୋଗୀମାନଙ୍କର ଭିଡ଼ ହେଉଛି। ଓଡ଼ିଶା ବାହାରୁ ମଧ୍ୟ ରୋଗୀ ଆସୁଛନ୍ତି। ଜନସଚେନତା ସୃଷ୍ଟି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ବର୍ତ୍ତମାନ ଉତ୍କଳ ବିଶ୍ବିଦ୍ୟାଳୟ ଅଧୀନରେ ୧୪ଜଣ ପିଏଚ୍ଡି ଛାତ୍ର ଏଠାରେ ଗବେଷଣା କରୁଛନ୍ତି।