କରୋନା ଓ ବାର୍ଡଫ୍ଲ : କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର : ବାର୍ଡ-ଫ୍ଲୁର ସ୍ଥିତି ପରଖିବା ପାଇଁ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି କ୍ୟାପିଟାଲ ହସ୍ପିଟାଲ ଗସ୍ତ କରିଥିଲେ। କେନ୍ଦ୍ରୀୟ ଟିମ୍ ହସ୍ପିଟାଲରେ ବାର୍ଡ-ଫ୍ଲୁ ଓ କରୋନା ଭୂତାଣୁ ନେଇ ହୋଇଥିବା ପ୍ରସ୍ତୁତି ଓ ଆଇସୋଲେସନ୍ ୱାର୍ଡ ବୁଲି ଦେଖିଥିଲେ। ଏହାସହ ହସ୍ପିଟାଲର ଆଇସିୟୁ ମଧ୍ୟ ପରିଦର୍ଶନ କରିଥିଲେ। ଏହି ଦୁଇ ସଂକ୍ରମଣ ପାଇଁ ହସ୍ପିଟାଲରେ ହୋଇଥିବା ବ୍ୟବସ୍ଥାରେ କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ କରିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କୁ ମଧ୍ୟ କେତେକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ ହାଇଜିନ୍ ଓ ପବ୍ଲିକ ହେଲ୍‌ଥର ନିର୍ଦେଶକ ପ୍ରଫେସର ଆଲୋକ ବାଜପେୟୀ, ଭୁବନେଶ୍ବରସ୍ଥିତ ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚର ବୈଜ୍ଞାନିକ ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ନୂଆଦିଲ୍ଲୀର ଲେଡି ହାର୍ଡିଞ୍ଜ ମେଡିକାଲ କଲେଜର ଭେଷଜ ବିଭାଗର ସହକାରୀ ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦେଶକ ସୁଶାନ୍ତ କର ପ୍ରମୁଖ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ। କରୋନା ଭୂତାଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଯେଉଁ ବ୍ୟବସ୍ଥା ଗ୍ରହଣ ହୋଇଛି, ତାହାର ଅନୁଧ୍ୟାନ କରିବା ପରେ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର