ଭୁବନେଶ୍ୱର : ପେନ୍‌ସନ୍‌ ଯୋଜନା ସମ୍ପର୍କିତ ସଚେତନତା ଓ ଗରିବଙ୍କ ପାଇଁ ହେଉଥିବା ଯୋଜନାଗୁଡ଼ିକ ବାଟବଣା ନ ହୋଇ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚୁ। ପେନସନ୍‌ ନିୟମରେ ମଧ୍ୟ କିଛି ପରିବର୍ତନ ହେଉ। ଯାଇପାରୁ ନଥିବା ହିତାଧିକାରୀଙ୍କୁ ଘରେ ପେନ୍‌ସନ୍‌ ପହଞ୍ଚାଇବା ବ୍ୟବସ୍ଥା ହେଉ। ସେହିପରି ପେନ୍‌ସନ୍‌ ରାଶି ୩୦୦ ଟଙ୍କାରୁ ଅତି କମ୍‌ରେ ୧୦୦୦ ଟଙ୍କାକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ସେଣ୍ଟର ଫର୍‌ ଆଡ୍‌ଭୋକେସି ଆଣ୍ଡ ରିସର୍ଚ(ସିଏଫ୍‌ଏଆର୍‌) ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ମଧୁବାବୁ ପେନ୍‌ସନ୍‌ ଯୋଜନା ଏବଂ ଇନ୍ଦିରା ଗାନ୍ଧୀ ପେନ୍‌ସନ୍‌ ଯୋଜନା ସଂପର୍କିତ ସିଟିଜେନ୍‌ ରିପୋର୍ଟ କାର୍ଡ ଉପରେ ଆୟୋଜିତ ଏକ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି। ଆଜି ହୋଟେଲ ପ୍ରେସିଡେନ୍ସିଠାରେ ୪୦ରୁ ଅଧିକ ମହିଳାଙ୍କୁ ନେଇ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଛି। ସେହିପରି କିନ୍ନରମାନଙ୍କୁ ମଧ୍ୟ ଭତ୍ତା ମିଳିବା ଆବଶ୍ୟକ ବୋଲି ଏଥିରେ ଆଲୋଚନା ହୋଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ସିଏଫଆର୍‌ର ରାଜ୍ୟ ସହ ପ୍ରକଳ୍ପ ସଂଯୋଜିକା ମମତା ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ସିଏଫଏଆର୍‌ର କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ। ଏଥିରେ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ସାହୁ, ହେଲ୍‌ପ୍‌ଏଜ୍‌ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର, ରୂପାୟନର ଜିତେନ୍ଦ୍ର ରଥ, କିନ୍ନର ସଂଘର ସଭାପତି ମୀରା ପରିଡ଼ା, ସିଏଫ୍‌ଏଆର୍‌ର ରାଜ୍ୟ ପ୍ରକଳ୍ପ ପରିଚାଳିକା ପୂଜାଫୁଲ ପଟ୍ଟନାୟକ, ନାଓ-ଓଡ଼ିଶାର ଯଶସ୍ୱିନୀ ମହାନ୍ତି, ପରିଲତା ମହାପାତ୍ର, ମହେନ୍ଦ୍ର କୁମାର ଧଳ, ମେଘନା କିନ୍ନର ଓ ମେନକା କିନ୍ନର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅମିତ କୁମାର ହିଆଲ୍‌ ଏବଂ ରୋଜାଲିନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।