ଭୁବନେଶ୍ଵର: କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (ସିଭିଆଇ) ରୋଗରେ ପୀଡ଼ିତ ଶିଶୁମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଦୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର 'କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର' ଉଦଘାଟିତ ହୋଇଛି । ଆମେରିକାର 'ଭିଜନ-ଏଡ୍'ର ବଦାନ୍ୟ ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ଏହି ଅଗ୍ରଣୀ କେନ୍ଦ୍ର ଆଶାର କିରଣ ଭାବେ ଉଭା ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସିଭିଆଇ ଦ୍ୱାରା ପ୍ରଭାବିତ ଶିଶୁ ଏବଂ ପରିବାରମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ।
ସିଭିଆଇ ଏକ ମସ୍ତିଷ୍କ-ଭିତ୍ତିକ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗ ଯେଉଁଥିରେ ଚକ୍ଷୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରେ, କିନ୍ତୁ ମସ୍ତିଷ୍କ ଦ୍ୱାରା ଦୃଷ୍ଟିଶକ୍ତି ସୂଚନାକୁ ବ୍ୟାଖ୍ୟା କରିବା ଏବଂ ବୁଝିବାର କ୍ଷମତା ହ୍ରାସ ପାଇଥାଏ । ଦୃଷ୍ଟିଶକ୍ତି ଦୁର୍ବଳତା ଥିବା ପ୍ରାୟ ୩୦-୪୦% ଶିଶୁ ସିଭିଆଇ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା ବିଶ୍ୱବ୍ୟାପୀ ଶିଶୁଙ୍କ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ ଅଟେ । ଏହି ଶିଶୁମାନଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବରେ ୬୦-୭୦% ଅତିରିକ୍ତ ଅକ୍ଷମତା ସହିତ ମଧ୍ୟ ସଂଘର୍ଷ କରନ୍ତି, ଯାହା ସେମାନଙ୍କ ଜୀବନର ଜଟିଳତାକୁ ବୃଦ୍ଧି କରିଥାଏ । ସିଭିଆଇର ପ୍ରଭାବ ଶାରୀରିକ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାପକ ହୋଇଥାଏ, ଯାହା ଶିଶୁର ଶିକ୍ଷଣ, ସାମାଜିକ ସମ୍ପର୍କ ଏବଂ ସାମଗ୍ରିକ ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଥାଏ ।
ଏନେଇ ଡାକ୍ତର ଦେବସ୍ମିତା ମାଝୀ କହିଛନ୍ତି, “ମାନସିକ ସହାୟତା, ନିମ୍ନ ଦୃଷ୍ଟିଶକ୍ତି ଆକଳନ ଓ ସହାୟକ ଉପକରଣ, ଗତିଶୀଳତା ଏବଂ ସ୍ୱାଧୀନ ଜୀବନ ଦକ୍ଷତା ପ୍ରଶିକ୍ଷଣ, ସହକର୍ମୀ ସହାୟତା ଏବଂ ସମର୍ଥନ ସେବା ସମେତ ବ୍ୟାପକ ଦୃଷ୍ଟି ପୁନର୍ବାସ ସେବା ଯୋଗାଇ ଦେବାକୁ ଆମେ ପ୍ରତିଶୃତିବଦ୍ଧ । କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (ସିଭିଆଇ) ଉପରେ କେନ୍ଦ୍ରିତ ଆମର ନୂତନ ପଦକ୍ଷେପ ସହିତ ସିଭିଆଇ ରୋଗରେ ପୀଡ଼ିତ ଶିଶୁମାନେ ଯେପରି ସଠିକ୍ ସମୟରେ ଉପଯୁକ୍ତ ସହାୟତା ପାଇବେ ତାହା ସୁନିଶ୍ଚିତ କରିବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ ଯାହା ଶିଶୁମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟରେ ପହଞ୍ଚିବାକୁ ସଶକ୍ତ କରିବ । ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ଓଡ଼ିଶାର ଅନ୍ୟ ସମାଜସେବୀମାନଙ୍କୁ ଏହାକୁ ଆଗଇ ନେବା ପାଇଁ ଉତ୍ସାହିତ କରିବାରେ ଓଡ଼ିଶାର ଭିଜନ-ଏଡ୍ ସିଭିଆଇ ସେଣ୍ଟର ସହାୟକ ହେବ।”
ଏଲଭିପିଇଆଇ ଏମଟିସି କ୍ୟାମ୍ପସର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ଏହି ପଦକ୍ଷେପର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି, “ସିଭିଆଇ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ସହାୟତା ମାଧ୍ୟମରେ ଆତ୍ମବିଶ୍ୱାସ ଭରି ଦେବା ଏବଂ ସ୍ୱାଧୀନ ଭାବରେ ବଞ୍ଚିବାକୁ ସକ୍ଷମ କରିବା ହେଉଛି ଆମର ଲକ୍ଷ୍ୟ । ଆମେ ସେମାନଙ୍କ ଜୀବନ ଉପରେ ଏହି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ନେଇ ବହୁତ ଆଶାବାଦୀ, ସେମାନେ ଅଧିକ ପରିମାଣରେ ନିଜକୁ ସମ୍ମାନୀତ ମନେ କରିବେ ଏବଂ ସୁଯୋଗ ପାଇବେ ବୋଲି ଆଶା କରୁଛି |