ଭୁବନେଶ୍ବର : ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଉଥିବା ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ର ଆଉ ଏକ ଅପରାଧ ଏବେ ସାମ୍ନାକୁ ଆସିଛି। ଛାତି ଥରାଇ ଦେଲା ଭଳି ଭିଡିଓ ଭାଇରାଲ୍ ହେବା ପରେ ଜଣେ ଯୁବତୀ ଏବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ମାସେ ତଳେ ଦୁର୍ବୃତ୍ତମାନେ କିପରି ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲେ; ତାହା ଗୋଟିଗୋଟି କରି ବଖାଣିଛନ୍ତି। ଘଟଣା ଏବେ ସାମ୍ନାକୁ ଆସିଛି। ଥାନାରେ ଅଭିଯୋଗ ହେବାର ମାସେ ବିତି ଯାଇଥିଲେ ମଧ୍ୟ ଜଣେ ହେଲେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପାରି ନାହିଁ। ଯାହା ସେମାନଙ୍କୁ ବାରମ୍ବାର ଏଭଳି ଅପରାଧ ଘଟାଇବାର ସୁଯୋଗ ଦେଉଛି ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

Advertisment

ଯୁବତୀଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୭ ତାରିଖ ରାତି ପ୍ରାୟ ୯ଟାରେ ସେ ଓ ତାଙ୍କର ପୁରୁଷ ବନ୍ଧୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛ ପାଖ ରାସ୍ତାରୁ ମୁଖ୍ୟ ରାସ୍ତାକୁ କାର୍‌ରେ ଆସୁଥିଲେ। ହଠାତ୍ ପୁରୁଷ ବନ୍ଧୁଙ୍କର ଫୋନ୍ ଆସିବାରୁ ସେ ରାସ୍ତାକଡ଼ରେ ଗାଡ଼ି ଅଟକାଇବା ପାଇଁ ଚାହିଁଥିଲେ। ସାମ୍ନାରେ କିଛି ଯୁବକ ଓ ଯୁବତୀ ଛିଡ଼ା ହୋଇଥିବାରୁ ସେ ଗାଡ଼ିର ହର୍ଣ୍ଣ ମାରିଥିଲେ। ତେବେ କାର୍‌ ରାସ୍ତାକଡ଼ରେ ଅଟକାଇବା ପରେ ଯୁବକମାନେ ତାଙ୍କୁ ଘେରି ଯାଇଥିଲେ। କାହିଁକି ହର୍ଣ୍ଣ ମାରିଲ ବୋଲି କହିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଚାଲିଥିଲେ। ଯୁବତୀ ଏହାର ପ୍ରତିବାଦ ମଧ୍ୟ କରିଥିଲେ। ଅଳ୍ପ ଡୋର୍ ଖୋଲି ତାଙ୍କୁ କାହିଁକି ଏମିତି କରୁଛ ବୋଲି ପଚାରିବାରୁ ସେମାନେ ଗାଡ଼ି ନିକଟକୁ ମାଡ଼ି ଆସିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଡୋର୍ ସମ୍ପୂର୍ଣ୍ଣ ଖୋଲି ଯୁବତୀଙ୍କୁ ବାହାରକୁ ଭିଡ଼ି ନେଇ ଧକ୍କା, ତଣ୍ଟିଆ ମାରିଥିଲେ। ତାଙ୍କର ପୁରୁଷ ବନ୍ଧୁ ଏହାର ପ୍ରତିବାଦ କଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ରାସ୍ତାରେ ପକାଇ ଗଡ଼ାଇ ତଡ଼ାଇ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଆଗ ଓ ପଛ ପଟ ମୁଣ୍ଡ ଫାଟି ଯାଇଥିଲା। ଯାହାଫଳରେ ସେ ଗୁରୁତର ହେବା ସହ ଅଚେତ ହୋଇ ପଡ଼ିଥିଲେ। ଏହା ଦେଖି ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପରିକି ୨୦ ଦିନ ଧରି ସେ ଚିକିତ୍ସିତ ହୋଇଥିଲେ। ଘଟଣା ସଂକ୍ରାନ୍ତରେ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ପୁଲିସ କମିସନରଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। କିନ୍ତୁ ଏଯାଏ ଜଣେ ହେଲେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରି ନାହିଁ।