‘ସମ୍ବାଦ’ ଭବନରେ ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅଣସାର୍ଟିଫିକେଟ୍‌ଧାରୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ମିଡିଆ ଏବଂ ମନୋରଂଜନ ଦକ୍ଷତା କାଉନସିଲ୍‌ ପକ୍ଷରୁ ସେମାନଙ୍କୁ ଦକ୍ଷତା ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ଏଥିପାଇଁ ‘ସମ୍ବାଦ’ ଗ୍ରୁପ୍‌ରେ କାର୍ଯ୍ୟରତ ଅଣସାର୍ଟିଫିକେଟ୍‌ଧାରୀ କର୍ମଚାରୀଙ୍କୁ ସ୍ବୀକୃତି ପ୍ରଦାନ କରିବା ଲାଗି କାଉନ୍‌ସିଲ୍‌ ସହିତ ଯୋଗାଯୋଗ କରାଯାଇଥିଲା। କାଉନସିଲ୍‌ ପକ୍ଷରୁ ସ୍ବତନ୍ତ୍ର ଭାବେ ଲିଖିତ ଓ ମୌଖିକ ପରୀକ୍ଷା ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଆଜି ‘ସମ୍ବାଦ’ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାର୍ଟିଫିକେଟ୍‌ ବଣ୍ଟନ କରାଯାଇଛି। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସୂଚନା ଓ ପ୍ରସାରଣ ବିଭାଗର କମିସନର ତଥା ସଚିବ ସଂଜୟ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଡିଗ୍ରି ସହିତ ଚାକିରିର କୌଣସି ସଂପର୍କ ନ ଥିବା ଶ୍ରୀ ସିଂହ ମତ ଦେଇଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଓଡ଼ିଶାର ଇତିହାସ ଅତ୍ୟନ୍ତ ଗୌରବମୟ। କୋଣାର୍କ ମନ୍ଦିରଠାରୁ ଆରମ୍ଭ କରି ସମ୍ବଲପୁରୀ ଶାଢ଼ି ଓ ପଟ୍ଟଚିତ୍ର ହେଉଛି ଏହାର ପ୍ରମାଣ। ଏ ସବୁକୁ ନିର୍ମାଣ କରିଥିବା ବ୍ୟକ୍ତି/କାରିଗରମାନେ କୌଣସି କଲେଜରେ ସ୍ବତନ୍ତ୍ର ଭାବେ ଶିକ୍ଷା ଗ୍ରହଣ କରି ନଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଏମ୍‌ଇଏସ୍‌ସିର ଉପ-ସଭାପତି ଅର୍ପଣେଶ ମଣି ଉପସ୍ଥିତ ଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ଉପ-ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେଲ୍‌ସ ମ୍ୟାନେଜର୍‌, ସେଲ୍‌ସ ଏକ୍‌ଜିକ୍ୟୁଟିଭ୍, ଆକାଉଣ୍ଟସ୍‌ ଓ କ୍ୟାମେରା ଅପରେଟର୍‌ଙ୍କୁ ମିଶାଇ ମୋଟ ୧୧୩ଜଣଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର