ଭୁବନେଶ୍ବର ପ୍ରାଚୀବିହାରରେ ସରୁନି ସ୍ବେରେଜ୍‌ ଯନ୍ତ୍ରଣା

ସୀମା ଟପୁଛି ୱାଟ୍‌କୋ ମନମାନି, ତୁରନ୍ତ କାର୍ଯ୍ୟ ନ ସରିଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ସ୍ବେରେଜ୍‌ ପାଇଁ ହୀନସ୍ତା ହେଉଛନ୍ତି ପ୍ରାଚୀବିହାର ବାସିନ୍ଦା। ବର୍ଷ ବର୍ଷ ପରେ ବି କାମ ସରୁନାହିଁ। ୱାଟକୋ ମନଇଚ୍ଛା ଖୋଳି ଛାଡ଼ି ଦେଉଛି। ଫଳରେ ଲୋକେ ଯାତାୟାତ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରାଚୀବିହାର ଶିବ ମନ୍ଦିର ନିକଟରେ ତିନି ମାସରୁ ଅଧିକ ସମୟ ହେବ କାମ ହେଉଛି। ମନ୍ଥର ଗତିରେ କାମ କରାଯାଉଥିବାରୁ ମାସ ମାସ ବିତି ଯାଇଥିଲେ ବି କାମ ସରୁନାହିଁ। ଏବେ ରାସ୍ତା ମଝିରେ ପ୍ରାୟ ଦୁଇ ଶହ ମିଟର ଲମ୍ବର ଖୋଳାଯାଇଛି।

ଯିବା ଆସିବା ପାଇଁ ରାସ୍ତା କଡ଼ରେ ମାତ୍ର ଦୁଇ ଫୁଟର ରାସ୍ତା। ସେଥିରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ୍‌ ପିଲା, ବୟସ୍କ, ସାଧାରଣ ଲୋକ ଯାଉଛନ୍ତି। ଚାରି ଚକିଆ ଗାଡ଼ି ଘରୁ ବାହାର କରି ହେଉନାହିଁ। ଦୁଇ ଚକିଆ ଗାଡ଼ି ବିପଦସଙ୍କୁଳ ଭାବେ ନେଉଥିବା ଦେଖିବାକୁ ମିଳୁଛି। ବର୍ଷା ପୂର୍ବରୁ କାମ ସରିଲା ନାହିଁ। ଏବେ ବର୍ଷା ହେବାରୁ ଖାଲ ଭିତରେ ପ୍ରାୟ ୨୦ ଫୁଟର ପାଣି ଜମା ହୋଇ ରହିଛି। ନିକଟରେ ଏକାଧିକ ଦୋକାନକୁ କିଣା କଣି କରିବାକୁ ଲୋକ ଆସୁଛନ୍ତି। କେଉଁ ମୁହୁର୍ତ୍ତରେ କିଛି ଅଘଟଣକୁ ଏଡ଼ାଇ ଦିଆଯାଇନପାରେ। ତେବେ ଏନେଇ ସାଧାରଣ ଲୋକଙ୍କ ସମେତ ୧୮ ନମ୍ବର ୱାର୍ଡର କର୍ପୋରେଟର ବିପ୍ଳବ ବେହେରା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ନିଜେ ୱାଟ୍‌କୋର ସମସ୍ତ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛି।

ହେଲେ ସେମାନେ ଲୋକଙ୍କ ସମସ୍ୟା ବୁଝିବାକୁ ଆଗ୍ରହୀ ନୁହନ୍ତି। ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ପ୍ରାଚୀବିହାର ରାସ୍ତାକୁ ଖୋଳିଲେ। କାମ ସରିବା ପରେ ରାସ୍ତା ପୂର୍ବରୁ ଯେମିତି ଥିଲା ସେମିତି କରିବା କଥା। କିନ୍ତୁ ତାହା କଲେନାହିଁ। ଏବେ ବର୍ଷା ହେବାରୁ ରାସ୍ତାରେ ପାଣି ଜମୁଛି। ରାସ୍ତା ସାରା କାଦୁଅ ପଚପଚ ହୋଇଛି। ଦୋଷ କରୁଛି ୱାଟକୋ ହେଲେ ଅଯଥା ବିଏମ୍‌ସି ଦୋଷ ମୁଣ୍ଡାଉଛି। ଅନ୍ୟପଟେ ୱାଟ୍‌କୋ ଅଧିକାରୀ ଭରତ ଚନ୍ଦ୍ର ଦଳେଇ କହିଛନ୍ତି, ଖୋଳା ହେବା ବେଳେ ବଡ଼ ବଡ଼ ପଥର ବାହାରୁଛି। କମ୍‌ ସ୍ଥାନ ଥିବାରୁ ମେସିନ୍‌ ଠିକ୍‌ ଭାବେ କାମ କରିପାରୁନାହିଁ। ସେଥିପାଇଁ କାମ ସରିବାରେ ବିଳମ୍ବ ହେଉଛି। ବିଭାଗର ଏଭଳି ଛକାପଞ୍ଝା ଖେଳ ଭିତରେ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ତୁରନ୍ତ ଏହାର ସମାଧାନ କରାନ‌ଗଲେ ୱାଟ୍‌କୋ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ସ୍ଥାନୀୟବାସିନ୍ଦା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର