ବସ୍ତି ପରିମଳକୁ ବିଏମ୍‌ସିର ଗୁରୁତ୍ୱ : ରିହାତି ଦରରେ ସେସ୍‌ପୁଲ୍ ସେବା

ଭୁବନେଶ୍ୱର : ଭୁବନେଶ୍ବର ବସ୍ତିବାସିନ୍ଦ‌ାଙ୍କ ପାଇଁ ଖୁସି ଖବର। ରିହାତି ଦରରେ ମିଳିବ ସେସ୍‌ପୁଲ୍‌ ସେବା। ଭୁବନେଶ୍ବର ସହର, ବିଶେଷକରି ବସ୍ତି ଅଞ୍ଚଳର ପରିମଳକୁ ନିଶ୍ଚିତ କରାଇବା ଏବଂ ଗରିବଙ୍କ ନିମନ୍ତେ ସେସ୍‌ପୁଲ୍ ସେବାକୁ ରିହାତି ଦରରେ ଯୋଗାଇଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରରେ ବାସ କରୁଥିବା ପ୍ରାୟ ୪ଲକ୍ଷ ବସ୍ତିବାସିନ୍ଦାଙ୍କ ପରିମଳକୁ ଗୁରୁତ୍ୱ ଦିଆଯାଇ ଏଥିରେ ଗୋଷ୍ଠୀ ସହଯୋଗକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସେସ୍‌ପୁଲ୍ ସେବା ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରିହାତିରେ ମିଳିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି ପାଖରେ ୮ଟି ବଡ଼ ଓ ଗୋଟିଏ ଛୋଟ ସେସ୍‌ପୁଲ୍ ଗାଡ଼ି ରହିଛି, ଯାହାକି ସିଧାସଳଖ ସେବା ପ୍ରଦାନ କରୁଛି। ପ୍ରତ୍ୟେକ ବଡ଼ ସେସପୁଲ୍ ଗାଡ଼ିର କ୍ଷମତା ୩ ହଜାର ଲିଟର ଓ ଛୋଟ ସେସ୍‌ପୁଲ୍ ଗାଡ଼ିର କ୍ଷମତା ଏକ ହଜାର ଲିଟର ରହିଛି। ଧାର୍ଯ୍ୟ ଦର ଅନୁସାରେ, ଗୋଟିଏ ବଡ଼ ସେସ୍‌ପୁଲ୍ ଗାଡ଼ି ଗୋଟିଏଥର ସେବା ଦେବା ପାଇଁ ବିଏମ୍‌ସି ପକ୍ଷରୁ ୯୦୦ ଟଙ୍କା ନିଆଯାଉଛି। ଯଦି ଏହା ବସ୍ତି ଅଞ୍ଚଳ ପାଇଁ ସେବା ଦେବାକୁ ଯାଏ, ତେବେ ଗୋଟିଏ ଗାଡ଼ିକୁ ଥରେ ସେବା ପାଇଁ ୪୯୨ଟଙ୍କା ଆଦାୟ କରାଯିବ। ଏଥିସହ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ୧୮% ଶୁକ୍ଳ ମିଶାଇ ୫୮୦ ଟଙ୍କା ଆଦାୟ ହେବ। ଏହାର ଅନ୍ୟ ଏକ ଦିଗକୁ ବିଚାର କଲେ, ବସ୍ତିବାସିନ୍ଦାଙ୍କ ପାଇଖାନା ଟାଙ୍କି ପ୍ରାୟତଃ ଛୋଟ ହୋଇଥିବାରୁ ଗୋଟିଏ ବଡ଼ ସେସ୍‌ପୁଲ୍ ଗାଡ଼ି ଏକାଥରକେ ପାଖରେ ଥିବା ଦୁଇଟି ପରିବାରର ସେସ୍‌ପୁଲ୍ ସେବା ଯୋଗାଇ ଦେଇପାରିବ। ଫଳରେ ସମ୍ପୃକ୍ତ ପରିବାରଙ୍କୁ ସେସ୍‌ପୁଲ୍ ଦେୟ କମ୍ ପଡ଼ିବ। ତେବେ ଏହି ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଏଥିରେ ଗୋଷ୍ଠୀ ସହଭାଗିତା ବୃଦ୍ଧି ଲାଗି ବିଏମ୍‌ସି ସହ ସଂଶ୍ଳିଷ୍ଟ ଥିବା ଟେକ୍ନିକାଲ୍ ସପୋର୍ଟ ୟୁନିଟ୍, ସିଏଫ୍ଏଆର୍ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସହ‌ଯୋଗ କରିବେ। ଏଥିପାଇଁ ଗୋଷ୍ଠୀସ୍ତରୀୟ ପ୍ରସ୍ତୁତି କରାଇବାକୁ ବିଏମ୍‌ସି ପକ୍ଷରୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି।

ବିଏମ୍‌ସିର ସେସ୍‌ପୁଲ୍ ଗାଡ଼ି ବ୍ୟତୀତ ବିଏମ୍‌ସି ଅଞ୍ଚଳରେ ଏହି ସେବା ଯୋଗାଉଥିବା ୩୦ଟି ଗାଡ଼ି ଫିକାଲ୍ ସ୍ଲଜ୍ ଆଣ୍ଡ୍ ସିପ୍ଟେଜ୍ ମ୍ୟାନେଜ୍‌ମେଣ୍ଟ ରେଗୁଲେସନ୍‌-୨୦୧୮ ଅନୁସାରେ ମହାନଗର ନିଗମ ସହ ଅନୁବନ୍ଧିତ ହୋଇଛନ୍ତି। ତେବେ ବିଏମ୍‌ସି ସେମାନଙ୍କର ଧାର୍ଯ୍ୟ ଦେୟକୁ ନିୟନ୍ତ୍ରିତ କରି ନଥାଏ। ସେମାନେ ସଂଗୃହୀତ ମଳକୁ ବାସୁଆଘାଇ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟଠାରେ ପକାଇବାକୁ କୁହାଯାଇଛି ଏବଂ ଏହାର ଉଲ୍ଲଂଘନ କଲେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ନିୟମ ରହିଛି। ଏହି ଗାଡ଼ିରେ କାର୍ଯ୍ୟରତ କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା କିଟ୍ ଓ ପୋଷାକର ବ୍ୟବହାର କରିବାକୁ ବାଧ୍ୟ କରାଯାଇଛି।

ବିଏମ୍‌ସି ଡେପୁଟି କମିସନର୍‌ ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରିହାତି ଦରରେ ଘରୋଇ ଅପରେଟର୍‌ମାନେ ସେବା ଦେବାକୁ ବାଧ୍ୟ କରାଯାଇ ନାହିଁ। ସହରର ସମସ୍ତ ବ୍ୟକ୍ତି ଓ ପରିବାର ପରିମଳକୁ ଗୁରୁତ୍ୱ ଦେଇ ପରିବେଶକୁ ସୁସ୍ଥ କରିବା ପାଇଁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର