ଭୁବନେଶ୍ୱର : ଅବସର ପାଖେଇ ଆସୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ କର୍ମଚାରୀଙ୍କ ପ୍ରତି ସେସୁ କର୍ତ୍ତୃପକ୍ଷ ଅବହେଳା କରିଥିବା ଅଭିଯୋଗ ହୋଇଛି। ୬ ମାସ ହସ୍ପିଟାଲରେ ପଡ଼ିବା ଭିତରେ ତାଙ୍କର ଚାକିରିକାଳ ସରିଗଲା। କିନ୍ତୁ ପରିତାପର କଥା ଏବେ ସୁଦ୍ଧା ତାଙ୍କୁ ବକେୟା ଦରମା କି ପେନ୍ସନ ମିଳିନାହିଁ। ଫଳରେ ଘରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଥିବା କର୍ମଚାରୀଙ୍କ ପରିବାର ଏବେ ବଡ଼ ସମସ୍ୟା ଭିତରେ ଗତି କରୁଛନ୍ତି। ଏହି ଅବହେଳାର ଶିକାର ହୋଇଥିବା ସେସୁ କର୍ମଚାରୀ(ଲାଇନ୍ମ୍ୟାନ୍) ହେଲେ ପୁରୁଣା ଭୁବନେଶ୍ବରର ଅର୍ଜୁନ ମୁଦୁଲି।
ଗତ ଜାନୁଆରି ୩ ତାରିଖରେ ସେ ଏକ ଖୁଣ୍ଟ ଉପରେ ବସି କାମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଦେଢ଼ ମାସ କୋମାରେ ରହିବା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ ମେରୁଦଣ୍ଡରେ ଲାଗିଥିବା ଆଘାତ ଯୋଗୁ ତାଙ୍କ ପକ୍ଷେ ଆଉ ଉଠିବା ସମ୍ଭବ ହୋଇନଥିଲା। ଫେବ୍ରୁଆରି ୨୪ ତାରିଖରେ ତାଙ୍କୁ ଡାକ୍ତର ଘରକୁ ଫେରାଇ ଦେଇଥିଲେ। ସେତେବେଳେ ମେଡିକାଲ ଖର୍ଚ୍ଚ ସେସୁ ବହନ କରିଥିଲା। ଘରକୁ ଫେରିବାର ମାତ୍ର ୧୦ ଦିନ ପରେ ତାଙ୍କର ଅବସର ହୋଇଯାଇଥିଲା। କିନ୍ତୁ ପରିତାପର କଥା, ଦୁର୍ଘଟଣା ପରଠାରୁ ତାଙ୍କ ବନ୍ଦ ହୋଇଥିବା ଦରମା ଅବସର ପରେ ବି ଦିଆଗଲା ନାହିଁ। ଏମିତିକି ଅବସର ପରେ ପରେ ମିଳିବାକୁ ଥିବା ପ୍ରୋଭିଜିନାଲ୍ ପେନ୍ସନ ମଧ୍ୟ ମିଳିଲା ନାହିଁ। ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହେବା, ଦରମା ଓ ଅବସରକାଳୀନ ପ୍ରାପ୍ୟ ନ ମିଳିବା ଯୋଗୁଁ ଏବେ ତାଙ୍କ ପରିବାର ଚଳିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଏମିତିକି ତାଙ୍କ ପିଛା ଔଷଧପତ୍ର ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।
ଅର୍ଜୁନଙ୍କ ପୁଅ ରଞ୍ଜନ କହିଛନ୍ତି ଯେ ମେଡିକାଲରେ ଥିବା ବେଳେ ସେସୁ ପକ୍ଷରୁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଘରକୁ ପଠାଇଦେବା ପରେ ଆଉ କାହାର ଦେଖାଦର୍ଶନ ନାହିଁ। ଜୀବନସାରା ଯେଉଁ ବିଭାଗ ପାଇଁ କାମ କରୁଥିଲେ, ଶଯ୍ୟାଶାୟୀ ହୋଇଥିବା ଭଳି ଅସମୟରେ ସେହି ବିଭାଗ ତାଙ୍କ ହାତ ଛାଡ଼ି ଦେଇଛି। ପ୍ରତିଦିନ ଅଫିସ ଧାଇଁ ଧାଇଁ ସେ ହତାଶ ହୋଇଗଲେଣି ବୋଲି ରଞ୍ଜନ କହିଛନ୍ତି।
ଏ ନେଇ ସେସୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚିକିତ୍ସା ଚାଲିଥିବା ବେଳେ ସେସୁ ପଇସା ଖର୍ଚ୍ଚ କରୁଥିଲା। ଘରେ ହେଉଥିବା ଖର୍ଚ୍ଚ ଜଣେ ଡାକ୍ତରଙ୍କ ସୁପାରିଶକ୍ରମେ ସେସୁ ପକ୍ଷରୁ ଭରଣା କରାଯିବ। ଦୁର୍ଘଟଣା ପରେ ସେ କାର୍ଯ୍ୟରେ ଅନୁପସ୍ଥିତ ଥିବା ସମୟର ଦରମା ଅଟକି ରହିଛି ବୋଲି ସେ ସ୍ବୀକାର କରିଛନ୍ତି। କିନ୍ତୁ କେବେ ମିଳିବ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bibudha.jpeg.jpg)