ରାଜଧାନୀରେ ନାଁକୁ ମାତ୍ର ସିଜିଏଚ୍‌ଏସ୍‌ ଡିସ୍‌ପେନସାରି; ମିଳୁନି ଔଷଧ, ବରିଷ୍ଠ ନାଗରିକ ହନ୍ତସନ୍ତ

ଔଷଧ ଦୋକାନୀଙ୍କ ବକେୟା ଟଙ୍କାକୁ ନେଇ ବିବାଦ, କାହାରି ଟଙ୍କା ବକେୟା ନାହିଁ: ଅତିରିକ୍ତ ନିର୍ଦେଶକ

ଭୁବନେଶ୍ବର: ରାଜଧାନୀରେ ଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା(ସିଜିଏଚ୍‌ଏସ୍‌) ଅନ୍ତର୍ଗତ ଡିସ୍‌ପେନସାରିଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ଚିକିତ୍ସା ପାଇଁ ହଜାର ହଜାର କେନ୍ଦ୍ର ଅବସରପ୍ରାପ୍ତ କର୍ମଚାରୀ ଏସବୁ ଡିସ୍‌ପେନସାରି ଉପରେ ନିର୍ଭରଶୀଳ ଥିବାବେଳେ ସେମାନଙ୍କୁ ଔଷଧ ମିଳୁନାହିଁ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର କର୍ମଚାରୀ, ଆଇଏଏସ୍‌, ଆଇପିଏସ୍‌, ସାଂସଦ, ବିଚ‌ାରପତିଙ୍କ ଭଳି ପଦପଦବିରେ ଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ପାଇଁ ରାଜଧାନୀରେ ସିଜିଏସ୍‌ଏସ୍‌ର ଖାରବେଳ ନଗର, ଏଜି କଲୋନି ଓ ପୋଷ୍ଟାଲ କଲୋନିରେ ଡିସ୍‌ପେନସାରି ରହିଛି। ଏହାସହ କଟକ ଓ ବ୍ରହ୍ମପୁରରେ ମଧ୍ୟ ଗୋଟିଏ ଲେଖାଏଁ ଡିସ୍‌ପେନସାରି ଅଛି। ଏସବୁରେ ଓପିଡି ସେବା ବ୍ୟତିତ ଜରୁରୀ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଧାର୍ଯ୍ୟ ଅର୍ଥ ପର୍ଯ୍ୟନ୍ତ ଚିକିତ୍ସା ଦିଆଯାଉଛି। ମାତ୍ର ରାଜଧାନୀରେ ଥିବା ୩ଟି ଡିସ୍‌ପେନସାରିରେ ଏବେ ଔଷଧ ମିଳୁନାହିଁ। ଚଳିତମାସ ୨ତାରିଖରେ ଔଷଧ ଯୋଗାଉଥିବା ସ୍ଥାନୀୟ ଔଷଧ ଦୋକାନୀର ଚୁକ୍ତି ସମୟ ସରିଯିବା ପରେ ଔଷଧ ଯୋଗାଣ ବନ୍ଦ ହୋଇ ଯାଇଥିଲା। ତେବେ ଏଥିପାଇଁ ଟେଣ୍ଡର ହୋଇ ନ ଥିବାରୁ ସିଜିଏଚ୍‌ଏସ୍‌ ରାଜ୍ୟ ଶାଖା ପକ୍ଷରୁ ୧୪ଦିନ ପର୍ଯ୍ୟନ୍ତ ପୁଣିଥରେ ଅବଧି ବଢ଼ା ଯାଇଥିଲା। ହେଲେ ୧୭ତାରିଖଠାରୁ ପୁଣିଥରେ ଏହି ସମସ୍ୟା ଦେଖିବାକୁ ମିଳିଛି। ଯାହାଫଳରେ ଚିକିତ୍ସା ପାଇଁ ଆସୁଥିବା ବରିଷ୍ଠ ନାଗରିକମାନଙ୍କୁ ଆବଶ୍ୟକ ଔଷଧ ମିଳିପାରୁନାହିଁ।

ନାମ ଗୋପନ ରଖିବା ସର୍ତରେ ଜଣେ ହିତାଧିକାରୀ କହିଛନ୍ତି, ଔଷଧ ଯୋଗାଣ ପାଇଁ ଟେଣ୍ଡର ପାଇଥିବା ଔଷଧ ଦୋକାନୀର କୋଟିଏରୁ ଅଧିକ ଟଙ୍କା ବାକି ପଡ଼ିଥିବା କୁହାଯାଉଛି। ଯାହାକୁ ନେଇ ଔଷଧ ଦୋକାନୀ ଆଉ ‌ଔଷଧ ଦେବା ପାଇଁ ରାଜି ନାହିଁ। କେଉଁ ପରିସ୍ଥିତିରେ ଏତେ ପରିମାଣର ଟଙ୍କା ବକେୟା ପଡ଼ିଲା ତାହା ବୁଝି ହେଉନାହିଁ। ଲଗାତାର ଭାବେ ଏଭଳି ଦୋକାନୀ-କର୍ତୃପକ୍ଷଙ୍କ ଭିତରେ ବିବାଦ ଦେଖିବାକୁ ମିଳୁଛି। ଗତବର୍ଷ କୋଭିଡ୍‌ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଜୀବନ ରକ୍ଷାକାରୀ ଔଷଧ ଡିସ୍‌ପେନସାରିରେ ଉପଲବ୍ଧ ନ ହେଲେ ନିଜେ କିଣିବା ସହିତ ଏହାର ବିଲ୍‌ ପ୍ରଦାନ କରିବା ଲାଗି କୁହାଯାଇଥିଲା। ଅନେକ ହିତାଧିକାରୀ ଔଷଧ କିଣି ଏହାର ବିଲ୍‌ ପ୍ରଦାନ କରିଥିଲେ ହେଁ ସେମାନଙ୍କ ଟଙ୍କା ମଧ୍ୟ ଦିଆଯାଉନାହିଁ। ଏ ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କା ପଡ଼ି ରହିଛି। ରାଜ୍ୟର ୧୫ହଜାର ଲୋକ ଏସବୁ ଡିସ୍‌ପେନସାରି ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କୁ ଏଭଳି ଢଙ୍ଗରେ ଅଣଦେଖା କରାଯାଉଛି। ଏପରିକି ରାଜ୍ୟ ଉପଦେଷ୍ଟା କମିଟି ଯେଉଁ ଦାବି ଉପସ୍ଥାପନ କରୁଛି ଏହାକୁ ସ୍ଥାନୀୟ ଅଧିକାରୀମାନେ ଶୁଣୁ ନାହାନ୍ତି। ଫଳରେ ଏକ ମାନବକୃତ ସମସ୍ୟା ପାଇଁ ହିତାଧିକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଆହୁରି ବଢ଼ିବ ବୋଲି ହିତାଧିକାରୀ ଜଣକ କହିଛନ୍ତି।

ଏ ନେଇ ସିଜିଏଚ୍‌ଏସ୍‌ର ରାଜ୍ୟ ମୁଖ୍ୟ ତଥା ଅତିରିକ୍ତ ନିର୍ଦେଶକ ଡା. ବିଜୟ ପଣ୍ଡା କହିଛନ୍ତି, ଔଷଧ ଦୋକାନୀ କିମ୍ବା ହିତାଧିକାରୀଙ୍କ ଟଙ୍କାଟିଏ ମଧ୍ୟ ବକେୟା ନାହିଁ। ଟେଣ୍ଡର ନେଇଥିବା ଔଷଧ ଦୋକାନୀଙ୍କୁ ଗୋଟିଏ ମାସ ଔଷଧ ଯୋଗାଇବା ପରେ ପରବର୍ତୀ ମାସରେ ବିଲ୍ ଦେବାକୁ ପଡ଼ିଥାଏ। ଗତ ମାର୍ଚ ମାସରେ ଦେଇଥିବା ଔଷଧର ଅର୍ଥ ଚଳିତମାସରେ ଦେବାକୁ ପଡ଼ିବ। ଚଳିତମାସ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ତେଣୁ ଟଙ୍କା ପଡ଼ି ରହିବା ଅଭିଯୋଗ ଠିକ୍ ନୁହେଁ। ଏହାଛଡ଼ା ହସ୍ପିଟାଲରେ ଯଦି ହିତାଧିକାରୀଙ୍କୁ ଉପଯୁକ୍ତ ଔଷଧ ମିଳୁନାହିଁ, ତା’ହେଲେ ସେମା‌ନ ବ୍ୟକ୍ତିଗତ ଭାବେ କିମ୍ବା ଅଭିଯୋଗ ବକ୍ସରେ କେବେ ହେଲେ ନିଜର ଅଭିଯୋଗ ଦାଖଲ କରି ନାହାନ୍ତି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନେ ନିଜର କାଗଜପତ୍ର ଦାଖଲ କରନ୍ତୁ। ଏଭଳି ଅଭିଯୋଗ ଆଣିବା ଠିକ୍ ନୁହେଁ ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର