ଭୁବନେଶ୍ୱର : ରବିବାରରୁ ଆରମ୍ଭ ହେବ ମହା କାର୍ତ୍ତିକ। ମାସେ ଯାଏ ଆମିଷ ଛାଡ଼। ଶନିବାର ପବିତ୍ର କୁମାର ପୂର୍ଣ୍ଣମୀ। ଆଜି ଥିଲା ଆମିଷ ବାର। ତେଣୁ ଆଜି ଆମିଷ ଖାଇବାକୁ ଯେମିତି ପ୍ରତିଯୋଗିତା ଲାଗିଥିଲା। ରାତି ପାହିବା ପୂର୍ବରୁ ଆମିଷ ହାଟ ଲୋକାରଣ୍ୟ ପାଲଟିଥିଲା। ସହରର କୋଣ ଅନୁକୋଣରେ ଥିବା ମାଛ, ଚିକେନ୍ ଓ ମଟନ୍ କାଉଣ୍ଟରରେ ଭିଡ଼ ଅସମ୍ଭାଳ ହୋଇଥିଲା। ଏମିତିରେ ଯେ କରୋନା ପାଇଁ କଟକଣା ଜାରି ହୋଇଛି ତାହା ଯେମିତି ଅନେକ ପାସୋରି ଦେଇଥିଲେ। ସ୍ବାଭାବିକ ଭାବେ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ପାଳନ ହେଉଥିବା ବେଳେ ଆଜି କାର୍ତ୍ତିକ ପୂର୍ବରୁ ଘରେଘରେ ଅଘୋଷିତ ଛାଡ଼ଖାଇ ପାଳନ ହୋଇଥିଲା।
ଓଡ଼ିଆ ପରିବାରରେ କାର୍ତ୍ତିକ ମାସରେ ଅନେକଙ୍କ ଘରକୁ ଆମିଷ ପ୍ରବେଶ କରେନାହଁ। ଏଣେ କାର୍ତ୍ତିକ ପୂର୍ବରୁ ଆଜି ହିଁ ଥିଲା ଶେଷ ଦିନ। ପୁଣି ଆମିଷ ବାର। ତେଣୁ ଆମିଷ ରଙ୍କୁଣାମାନେ କାଲିଠୁ ଏନେଇ ଯୋଜନା ପ୍ରସ୍ତୁତ କରି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୪ ନମ୍ବର ମାଛ ମାର୍କେଟ୍ରେ ଆଜି ବ୍ୟବସାୟୀଙ୍କୁ ଫୁର୍ସତ ନଥିଲା। ଖୁଚୁରା ମାଛ ବିକ୍ରେତା ସଂଘର ସଭାପତି ସେକ୍ ହୁସେନ୍ କହିଛନ୍ତି ୪ ନମ୍ବର ମାର୍କେଟ୍ରେ ୪୦ ହୋଲ୍ସେଲ୍ ମାଛ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏଠାରୁ ହିଁ ସମଗ୍ର ରାଜଧାନୀକୁ ମାଛ ଯାଏ। ତାଙ୍କ ସୂଚନା ମୁତାବକ, ଆଜି କେବଳ ୧୫ ହଜାର କେ.ଜି ମାଛ ବିକ୍ରିବଟା ହୋଇଛି। ସ୍ବାଭାବିକ ଭାବେ ୬୦ ପ୍ରତିଶତ ମଧୁର ମାଛ ଓ ୪୦ ପ୍ରତିଶତ ଲୁଣି ମାଛ ବିକ୍ରି ହୁଏ। ଅଥଚ ଆନ୍ଧ୍ରା ମାଛ କମ୍ ଥିବାରୁ ଓ ଆଜି ମାଛର ଚାହିଦା ଥିବାରୁ ମୂଲ୍ୟ କେ.ଜି ପିଛା ମାଛରେ ୧୦ରୁ ୩୦ ଟଙ୍କା ଉଚ୍ଚା ରହିଥିବା ସେ କହିଛନ୍ତି। ଇଲିସି ଦର ୫୦୦ରୁ ନେଇ ୨ ହଜାର ଟଙ୍କା, ଚିଙ୍ଗୁଡ଼ି ୧୦୦ରୁ ନେଇ ୮୦୦ ଟଙ୍କା, ବଡ଼ ଭାକୁର ୨୫୦ରୁ ନେଇ ୪୦୦ ଟଙ୍କାରେ ବିକ୍ରି ହୋଇଥିଲା। ଏହା ବ୍ୟତୀତ ଡମଣା, ଗାନ୍ଧୀ ମାର୍କେଟ୍, ସିଆର୍ପି, ସହିଦନଗର, ସୁନ୍ଦରପଦା ଭଳି ମାଛ ବଜାରରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ତେବେ ଚିକେନ୍ ଦର ପୂର୍ବ ଭଳି ସ୍ବାଭାବିକ ରହିଥିବାରୁ ଟିକେ ଅଧିକ ବିକ୍ରି ହୋଇଥିଲା। କେଉଁଠି ୧୬୦ ଟଙ୍କା ତ କେଉଁଠି ୨୦୦ ଟଙ୍କା ବିକ୍ରି ହୋଇଥିଲା। ଚିକେନ୍ ବ୍ୟତୀତ ମଟନର ବିକ୍ରିବଟା ମଧ୍ୟ ଆଜି ବିକ୍ରେତାମାନଙ୍କୁ ଦୀର୍ଘ ୭ମାସ ପରେ ଭଲ ରୋଜଗାର ଦେଇଥିଲା ବୋଲି କହିଛନ୍ତି ମଟନ ବିକ୍ରେତା ସଂଘର ସଭାପତି ଏସ୍.କେ ସର୍ଜନ। ତାଙ୍କ ସୂଚନା ମୁତାବକ ସହରରେ ୫ଶହରୁ ଅଧିକ ମଟନ୍ ଦୋକାନ ରହିଥିବା ବେଳେ ମଟନ୍ କେ.ଜି ୬୫୦ରୁ ୭୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥିଲା। ତେବେ ଆଜି ଅପେକ୍ଷା ଗତ ବୁଧବାର ଅଧିକ ବିକ୍ରିବଟା ହୋଇଥିବା ସେ କହିଛନ୍ତି। ସ୍ବାଭାବିକ ଭାବେ ଆମିଷ ବାରିରେ ୧୨୫ କେଜିରୁ ୧୫୦ ଶହ କୁଇଣ୍ଟାଲ୍ ବିକ୍ରି ହେଉଥିବା ବେଳେ ଆଜି ବିକ୍ରିବଟା ୨୫୦ କୁଇଣ୍ଟାଲ୍ ଛୁଇଁଥିଲା। କରୋନା କଟକଣା ଯୋଗୁଁ ଆମିଷ ବେପାରୀମାନେ ହାତ ବାନ୍ଧି ବସିଥିବା ବେଳେ ୭ ମାସ ପରେ ଆଜି ଭଲ ବେପାର ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଗଜଲକ୍ଷ୍ମୀ ପୂଜା ଥିବାରୁ ଆଜି ଅପେକ୍ଷା ଗତ ବୁଧବାର ଆମିଷ ବିକ୍ରିବଟା ଭଲ ହୋଇଥିବା କିଛି ବେପାରି କହିଛନ୍ତି।