ଆମିଷ ହାଟରେ ଛାଡ଼ଖାଇ ମେଳା

ବୋହିନେଲେ ୭୦୦ କୁଇଣ୍ଟାଲ୍‌ ମଟନ, ୨ହଜାର କୁଇଣ୍ଟାଲ୍‌ ଚିକେନ୍‌

ଭୁବନେଶ୍ୱର: ବିନା ଆମିଷରେ ମାସେ ବିତିବା ପରେ ଛାଡ଼ଖାଇ ସକାଳକୁ ଚାତକ ଭଳି ଚାହିଁ ରହିଥିଲେ। ପୁଣି ରବିବାର ଆମିଷ ବାରିକୁ ଛୁଟି ଦିନ ପଡ଼ିଥିବାରୁ ଏହା ଥିଲା ସୋନେ ପେ ସୁହାଗା ସଦୃଶ। ଆମିଷ ହାଟରେ ତ ଯେମିତି ମେଳା ଲାଗିଥିଲା। ଯୋଉଠି ଆମିଷ ସେଇଟି ମାଳମାଳ ଗ୍ରାହକଙ୍କ ଲମ୍ବା ଭିଡ଼। ଆଉ ଏହି ଭିଡ଼ ଭିତରୁ ଛେଳି ଓ କୁକୁଡ଼ାଙ୍କ ବୋବାଳି ରାସ୍ତାକଡ଼ରେ ଯାଉଥିବା ଯାତ୍ରୀଙ୍କ ହୃଦୟ ବିଦାରି ଦେଉଥିଲା। ତେବେ ଆମିଷ ବେପାର ଖୁବ୍‌ ଜମୁଥିଲା। ମାଛ ବେପାରୀଙ୍କୁ ଫୁର୍‌ସତ ନଥିଲା। କୁକୁଡ଼ା ଓ ମାଂସ ବ୍ୟବସାୟୀଙ୍କୁ ଦର ପଚାରିବାକୁ ଯେମିତି ଆଜି ବାରଣ ଥିଲା। ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୩୦୦ରୁ ଊର୍ଧ୍ୱ ମଟନ୍‌ ଦୋକାନ ଥିବା ବେଳେ ମାଂସର ବିକ୍ରିବଟା ୭୦୦ କୁଇଣ୍ଟାଲ୍‌ ଟପି ଯାଇଥିଲା। ତେବେ ତା’ଠୁ ବଳି ଯାଇଥିଲା ଚିକେନ୍‌ ବ୍ୟବସାୟ। ୧୫୦୦ରୁ ଊର୍ଧ୍ୱ ଦୋକାନରେ ୨ହଜାର କୁଇଣ୍ଟାଲ୍‌ ପାଖାପାଖି ଚିକେନ୍‌ ବିକ୍ରି ହୋଇଥିଲା। ଚିକେନ୍‌ଠୁ ବେଶି ଚାହିଦାରେ ଥିଲା ମାଛ। ଭୁବନେଶ୍ୱର ଓ ଏହାର ଆଖପାଖରେ ୫ ହଜାରରୁ ଊର୍ଧ୍ୱ ମାଛ ଦୋକାନ ଥିବା ବେଳେ ୪ହଜାର କୁଇଣ୍ଟାଲ୍‌ ପାଖାପାଖି ମାଛ ବିକ୍ରି ହୋଇଛି। କେବଳ ୪ ନମ୍ବର ହାଟରେ ଥିବା ୪୦ଟି ଗୋଦାମରୁ ୨୦୦ କୁଇଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି ହୋଇଥିବା ବେଳେ ୧୫ଟି ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ଏବଂ ୩ଟି ସରକାରୀ ଚିଲିକା ଫ୍ରେସ୍‌ରେ ୭୦ କୁଇଣ୍ଟାଲ୍‌ରୁ ଅଧିକ ମାଛ, ଚିଙ୍ଗୁଡ଼ି ଆଦି ବିକ୍ରି ହୋଇଛି। ତେବେ କଙ୍କଡ଼ାରେ ରୁଚି ରଖୁଥିବା ଆମିଷ ପ୍ରିୟ ବ୍ୟକ୍ତିମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ଭୋରରୁ ଖୋଲିଲା ମଟନ୍‌ କାଉଣ୍ଟର୍‌

ପ୍ରାୟ ସବୁ ମଟନ୍‌ କାଉଣ୍ଟର୍‌ ଆଜି ବଡ଼ିଭୋରୁ ଖୋଲି ଯାଇଥିଲା। ଲୋକେ ବି ସକାଳ ପାହୁଣୁ ମଟନ୍‌ ହାଟରେ ମୂଲ କରିବାକୁ ପହଞ୍ଚି ଯାଇଥିଲେ। କୋଲକାତାରୁ ସ୍ୱତନ୍ତ୍ର ଭାବେ ଖାସି ମଗା ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଛେଳି ଚାହିଦା ପୂରଣ କରିପାରି ନଥିଲା ବୋଲି କହିଥିଲେ ୪ନଂ ମଟନ୍‌ ବ୍ୟବସାୟୀ ସଂଘର ସଭାପତି ଶେଖ୍‌ ସାଜନ୍‌। ସକାଳୁ ରାତି ପର୍ଯ୍ୟନ୍ତ ମାଂସ ବେପାରୀଙ୍କୁ ଫୁର୍‌ସତ ନଥିଲା। ଖରାବେଳ ସମୟକୁ ଛାଡ଼ି ଦେଲେ ବାକି ସମୟ ମଟନ୍‌ର କିଣାବିକା ଜାରି ରହିଥିଲା। ୪ନଂରେ କିଛି ବଛାବଛା ଦୋକାନ ଖାସି ପାଇଁ ଜଣାଶୁଣା ଥିବାରୁ ଏଠାରେ ଟିକେ ବେଶି ଭିଡ଼ ଦେଖିବାକୁ ମିଳିଥିଲା। ମଟନ୍‌ର ଦର ୪୮୦ରୁ ୫୦୦ ମଧ୍ୟରେ ରହିଥିଲା। କୋଲକାତା ବ୍ୟତୀତ ଉଦଳା, ସୋରର ବାରିକପୁର, ଗଣିଆ, ଯଶିପୁର, ବାଘମାରି ଆଦିରୁ ମଧ୍ୟ ଛେଳି ମଗାଯାଇଥିଲା। ଆଜି ଆସିଥିବା ଛେଳି କଟା ହେବା ବେଳକୁ ଦର ଟିକେ ୧୦-୨୦ ଅଧିକ ଦାବି କରିଥିଲେ ବ୍ୟବସାୟୀମାନେ। ମୁଖ୍ୟତଃ ୮ନଂ, ବଡ଼ଗଡ଼, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହଂସପାଳ, ଓସ୍କାର ସିଟି ସମେତ ସବୁ ସ୍ଥାନରେ ବେପାରୀମାନେ ଦେଢ଼ କୁଇଣ୍ଟାଲ୍‌ରୁ କମ୍‌ ବିକ୍ରି କରି ନଥିଲେ। ଅନେକ ବେପାରୀ ୭ରୁ ୧୦ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ବିକ୍ରି କରିଥିଲେ। ଭୁବନେଶ୍ୱର ଉପକଣ୍ଠରେ ମଟନ୍‌ ବେପାର ଖୁବ୍‌ ଜମିଥିଲା। ସେହିଭଳି ପିପିଲିରୁ ଚିକେନ୍‌ କାଲିଠୁ ଆସି ସାରିଥିବା ବେଳେ କୋଲକାତାରୁ ଆସିଥିବା ଦେଶୀ କୁକୁଡ଼ା ପାଇଁ ଭିଡ଼ ଜମିଥିଲା ୪ନଂ ହାଟରେ। ତେବେ ଚିକେନ୍‌ର ମୂଲ୍ୟ ୪ନଂ ହାଟରେ ୧୪୦ ଥିବା ବେଳେ କିଛି ସ୍ଥାନରେ ଏହା ୧୫୦ କିମ୍ବା ୧୬୦ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ମାତ୍ର ଛାଡ଼ଖାଇରେ ମୂଲ୍ୟ ବୃଦ୍ଧି ହୋଇ ନଥିଲା ବୋଲି କହିଛନ୍ତି ୪ନଂ ଚିକେନ୍‌ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିଆ।

ମାର୍କେଟ୍‌ ନେଲା ଇଲିସି, ଭେକ୍‌ଟି

ମାଛ ମାର୍କେଟ୍‌ ହେଉ କି ଫାଲ୍‌କନ୍‌ ଚିଲିକା ଫ୍ରେସ୍‌। ସବୁଠି ଲୋକଙ୍କ ନଜର ଆଗେ ଯାଉଥିଲା ଇଲିସି, ନହେଲେ ଭେକ୍‌ଟି। ଇଲିସିର ଦର ସାଇଜ୍‌ ଅନୁଯାୟୀ ୪୦୦ରୁ ୧୮୦୦ ଟଙ୍କା ମଧ୍ୟରେ ରହିଥିଲେ ହେଁ ଅନେକ ଏହାକୁ ଖାତିର୍‌ କରି ନଥିଲେ। ସେହିଭଳି ଭେକ୍‌ଟି ଦର ସାଇଜ୍‌ ଅନୁସାରେ ୫୦୦ରୁ ୮୦୦ ମଧ୍ୟରେ ରହିଥିବା ବେଳେ ବାଗ୍‌ଦା ଚିଙ୍ଗୁଡ଼ି, କଣ୍ଟାଳି ଏବଂ ଟାଇଗର୍‌ ଚିଙ୍ଗୁଡ଼ି ମଧ୍ୟ ଭଲ ବିକ୍ରି ହୋଇଥିଲା। ଯଦିଓ ଏସବୁକୁ ଲୋକେ ପ୍ରାଥମିକତା ଦେଉଥିଲେ, ମାତ୍ର ସାଧାରଣ ଭାବେ ରୋହି ଓ ଭାକୁରର ବିକ୍ରିବଟା ଅଧିକ ହୋଇଥିଲା। ସେହିଭଳି ମିରିକାଳି, ପୋହଳା, ଗିମାଣି, ତୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର୍‌ମାଇ, ପାପ୍‌ଲେଟ୍‌ ଭଳି ମାଛର ବିକ୍ରିବଟା ହୋଇଥିବା ୪ନଂ ମାଛ ବ୍ୟବସାୟୀ ସଂଘର ସଭାପତି ଶେଖ୍‌ ହୋସେନ୍‌ ସୂଚନା ଦେଇଛନ୍ତି। ଆନ୍ଧ୍ର ସମେତ ପୁରୀ, ବାଲେଶ୍ୱର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲ୍ଲା, ଶୋରଡ଼ା ଡ୍ୟାମ୍‌ରୁ ମାଛ ଆସିଥିଲା।

ହୋଟେଲ୍‌ରେ ପାଳିଲେ ଛାଡ଼ଖାଇ

ରାଜଧାନୀରେ ଅନେକ ଅସ୍ଥାୟୀ ବାସିନ୍ଦା ଥିବା ଚାକିରିଆ ଓ ଛାତ୍ରଛାତ୍ରୀମାନେ ଛାଡ଼ଖାଇ ମନେଇଥିଲେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ରେ। ଏନେଇ ଷ୍ଟାର୍‌ ହୋଟେଲ୍‌ଠୁ ନେଇ ରେଷ୍ଟୁରାଣ୍ଟ୍‌ ପର୍ଯ୍ୟନ୍ତ ସବୁଠି ସ୍ୱତନ୍ତ୍ର ଛାଡ଼ଖାଇ ମେନୁ ପ୍ରସ୍ତୁତ ହୋଇଥିଲା। ମଧ୍ୟାହ୍ନ ଭୋଜନ ଅପେକ୍ଷା ରାତି ଭୋଜନ ପାଇଁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ରେ ପ୍ରବଳ ଭିଡ଼ ହୋଇଥିଲା। ହୋଟେଲ୍‌ରେ ବି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍‌ ଓ ମଟନ୍‌ର କିସମକିସମର ଆଇଟମ୍‌ ପ୍ରସ୍ତୁତ ହୋଇଥିଲା। ଖାଲି ସେତିକି ନୁହେଁ ଆଜି ଫାଷ୍ଟ୍‍ଫୁଡ୍‌ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଖୁବ୍‌ ଜମିଥିଲା। ଢେର୍‌ ଦିନ ପରେ ଏମାନେ ମନବୋଧ ହେଲା ଭଳି ବ୍ୟବସାୟ କରିଥିଲେ।

ସମ୍ବନ୍ଧିତ ଖବର