ଆଜି ଜମିବ ଛାଡ଼ଖାଇ

ସରିଯାଇଛି ଧର୍ମ ମାସ କାର୍ତ୍ତିକ। ମାସେ ହେଲା ପାଟିରେ ବାଜି ନଥିଲା ଆମିଷ। ଅପେକ୍ଷା ଥିଲା ଛାଡ଼ଖାଇକୁ। ହେଲେ ଏଥର ଛାଡ଼ଖାଇ ଶନିବାର ପଡ଼ୁଥିବାରୁ କିଛି ଗ୍ରାହକ ମନ ଆମ୍ବିଳା କରି ଦେଇଥିଲେ। ଅପେକ୍ଷା କରିଥିଲେ ରବିବାରକୁ। ଏପଟେ ଶନିବାର ବେପାର ନ ଜମିବାରୁ ରବିବାର ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ। ମାସେ ହେଲା ମାନ୍ଦା ପଡ଼ିଥିବା ‌ବେପାର ଚଳଚଞ୍ଚଳ ହୋଇ ଉଠିବ।

ମଟନ୍‌ ଦାମ୍‌ ବଢ଼ିପାରେ!

ଓଡ଼ିଶାର ମଟନ ଗ୍ରାହକଙ୍କ ଚାହିଦା ମେଣ୍ଟାଇ ପାରୁନି। ଏଥିପାଇଁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ମଟନ୍‌ ଦାମ୍‌ ବଢ଼ିବା ସମ୍ଭାବନା ରହିଥିବା କହିଛନ୍ତି ୟୁନିଟ୍‌-୪ ମଟନ ବ୍ୟବସାୟୀ ସଂଘର ସଦସ୍ୟ ଏସ୍‌.କେ ଡିନ୍‌ ମହମ୍ମଦ। ୪ ନମ୍ବରରେ କେବଳ ୨୧ଟି ମଟନ୍‌ ଦୋକାନ ରହିଥିବା ବେଳେ ଭୁବନେଶ୍ବରରେ ପ୍ରାୟ ୨୫୦ କାଉଣ୍ଟର ରହିଛି। ତଥାପି ଆମଦାନୀ କମ୍‌ ଥିବାରୁ ଛାଡ଼ଖାଇରେ ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ସମ୍ଭବ ହେଉନି ବୋଲି ସେ କହିଛନ୍ତି। ବର୍ତ୍ତମାନ ମଟନ୍‌ର ଦାମ୍‌ ୫୫୦ ଟଙ୍କାରୁ ୬୦୦ ଟଙ୍କା ମଧ୍ୟରେ ରହିବ। ଆଗକୁ ବିବାହ ଋତୁ ଓ ନୂଆ ବର୍ଷ ଆସୁଥିବାରୁ ଏହାର ଦାମ୍‌ ବଢ଼ିପାରେ ବୋଲି ସେ କହିଛନ୍ତି। ରବିବାର ୨୫୦ କୁଇଣ୍ଟାଲରୁ ଅଧିକ ମଟନ ବିକ୍ରି ହେବ ବୋଲି ସେ ଆଶା ରଖିଛନ୍ତି।

ପିପିଲିରୁ ବ୍ରଏଲର୍‌ ଓ ଦୀଘାରୁ ଦେଶୀ କୁକୁଡ଼ା

ସବୁବେଳେ ମଟନ ଅପେକ୍ଷା ଚିକେନ୍‌ର ଚାହିଦା ଅଧିକ ରହିଥାଏ। ‌ଛାଡ଼ଖାଇରେ ଏହି ଚାହିଦା ଅହୁରି ବଢ଼ିଯାଏ। ୪ ନମ୍ବର ମାର୍କେଟରେ କେବଳ ୩୦ଟି ଚିକେନ୍‌ କାଉଣ୍ଟର‌୍‌ ରହିଥିବା ବେଳେ ରାଜଧାନୀରେ ୧୫୦୦ରୁ ଊର୍ଧ୍ବ ଚିକେନ କାଉଣ୍ଟର୍‌ ରହିଛି ବୋଲି କହିଛନ୍ତି ୪ ନମ୍ବର ଚିକେନ୍‌ ବ୍ୟବସାୟୀ ସ˚ଘର ସଦସ୍ୟ ଶେଖ୍‌ ସଇଦ। କୁକୁଡ଼ା ପାଇଁ ପୂରା ଭୁବନେଶ୍ବର ବଜାର ପିପିଲି ଉପରେ ନିର୍ଭରଶୀଳ। ତାଙ୍କ ମତରେ ୮୦ ପ୍ରତିଶତ ଚିକେନ୍‌ର ଚାହିଦା ମେଣ୍ଟାଉଛି ପିପିଲି। ସେହିପରି ଦେଶୀ କୁକୁଡ଼ା ପାଇଁ ପଶ୍ଚିମବଙ୍ଗର ଦୀଘା ହିଁ ଏକମାତ୍ର ଭରସା। ବ୍ରଏଲର ଚିକେନ୍‌ ଦର ପୂର୍ବଭଳି ୧୬୦ ଟଙ୍କା ରହିବ। ଦେଶୀ କୁକୁଡ଼ା ଦର ୩୩୦ ଟଙ୍କା ରହିବ ବୋଲି ଶେଖ୍ ମହମ୍ମଦ ସୂଚନା ଦେଇଛନ୍ତି।

ମାଛ: ଚାହିଦା ଅନୁଯାୟୀ ପଇସା

ସଜ ମାଛ ଟିକେ ଖାଇବାକୁ ଦିନ ଗୋଟାଏ ଯାଏଁ ଲମ୍ବ‌ା ଧାଡ଼ି ଲାଗିବ। ମୁଖ୍ୟତଃ ଇଲିସି ଉପରେ ନଜର ରହିବ। ଏହାର ଦର ସାଇଜ୍‌ ଅନୁସାରେ ୫୦୦ରୁ ନେଇ ୨୦୦୦ ମଧୢରେ ରହିବ। ସେହିଭଳି ଭାକୁର ଓ ରୋହିର ଦର ୧୨୦ରୁ ନେଇ ୧୬୦ ଟଙ୍କା ମଧୢରେ ରହିବ। ବଡ଼ ଭେକ୍‌ଟି ମାଛର ଦର ୭୦୦ରୁ ୮୦୦ ଟଙ୍କା ମଧୢରେ ରହିବ। ମିଠା ନଈ ଚିଙ୍ଗୁଡ଼ିର ମଧୢ ଚାହିଦା ରହିବ। ତେବେ ମାଛ ତାର ଆକାର ଅନୁଯାୟୀ ତଥା ବୋନ୍‌ଲେସ୍‌, ହେଡ୍‌ଲେସ୍‌ ଆଦି ଗ୍ରାହକଙ୍କ ବରାଦ ଅନୁଯାୟୀ ଦାମ୍‌ ରହିବ ବୋଲି ୪ନ˚ ମାଛ ବ୍ୟବସାୟୀ ସ˚ଘର ସଭାପତି ଶେଖ୍‌ ହୋସେନ୍‌ କହିଛନ୍ତି। ମାଛ ମୁଖ୍ୟତଃ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ଭ˚ଜନଗର, ସୋରଡ଼ା ଡ୍ୟାମ ଓ ଆନ୍ଧ୍ରରୁ ଆସିବ‌ ବୋଲି ସେ‌ କହିଛନ୍ତି।

ସମ୍ବନ୍ଧିତ ଖବର