ଭୁବନେଶ୍ୱର : ରୋହି, ଭାକୁର, ଇଲିସି, ଚାନ୍ଦି, ପମଫ୍ରେଟ୍ ସାଙ୍ଗକୁ ଦେଶୀ, ବନରାଜ ଓ ବ୍ରଏଲର୍; ସବୁ ବୋହି ନେଲେ। ଚିଙ୍ଗୁଡ଼ି, କଙ୍କଡ଼ା ଓ ଖାସି ବା ବାଦ୍ ପଡ଼ିଥାଆନ୍ତେ କେମିତି? ଭୋର୍ ପାଖାପାଖି ସାଢ଼େ ୫ଟାରୁ ଖୋଲିଥିବା ଆମିଷ ବଜାର ରାତି ୮ଟା ପର୍ଯ୍ୟନ୍ତ ପୂରା ଚଳଚଞ୍ଚଳ ଥିଲା। ବେପାରୀଙ୍କୁ ଟିକିଏ ବି ଫୁରସତ୍ ମିଳି ନଥିଲା। ଆଜି ରାଜଧାନୀର ପ୍ରାୟ ସବୁ ଆମିଷ ମାର୍କେଟ୍ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। କିଏ ବାହାଘର ପାଇଁ କ୍ବିଣ୍ଟାଲ କ୍ବିଣ୍ଟାଲ ଖାସି ମାଂସ ନେଉଥିଲା ତ କିଏ ଭୋଜିଭାତ ପାଇଁ। ଶନିବାର ଛାଡ଼ଖାଇ ପଡ଼ିଥିଲେ ହେଁ ବହୁ ଲୋକ ସେଦିନ ଆମିଷ ଖାଉ ନଥିବାରୁ ଆମିଷ ବେପାର ସେତେଟା ଜମି ନଥିଲା। ତେଣୁ ରବିବାରକୁ ଅନେଇ ବସିଥିଲେ ରାଜଧାନୀବାସୀ। ୟା’ ସାଙ୍ଗକୁ ରବିବାର ଦିନ ଯୋଡ଼ି ହୋଇଯାଇଥିଲା ରାଜଧାନୀର ୨୬୭ ଯୋଡ଼ାଙ୍କ ବିବାହ ଉତ୍ସବ। ତେଣୁ ଆମିଷ ବେପାରୀଙ୍କ ବ୍ୟବସାୟ ଓ ପକେଟ୍ ପୂରା ଗରମ ହୋଇଯାଇଥିଲା। ଏଇ ମୌକାରେ କିଛି ବେପାରୀ ଦର ମଧ୍ୟ ବଢ଼ାଇ ଦେଇଥିଲେ। କୁକୁଡ଼ା ଓ ଖାସି ମାଂସ ବ୍ୟବସାୟୀଙ୍କୁ ଦର ପଚାରିବାକୁ ଯେମିତି ଆଜି ବାରଣ ଥିଲା।
ସୂଚନାନୁଯାୟୀ, ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୩୦୦ରୁ ଖାସି ମାଂସ ଦୋକାନ ଥିବା ବେଳେ ଆଜି ଗୋଟିଏ ଦିନରେ ୩ କୋଟିରୁ ଊର୍ଧ୍ବ ଟଙ୍କାର ବେପାର ହୋଇଥିବା ଜଣାଯାଇଛି। ଚିକେନ୍ ବ୍ୟବସାୟୀଙ୍କ ପାଦ ବି ତଳେ ଲାଗୁ ନଥିଲା। ୧୫୦୦ରୁ ଊର୍ଧ୍ୱ ଦୋକାନରେ ପାଖାପାଖି ୨୦୦ କୁଇଣ୍ଟାଲ୍ ଚିକେନ୍ ବିକ୍ରି ହୋଇଥିଲା। ସବୁଠୁ ଅଧିକ ଚାହିଦାରେ ଥିଲା ମାଛ। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୫ ହଜାରରୁ ଊର୍ଧ୍ୱ ମାଛ ଦୋକାନ ଥିବା ବେଳେ ୪ ହଜାର କୁଇଣ୍ଟାଲ୍ ପାଖାପାଖି ମାଛ ବିକ୍ରି ହୋଇଛି। କେବଳ ୪ ନମ୍ବର ହାଟରେ ଥିବା ୪୦ଟି ଗୋଦାମରୁ ୨୦୦ କୁଇଣ୍ଟାଲ୍ରୁ ଅଧିକ ମାଛ ବିକ୍ରି ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ୧୫ଟି ଫାଲ୍କନ୍ ଚିଲିକା ଫ୍ରେସ୍ ଏବଂ ୩ଟି ସରକାରୀ ଚିଲିକା ଫ୍ରେସ୍ରେ ୭୦ କୁଇଣ୍ଟାଲ୍ରୁ ଅଧିକ ମାଛ, ଚିଙ୍ଗୁଡ଼ି ଆଦି ବିକ୍ରି ହୋଇଛି।
ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡର୍ସ ଫେଡେରେସନ୍ର ସଭାପତି ସେଖ୍ ମୁମ୍ତାକିମ୍ ବକ୍ସଙ୍କ କହିବାନୁଯାୟୀ, ଛାଡ଼ଖାଇରେ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ଖାସି ରାଜଧାନୀବାସୀଙ୍କ ଚାହିଦା ପୂରଣରେ ଅକ୍ଷମ। ତା’ ସାଙ୍ଗକୁ ଆଜି ବାହାଘର ତିଥି ଥିଲା। ତେଣୁ କୋଲକାତା ଓ ଉତ୍ତରପ୍ରଦେଶରୁ ସ୍ୱତନ୍ତ୍ର ଭାବେ ଖାସି ବରାଦ ହୋଇଥିଲା। ଗତବର୍ଷ କରୋନା ସତ୍ତ୍ବେ ରାଜଧାନୀ ବଜାରରେ ୨.୫ କୋଟି ଟଙ୍କାର ବେପାର ହୋଇଥିଲା। ଚଳିତ ବର୍ଷ ବେପାର ୩ କୋଟି ଟଙ୍କା ଅତିକ୍ରମ କରିଛି। ସାଧାରଣତଃ ଖାସି ୭୦୦ ଟଙ୍କାରେ ବିକ୍ରି ହେଉଥିବା ଆଜି ଚାହିଦା ପାଇଁ ଓ ସ୍ଥଳବିଶେଷରେ ୭୩୦ରୁ ୭୫୦ ଟଙ୍କାରେ ବିକ୍ରି ହୋଇଥିଲା। କୋଲକାତା ଓ ଉତ୍ତରପ୍ରଦେଶ ଛଡ଼ା ବଲାଙ୍ଗୀର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ମଧ୍ୟ ରାଜଧାନୀ ବଜାରକୁ ଖାସି ଆସିଥିଲା। ୟୁନିଟ୍-୪ ମଟନ୍ ବଜାରରେ ବିକ୍ରି ସର୍ବାଧିକ ହୋଇଥିବା ବେଳେ ୟୁନିଟ୍-୮, ବଡ଼ଗଡ଼, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହଂସପାଳ, ଓସ୍କାର ସିଟି ସମେତ ସବୁ ସ୍ଥାନରେ ବେପାରୀମାନେ ଦେଢ଼ କୁଇଣ୍ଟାଲ୍ରୁ କମ୍ ବିକ୍ରି କରି ନଥିଲେ।
ସେହିଭଳି ପିପିଲିରୁ ବ୍ରଏଲର୍ କାଲିଠୁ ଆସି ସାରିଥିବା ବେଳେ କୋଲକାତାରୁ ଆସିଥିବା ଦେଶୀ କୁକୁଡ଼ା ପାଇଁ ଭିଡ଼ ଜମିଥିଲା ୟୁନିଟ୍-୪ ହାଟରେ। ୟୁନିଟ୍-୪ ହାଟରେ କୁକୁଡ଼ା ମାଂସ କେଜି ପିଛା ୧୮୦ ଥିବା ବେଳେ କିଛି ସ୍ଥାନରେ ଏହା ୨୦୦-୨୨୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଛାଡ଼ଖାଇରେ ମୂଲ୍ୟ ବୃଦ୍ଧି ହୋଇନଥିବା ବ୍ୟବସାୟୀମାନେ କହିଛନ୍ତି।
ଅପରପକ୍ଷେ ଛାଡ଼ଖାଇ ସାଙ୍ଗକୁ ବିବାହ ଋତୁ ଆରମ୍ଭ ହେବା ମାଛ ବଜାରକୁ ସରଗରମ କରିଦେଇଥିଲା। ଆଜି ୨୦୦ କୁଇଣ୍ଟାଲରୁ ଅଧିକ ମାଛ ବିକ୍ରି ହୋଇଥିଲା। ଚାହିଦାକୁ ନଜରରେ ରଖି ବ୍ୟବସାୟୀମାନେ ଆନ୍ଧ୍ରପ୍ରଦେଶରୁ ରୋହି, ଭାକୁର ମାଛ ଆଣିଥିବା ବେଳେ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁରରୁ ପମଫ୍ରେଟ୍, ଚାନ୍ଦି ଓ ଇଲିସି ସହ ସମସ୍ତପ୍ରକାର ଲୁଣି ମାଛ ବରାଦ ହୋଇଥିଲା। ଇଲିସିର ଦର ସାଇଜ୍ ଅନୁଯାୟୀ ୬୦୦ରୁ ୨୨୦୦ ଟଙ୍କା ମଧୢରେ ରହିଥିଲା। ସେହିଭଳି ପମଫ୍ରେଟ୍ ଦର ୭୦୦ରୁ ୧୬୦୦, ରୋହି ଓ ଭାକୁର ଦର ୧୬୦ରୁ ୨୫୦ ଟଙ୍କା ରହିଥିଲା। ଟାଇଗର୍ ଚିଙ୍ଗୁଡ଼ି ୬୦୦ ଟଙ୍କାରେ ବିକ୍ରି ହେଉଥିଲା। ମାଛ ଛଡ଼ା ଛାଡ଼ଖାଇରେ ବାଗ୍ଦା ଚିଙ୍ଗୁଡ଼ି, କଣ୍ଟାଳି ଓ ଟାଇଗର୍ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହୋଇଥିଲା। ଏସବୁ ବ୍ୟତୀତ ମିରିକାଳି, ପୋହଳା, ଗିମାଣି, ଥୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର୍ମାଇ, ପମ୍ଫ୍ରେଟ୍ ଭଳି ମାଛର ଭଲ ବିକ୍ରି ହୋଇଥିବା ସୂଚନା ମିଳିଛି।