ପୂଜାରେ ମାତିଲେ ଲୁଟେରା : ଲୁଟିଲେ ବାଇକ୍‌, ଛିଣ୍ଡାଇଲେ ଚେନ୍‌

୧୦ ଲୁଟେରା ଧରା ପଡ଼ିଲେ, ମହିଳା ଗ୍ୟାଙ୍ଗ ବି ସକ୍ରିୟ ଥିଲା, ରାଜ୍ୟ ବାହାରର ଲୁଟେରା ବି ଥିଲେ

ଭୁବନେଶ୍ବର : ପୂଜା ତିନି ଦିନ ଲୁଟେରାଙ୍କ ପୁଷମାସ ଥିଲା। ୩ ଦିନ ମଧ୍ୟରେ ଲୁଟେରାମାନେ ମଣ୍ଡପ ନିକଟରେ ପାର୍କିଂ ହୋଇଥିବା ଏକାଧିକ ବାଇକ୍‌ ଲୁଟି ‌ନେବା ସହ ଭକ୍ତଙ୍କ ପକେଟମାର୍‌ କରିଥିବା ଓ ମହିଳାଙ୍କ ଠାରୁ ଚେନ୍‌ ଲୁଟି ନେବା ପରି ଘଟଣା ଘଟାଇଥିବା ଖବର ମିଳିଛି। ଏ ନେଇ ବିଭିନ୍ନ ଥାନାରେ ମଧ୍ୟ ବହୁ ସଂଖ୍ୟାରେ ଅଭିଯୋଗ ହୋଇଛି। ବିଶେଷ କରି ନୂଆପଲ୍ଲୀ, ସହିଦନଗର, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନାରେ ଏଭଳି ଅଭିଯୋଗ ସବୁ ହୋଇଛି। ପୁଲିସ ମଧ୍ୟ ୧୦ରୁ ଅଧିକ ଲୁଟେରାଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ସୁନାହାର, ମୋବାଇଲ ଫୋନ୍‌ ଓ କେତେକ ଚୋରି ସାମଗ୍ରୀ ଜବତ ହୋଇଛି। ସହିଦନଗର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ କରିଛି। ଭସାଣ ପର ଦିନ ଏ ସମ୍ପର୍କରେ ପୁଲିସ ବିସ୍ତୃତ ତଥ୍ୟ ଦେବ ବୋଲି କହିଛି।

ଯାହା ସୂଚନା ମିଳିଛି, ଗତ ବର୍ଷଠାରୁ ଚଳିତ ବର୍ଷ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ନିକଟରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହାର ସୁଯୋଗ ନେଇଥିଲେ ଲୁଟେରା ଗ୍ୟାଙ୍ଗ। ଏପରିକି ସବୁବର୍ଷ ଭଳି ଏଥର ରାଜ୍ୟ ବାହାରର କେତେକ ଲୁଟେରା ମଧ୍ୟ ଭୁବନେଶ୍ବରରୁ ଧରା ପଡ଼ିଛନ୍ତି। ସେହିପରି ମହିଳା ଲୁଟେରା ଦଳଙ୍କୁ ମଧ୍ୟ ପୁଲିସ କାବୁ କରିଛି। ରସୁଲଗଡ଼, ଝାରପଡ଼ା ଓ ନୂଆପଲ୍ଲୀ ପୂଜାମୁଣ୍ଡପ ନିକଟରେ ଏହି ଗ୍ୟାଙ୍ଗ ସବୁ ସକ୍ରିୟ ଥିଲେ। କିନ୍ତୁ କମିସନରେଟ ପୁଲିସ ପକ୍ଷରୁ ଏଭଳି ଗ୍ୟାଙ୍ଗ୍ ଉପରେ କଡ଼ା ନଜର ରଖାଯାଇଥିଲା। କେତେକ ପୁଲିସ ଅଧିକାରୀ ସାଦା ପୋଷାକରେ ମଧ୍ୟ ମଣ୍ଡପ ନିକଟରେ ପଇଁତରା ମାରିଥିଲେ। ଏ ସବୁ ସତ୍ତ୍ବେ ଲୁଟେରା ସେମାନଙ୍କ ଲୁଟପାଟ୍‌ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର