ନାଲି ହେଲମେଟ୍‌ କଳା ପଲସର୍‌ ଛିଟପକା ସାର୍ଟ, ଲୁଟେରାକୁ ଶୌଚାଳୟରୁ ଉଠାଇ ଆଣିଲା ପୁଲିସ

ଘଣ୍ଟାଏରେ ଦୁଇଟି ଚେନ୍ ଲୁଟିଥିଲା, ପୁଣି ଲୁଟ୍ ସନ୍ଧାନରେ ବୁଲୁଥିଲା

୧୬ ଅପରାଧରେ ସାମିଲ୍‌, ୮ ଦିନ ତଳେ ଜେଲ୍‌ରୁ ମୁକୁଳିଥିଲା

ଭୁବନେଶ୍ବର : ଘଣ୍ଟାଏ ଭିତରେ ରାଜଧାନୀର ଦୁଇ ଛକରୁ ଦୁଇ ମହିଳାଙ୍କ ବେକରୁ ଝାମ୍ପି ନେଇଥିଲା ସୁନା ଚେନ୍। ପୁଣି ଲୁଟ୍ ସନ୍ଧାନରେ ଛକରୁ ଛକକୁ ବୁଲୁଥିଲା। କିନ୍ତୁ ପୁଲିସ ନଜରରୁ ବର୍ତ୍ତି ପାରି ନ ଥିଲା। ପିନ୍ଧିଥିବା ଛିଟପକା ସାର୍ଟ ଯୋଗୁଁ ଧରା ପଡ଼ିଗଲା ଲୁଟେରା। ଖାରବେଳନଗର ଥାନା ପୁଲିସ ଶୁକ୍ରବାରର ଏମିତି ଢଙ୍ଗରେ ଜଣେ କୁଖ୍ୟାତ ଚେନ୍ ଲୁଟେରାକୁ ନାଟକୀୟ ଭାବେ ଏକ ଶୌଚାଳୟ ଭିତରୁ ଗିରଫ କରିଛି। ସେ ହେଲା ଗଡ଼ଖୋର୍ଦ୍ଧା ଅଞ୍ଚଳର କାଳି ପ୍ରସାଦ ରାଉଳ(୨୭)। ତା’ ନିକଟରୁ ୨୦ ଗ୍ରାମ ଓ ୮ ଗ୍ରାମ ଓଜନର ୨ଟି ସୁନାଚେନ୍, କଳା ପଲସର୍ ଜବତ ହୋଇଛି। ଲୁଟେରାର ଛିଟପକା ସାର୍ଟ ଓ ନାଲି ହେଲମେଟ୍‌କୁ ମଧ୍ୟ ପୁଲିସ ପ୍ରମାଣ ସ୍ବରୂପ ଜବତ କରିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ୟୁନିଟ୍-୯ରେ ରହୁଥିବା ମନ୍ଦାକିନୀ ମିଶ୍ର(୬୧) ରାମ ମନ୍ଦିର ପଛ ପାଖରେ ଥିବା ମାର୍କେଟକୁ ଆସିଥିଲେ। ସେହି ସମୟରେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ କଳା ରଙ୍ଗର ପଲସର୍‌ରେ ଫେରାର ହୋଇ ଯାଇଥିଲା। ଏଥିରେ ମନ୍ଦାକିନୀଙ୍କ ବେକରେ ଆଘାତ ଲାଗିଥିଲା। ଖବର ପାଇ ଖାରବେଳନଗର ଥାନାର ମହିଳା ଏସ୍ଆଇ ମିନତି କୁମାରୀ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୁଟେରାର ଚେହେରା, ବ୍ୟବହାର କରିଥିବା ବାଇକ୍, ପିନ୍ଧିଥିବା ସାର୍ଟ ସମ୍ପର୍କରେ ପଚାରି ବୁଝିଥିଲେ। ନାଲି ରଙ୍ଗର ହେଲମେଟ୍‌ ପିନ୍ଧିଥିବା ଜାଣିବାକୁ ପାଇଥିଲେ। ମନ୍ଦାକିନୀଙ୍କୁ ସାଙ୍ଗରେ ଧରି ପୁଲିସ ବିଭିନ୍ନ ଛକ ବୁଲିଥିଲା। ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାର ଶ୍ରୀୟା ଛକ ନିକଟରେ ଅଟକି ଥିବା ଟ୍ରାଫିକରେ ମନ୍ଦାକିନୀଙ୍କ ବର୍ଣ୍ଣନା ଅନୁସାରେ କଳା ରଙ୍ଗର ପଲସର୍‌ ବାଇକ୍‌ରେ ନାଲି ହେଲମେଟ ଓ ଛିଟପକା ଧଳା ସାର୍ଟ ପିନ୍ଧିଥିବା ଜଣେ ଯୁବକ ଛିଡ଼ା ହୋଇଥିଲା। ମହିଳା ଏସ୍ଆଇ ମିନତିଙ୍କର ସନ୍ଦେହ ହେବାରୁ ସେ ଗାଡ଼ିରେ ମନ୍ଦାକିନୀଙ୍କୁ ବସାଇ ଯୁବକ ନିକଟକୁ ଆସିଥିଲେ। କିନ୍ତୁ ସେହି ସମୟରେ ଟ୍ରାଫିକ ଛାଡ଼ି ଦେବାରୁ ଯୁବକ ଜଣକ ୟୁ-ଟର୍ଣ୍ଣ କରି ନିକଟରେ ଥିବା ଶୌଚାଳୟକୁ ପଳାଇ ଯାଇଥିଲା। ମିନତି ସେହି ସମୟରେ ଥାନାକୁ ଫୋନ୍ କରି ଅଧିକ ପୁଲିସ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଆଉ ସେ ଶୌଚାଳୟରୁ ବାହାରିବା ପରେ ତାକୁ ଉଠାଇ ନେଇଥିଲେ। ପ୍ରଥମେ ଜେରା ବେଳେ ସେ କିଛି ଜାଣି ନ ଥିବା କହିଥିଲା। କିନ୍ତୁ ତାର ପ୍ୟାଣ୍ଟ ପକେଟ୍ ଯାଞ୍ଚ କରିବାରୁ ଦୁଇଟି ଛିଣ୍ଡା ସୁନାଚେନ୍ ମିଳିଥିଲା। ମନ୍ଦାକିନୀ ନିଜ ଲୁଟ୍ ଚେନ୍‌କୁ ଚିହ୍ନଟ ମଧ୍ୟ କରିଥିଲେ। ଲୁଟିଥିବା ଯୁବକ କୁଖ୍ୟାତ ସୁନା ଚେନ୍ ଲୁଟେରା କାଳିପ୍ରସାଦ ବୋଲି ଜଣାପଡ଼ିଥିଲା। ମନ୍ଦାକିନୀଙ୍କ ବେକରୁ ସୁନାଚେନ୍ ଲୁଟିବା ପୂର୍ବରୁ କ୍ୟାପିଟାଲ ଥାନା ଅନ୍ତର୍ଗତ ପାଓ୍ଵାର ହାଉସ୍ ଛକ ନିକଟରୁ ସେ ଆଉ ଜଣେ ମହିଳାଙ୍କ ନିକଟରୁ ମଧ୍ୟ ଚେନ୍ ଲୁଟିଥିବା ସ୍ବୀକାର କରିଥିଲା।

କାଳିପ୍ରସାଦ ନାଁରେ ଖୋର୍ଦ୍ଧା, ଭୁବନେଶ୍ବରର ଖଣ୍ଡଗିରି, ନୟାପଲ୍ଲୀ, କ୍ୟାପିଟାଲ, ଖାରବେଳନଗର ସମେତ ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି। ଚେନ୍ ଲୁଟ୍, ଡକାୟତି ଯୋଜନା, ବ୍ରାଉନସୁଗାର ବେପାର ଭଳି ମାମଲାରେ ଗିରଫ ହୋଇଛି। ସହଯୋଗୀ ସହ ମିଶି ଚେନ୍ ଲୁଟ୍ ମାମଲାରେ ଖୋର୍ଦ୍ଧ‌ା ଟାଉନ୍ ଥାନା ପୁଲିସ ହାତରେ ଧରା ପଡ଼ି ଗତବର୍ଷ ସେପ୍ଟେମ୍ବର ମାସରେ ସେ ଜେଲ୍ ଯାଇଥିଲା। ଗତ ଜୁନ୍ ୩୦ ତାରିଖରେ ଜେଲରୁ ଜାମିନରେ ମୁକୁଳିଥିଲା। ଏହା ପରେ ପୁଣି ଚେନ୍ ଲୁଟ୍ ଆରମ୍ଭ କରି ଦେଇଥିଲା। ସହଯୋଗୀ ମହେଶ୍ବର ମହାକୁଡ଼ ଜେଲରେ ଥିବା ବେଳେ ସେ ତାର କଳା ରଙ୍ଗର ପଲସର ବାଇକ୍(ଓଡି୦୨-ବିଏଲ୍-୮୨୧୬) ଧରି ଲୁଟ୍ ପରେ ଲୁଟ୍‌ କରି ଚାଲିଥିଲା।

ସମ୍ବନ୍ଧିତ ଖବର